ଋଣ କାରବାରରୁ ମହିଳାଙ୍କୁ ହତ୍ୟା!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ ଚାଟ୍ରା (ଜୟବଡ଼ ପାଖ) ଗ୍ରାମରେ ଋଣ ଅର୍ଥ କାରବାର ଏବଂ ହଡ଼ପକୁ କେନ୍ଦ୍ର କରି ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଋଣ ଠକେଇର ଶିକାର ଜଣେ ମହିଳାଙ୍କ ମୃତୁ୍ୟକୁ ନେଇ ପୋଡ଼ାଜଳା କରାଯାଇଛି । ଠକେଇର ମାଷ୍ଟରମାଇଣ୍ଡ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଓ ତାଙ୍କ ପତ୍ନୀ ବିଷ ଦେଇ ମହିଳାଙ୍କୁ ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଜଗତସିଂହପୁର ଥାନାରେ କରାଯାଇଛି । ପୁଲିସ ଘଟଣା ଛାନ୍ଭିନ୍ କରୁଥିବା ବେଳେ ଅଭିଯୁକ୍ତ ପତି, ପତ୍ନୀ ଫେରାର ହୋଇଯାଇଛନ୍ତି ।
ପୁଲିସ ସୂଚନା ମୁତାବକ, ଚାଟ୍ରା ଗ୍ରାମର ବାଦଲ ଦାସ ସେଇ ଗ୍ରାମର କାଞ୍ଚନ ଦାସଙ୍କ ନାମରେ ଏକ ଗ୍ରୁପ୍ ଋଣ କରିଥିଲେ । ଋଣ ଅର୍ଥ ନେବା ସହ ଏହାକୁ ପରିଶୋଧ କରିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଋଣ ନେବା ପରେ ବାଦଲ କିସ୍ତିି ଟଙ୍କା ପୈଠ କରି ନ ଥିଲେ । ଫଳରେ ଋଣ ପ୍ରଦାନ କରିଥିବା ଏକ ଘରୋଇ ସଂସ୍ଥା କିସ୍ତି ଟଙ୍କା ନେବା ପାଇଁ ବାରମ୍ବାର କାଞ୍ଚନଙ୍କ ଘରକୁ ଆସିଥିଲେ । ବାଧ୍ୟ ହୋଇ ନିଜ ଟଙ୍କା ଫେରି ପାଇବା ପାଇଁ କାଞ୍ଚନ ଗତକାଲି ଦିନ ସାଢେ ଏଗାରଟା ବେଳେ ବାଦଲଙ୍କ ଘରକୁ ଯାଇଥିଲେ । ବାଦଲଙ୍କ ଘରେ ପହଞ୍ଚିବା ପରେ ଟଙ୍କା ଫେରି ପାଇବା ଉପରେ ଜୋର ଦେଇଥିଲେ କାଞ୍ଚନ । ଆଲୋଚନା ଭିତରେ ବାଦଲଙ୍କ ସ୍ତ୍ରୀ ଭାରତୀ ଗ୍ଲାସରେ ସରବତ୍ ପିଇବାକୁ କାଞ୍ଚନଙ୍କୁ ଦେଇଥିଲେ । ସରବତ୍ ପିଇ ସାରିବା ପରେ କାଞ୍ଚନ ଅସୁସ୍ଥ ଅନୁଭବ କରିଥିଲେ । ପରେ ଭାରତୀ ୩୦ ମିନିଟ୍ ପରେ ଟଙ୍କା ନେଇଯିବ ବୋଲି କହି କାଞ୍ଚନଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ କରିଥିଲେ ।
ତେବେ କାଞ୍ଚନ ଘରକୁ ଫେରିବା ବାଟରେ ରାସ୍ତାରେ ବାନ୍ତି କରି ବେହୋସ ହୋଇଯାଇଥିଲେ । ତୁରନ୍ତ କାଞ୍ଚନଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ କାଞ୍ଚନଙ୍କ ଶରୀରରେ ବିଷ ଖେଳିଯାଇଥିବା କୁହାଯାଇଥିଲା । ତେବେ ବିଷର ପ୍ରଭାବ ଅତ୍ୟଧିକ ନାହିଁ । ଡାକ୍ତର ଏହା କହିବା ସହ ଡରିବାର କିଛି କାରଣ ନାହିଁ ବୋଲିି ମଧ୍ୟ କହିଥିଲେ । ଏହା ଶୁଣିବା ପରେ କାଞ୍ଚନଙ୍କ ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ଗତକାଲି ସନ୍ଧ୍ୟାରେ କାଞ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ତୁରନ୍ତ କାଞ୍ଚନଙ୍କୁ କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଫଳରେ କାଞ୍ଚନଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ ହିଁ କଟକ ବଡ଼ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରାତି ୧ଟା ୧୫ରେ କାଞ୍ଚନଙ୍କ ମୃତୁ୍ୟ ଘଟିଥିଲା । ଏସଂକ୍ରାନ୍ତରେ ମୃତ କାଞ୍ଚନଙ୍କ ସ୍ୱାମୀ ହାଡ଼ିବନ୍ଧୁ ଭୋଇ ଜଗତସିଂହପୁର ଥାନାରେ ଆଜି ରାତିରେ ଏତଲା ଦେଇଛନ୍ତି ।
ଏଣେ କାଞ୍ଚନଙ୍କ ମୃତୁ୍ୟ ଖବର ପ୍ରଘଟ ହେବା ପରେ ଆଜି ମଧ୍ୟାହ୍ନରେ ଚାଟ୍ରାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଉତ୍ତ୍ୟକ୍ତ ଲୋକେ ସଂଘବଦ୍ଧ ଭାବେ ବାଦଲଙ୍କ ତେଜରାତି ଦୋକାନର ଜିନିଷପତ୍ର ବାହାରକୁ ଭିଡ଼ି ଆଣି ସେଥିରେ ନିଆଁ ଲଗାଇ ଦେଇଥିଲେ । ଏହାସହ ହାଟ ପୋଲ ନିକଟରେ ଥିବା ବାଦଲଙ୍କ କୁକୁଡା ବିକ୍ରି କେନ୍ଦ୍ରରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଘଟଣାର ଖବର ପାଇ ଟାଉନ୍ ପୁଲିସ ସଦଳବଳେ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ମାତ୍ର ପୁଲିସକୁ ଦେଖି ଲୋକେ ଅଧିକ ଉତ୍ତେଜିତ ହୋଇପଡ଼ି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ଅପରପକ୍ଷେ ସ୍ଥାନୀୟ କିଛି ବାସିନ୍ଦା ଋଣ ଅର୍ଥ ହଡ଼ପ କାରଣରୁ କାଞ୍ଚନ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାସହ କେବଳ କାଞ୍ଚନ ନୁହନ୍ତି ଚାଟ୍ରା ଗ୍ରାମର ୩୦ରୁ ଉଦ୍ଧ୍ୱର୍ ମହିଳାଙ୍କ ଠାରୁ ଋଣ ନେଇ ବାଦଲ ପାଖାପାଖି ୧୦ ଲକ୍ଷ ଟଙ୍କା ହଡ଼ପ୍ କରିଥିବା ଅଭିଯୋଗ ଉଠିଛି । କାଞ୍ଚନ ମଧ୍ୟ ସେମାନଙ୍କ ଭିତରୁ ଜଣେ । ଏହାସହ ସହରରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ କେତେବେଳେ ଏତେ ପରିମାଣର ଋଣ କରାଗଲା ତାହା ମଧ୍ୟ ଜମାକାରୀମାନଙ୍କୁ ଜଣାନାହିଁ । ଏହା ପଛରେ ଉଭୟ ସଂସ୍ଥାର କର୍ମକର୍ତ୍ତା ଓ ବାଦଲଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ସନେ୍ଦହ କରାଯାଉଥିବା କିଛି ଲୋକ ଅଭିଯୋଗ କରିଛନ୍ତି । ଏବେ ବାଦଲ ଫେରାର ଥିବାରୁ ପ୍ରକୃତ ଘଟଣା ସ୍ପଷ୍ଟ ହୋଇପାରୁ ନାହିଁ । ଏହାସହ ଘରୋଇ ସଂସ୍ଥାରୁ ଋଣ ଆଣିବା ପରେ ବାଦଲ କରଜ ସୂତ୍ରରେ ସଂପୃକ୍ତା ମୃତ ମହିଳାଙ୍କ ଠାରୁ ଏସବୁ ନେଇଥିଲେ ନା ଜାଲ କାଗଜପତ୍ର ବଳରେ ଏହି ଗ୍ରାମର ଏକାଧିକ ମହିଳାଙ୍କ ନାମରେ ଋଣ ଉଠାଣ କରାଯାଇଥିଲା ତାହାର ଖୋଳତାଡ଼ ଆରମ୍ଭ କରାଯାଇଥିବା ଥାନାଧିକାରୀ ରଜନୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।
ଏପଟେ ଉତ୍ତେଜନା କିଛିଟା ଥମିଥିଲେ ସୁଦ୍ଧା ବାଦଲଙ୍କ ଘର ସମ୍ମୁଖରେ ମହିଳାଙ୍କ ମୃତଦେହ ରଖାଯାଇ ଋଣ ଅର୍ଥ ଦାବି କରାଯାଇଥିଲା । ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ରହି ହଙ୍ଗାମା କରିଥିବା ନଜରକୁ ଆସିଥିଲା । ପରେ ପୁଲିସର ଅନୁରୋଧକ୍ରମେ ମୃତଦେହକୁ ଦାହ ସଂସ୍କାର ପାଇଁ ନିଆଯାଇଥିଲା । ପୂର୍ବରୁ ଅନ୍ୟ ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଠକେଇ ବିରୋଧରେ ବାଦଲ ସହ କିଛି ଲୋକ ଥାନାରେ ଅଭିଯୋଗ କରିଥିଲେ । ସେତେବେଳେ ସଂପୃକ୍ତ ସଂସ୍ଥାର ଜଣେ ବ୍ୟକ୍ତିଙ୍କୁ କାବୁ କରାଯାଇ ଥାନା ଜିମା ଦିଆଯାଇଥିଲା । ଏବେ ସଂପୃକ୍ତ ବାଦଲ ଅନ୍ୟ ଜମାକାରୀଙ୍କ ନାମରେ ଋଣ କରି ସବୁ ଟଙ୍କା ଚଳୁ କରିଥିବା ସାମ୍ନାକୁ ଆସିଛି । ଅନ୍ୟପଟେ ମହିଳା ଗୋÂୀ ଗଠନ କରାଯାଇ ଏଭଳି ଟଙ୍କା ଆତ୍ମସାତ କରାଯିବା ଘଟଣା ଜିଲ୍ଲାରେ ବଢିବାରେ ଲାଗିଛି । ଏଥିପାଇଁ ଗୋÂୀରେ ସାମିଲ ନିରୀହ ଲୋକଙ୍କୁ ଶିକାର କରାଯାଉଛି । ଏଥିସହ ମହିଳା ସଦସ୍ୟମାନଙ୍କ ଠାରୁ ଟଙ୍କା ନେବା ସମୟରେ ଚଢା ସୁଧ ମିଳିବାର ଲୋଭ ଦେଖାଯାଉଛି । ଏଣେ ଅଧିକ ଲାଭ ଆଶାରେ ଗୋÂୀରେ ସାମିଲ ମହିଳାମାନେ ନିଜ ଋଣ ଟଙ୍କାକୁ ଏଭଳି ଠକଙ୍କୁ ଦେଉଛନ୍ତି । ବାଦଲ ମଧ୍ୟ ମହିଳାମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଅନ୍ୟତ୍ର ସୁଧ ଲଗାଇଥିବା ଚର୍ଚ୍ଚାର ପରିଧିକୁ ଆସିଛି । କିନ୍ତୁ ବାଦଲ ଠାରୁ ଉକ୍ତ ପାଞ୍ଚ ଲକ୍ଷ ଟଙ୍କା ସୁଧ ନେଇଥିବା ବ୍ୟକ୍ତି ଆଉ ଧରାଛୁଆଁ ଦେଉନାହାନ୍ତି । ଫଳରେ ପର ଧନରେ ମଙ୍ଗଳବାର କରିବାକୁ ଚାହିଁଥିବା ବାଦଲ ଫସି ଯାଇଛନ୍ତି । କାଞ୍ଚନଙ୍କ ଭଳି ଅନ୍ୟ ମହିଳାମାନଙ୍କ ଅର୍ଥ ମଧ୍ୟ ବୁଡ଼ିବାକୁ ବସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons