ଋଣ ବୋଝରେ ରାଜ୍ୟକୁ ଡୁବାଇଦେବେ: ବିରୋଧୀ ଦଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟକୁ ଏ ସରକାର ୨୦ ବର୍ଷ ଭିତରେ ଋଣଭାରରେ ଡୁବାଇ ସାରିଲେଣି । ମୁଣ୍ଡପିଛା ଋଣବୋଝ ୨୫ ହଜାର ଟଙ୍କା ଟପିଗଲାଣି । ପଞ୍ଚମ ପାଳିରେ ସବୁ ସଫଳତାର ଶ୍ରେୟ ଯଦି ନବୀନଙ୍କ ଖାତାକୁ ଯାଉଛି, ତେବେ ବିଫଳତାର ଦୋଷ ବି ସେ ମୁଣ୍ଡାନ୍ତୁ ବୋଲି ବିରୋଧୀ ଦଳ କହିଛି ।
ବଜେଟ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ବିଧାୟକ ବିଷ୍ଣୁ ସେଠୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ, ଚଳିତ ବଜେଟ ସଂପୂର୍ଣ୍ଣ ନୈରାଶ୍ୟଜନକ । ସରକାର ଯେତିକି ବିକାଶ କରିବା କଥା କହୁଛନ୍ତି । ତାହା କେବଳ କଗଜ କଲମରେ ଚାଲିଛି । ୫୦ ବର୍ଷ ତଳେ ଓଡ଼ିଶାର ସ୍ଥିତି ଯାହା ଥିଲା । ଆଜି ସେଇଆ ଅଛି । ରାଜ୍ୟର ଋଣ ଭାର ଏକ ଲକ୍ଷ କୋଟି ଟପିଲାଣି । ମୁଣ୍ଡପିଚ୍ଛା ଋଣବୋଝ ୨୫ ହଜାର ଟଙ୍କାରୁ ଅଧିକ ହେଲାଣି । ସରକାରଙ୍କର ଏକମାତ୍ର ବିକାଶ ହେଲା ଋଣବୋଝ । ବଜେଟରେ କିଛି ବି ନୂତନତ୍ୱ ନାହିଁ । କୃଷି ଅଭିବୃଦ୍ଧି କେବଳ କାଗଜପତ୍ରରେ ହୋଇଛି । କୃଷି ବିଶ୍ୱବିଦ୍ୟାଳୟ ୧୦୦ରୁ ଅଧିକ ପ୍ରକାର ଉନ୍ନତ କିସମ ବିହନ ଉଦ୍ଭାବନ କଲାଣି ବୋଲି ସରକାର ହିସାବ ଦେଇଛି । ଏହା କେବଳ ସରକାରଙ୍କ ବାକ୍ଚାତୁରୀ ତଥା ବ୍ୟାକରଣ ଜ୍ଞାନ ଦର୍ଶାଇବାକୁ କହିଛନ୍ତି । ବିଭିନ୍ନ ସରକାର ସମୟରେ ବିକଶିତ ହୋଇଥିବା ବିହନକୁ ନିଜ ସରକାର ଅମଳରେ ହୋଇଛି ବୋଲି ଦର୍ଶାଉଛନ୍ତି ।
ରାଜ୍ୟ ସରକାର ୧ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି । ସେଥିରୁ ୭୯ ହଜାର ୭ଶହ ୬୬ କୋଟି ଟଙ୍କା ପ୍ରତ୍ୟକ୍ଷ ଓ ପରୋକ୍ଷରେ କେନ୍ଦ୍ରୀୟ ଅନୁଦାନରୁ ମିଳିବ । ଯଦି କେନ୍ଦ୍ର ଅର୍ଥ ନଦେବ, ବିକାଶ ଠପ୍ ହୋଇଯିବ । ରାଜ୍ୟର ନିଜସ୍ୱ ଆୟ ମାତ୍ର ୪୫ ହଜାର କୋଟି ଟଙ୍କା । ଏଠି ଲୋକ ରୋଜଗାର ନପାଇ ବାହାର ରାଜ୍ୟକୁ କାମ ପାଇଁ ଯାଉଛନ୍ତି । ଆଜି ବି ଦାନ ମାଝୀଙ୍କ ଅଭାବ ନାହିଁ । ଶବ କେଉଁଠି କାନ୍ଧରେ ତ ଆଉ କେଉଁଠି ଟ୍ରଲିରେ ବୁହା ହେଉଛନ୍ତି । ଅନୁକୂଳ ପରିବେଶ ନଥିବାରୁ ଓଡ଼ିଶା ଆସିବାକୁ ଶିଳ୍ପ ସଂସ୍ଥାମାନେ ମଙ୍ଗୁ ନାହାନ୍ତି । ଅନ୍ୟ ପକ୍ଷରେ ଯେଉଁମାନେ ବି ଅଛନ୍ତି, ସେମାନେ ମଧ୍ୟ ତ୍ରାହି ତ୍ରାହି ଡାକୁଛନ୍ତି । ଚଳିତ ବର୍ଷ ଯୋଜନା ବ୍ୟୟ ବୃଦ୍ଧି ହାର କମିଛି । ୨୦୧୮-୧୯ରେ ୭୬ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ବେଳେ ଏଥର ୭୦ ହଜାର ୬୦୮ କୋଟି ରଖାଯାଇଛି । ସରକାର କୃଷି କର୍ମଣ ପୁରସ୍କାର ପାଉଛନ୍ତି । ଏ ପଟେ କିନ୍ତୁ ଆଳୁ କିମ୍ବା ଲଙ୍କା ନୁହେଁ, ଠାକୁର ପୂଜା ପାଇଁ ଫୁଲ ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଛି । କୃଷି ବିଜ୍ଞାନ କେନ୍ଦ୍ରରେ ଗାଈ ଗୋରୁ ରହୁଛନ୍ତି ।
ଏ ସରକାର ଯେଉଁ ରାସ୍ତାରେ ଯାଉଛନ୍ତି ଆଗାମୀ ଦିନରେ ରାଜ୍ୟର ଆର୍ଥିକ ସ୍ଥିତି ଆହୁରି ଶୋଚନୀୟ ହୋଇପଡିବ । ତେଣୁ ଏହି ବଜେଟକୁ ଆମେ ସମର୍ଥନ କରିପାରିବୁନି ।
ସରକାରଙ୍କ ପକ୍ଷରୁ ଆଲୋଚନା ଆରମ୍ଭ କରିଥିଲେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଲେ, ଏକ ବିକଶିତ ରାଜ୍ୟ ପାଇଁ ଋଣ ଅବଶ୍ୟମ୍ଭାବୀ । ସରକାର ଋଣ କରୁ ନାହାନ୍ତି । ଋଣ ସୁଝୁଛନ୍ତି ବି । ଋଣ ନହେଲେ, ବିକାଶ ହୋଇ ପାରିବନି । କିନ୍ତୁ ରାଜ୍ୟ ସରକାର ଋଣ ଓ ଖର୍ଚ୍ଚ କରିବା ପାଇଁ ଯେଉଁ ଲକ୍ଷ୍ମଣ ରେଖା ଟଣା ଯାଇଛି । ତାକୁ ଅତିକ୍ରମ କରି ନାହାନ୍ତି । ନିର୍ଦ୍ଦିଷ୍ଟ ସୀମା ଭିତରେ ଋଣ କରୁଛନ୍ତି, ଖର୍ଚ୍ଚ ବି ।
ଶ୍ରୀ ଶତପଥୀ କହିଲେ, ସବୁବେଳେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପ୍ରତି କେନ୍ଦ୍ର ସରକାର କେବଳ ଯେ ଅବହେଳା କରୁଛି ତାହା ନୁହେଁ । ସଂପୂର୍ଣ୍ଣ ରୂପେ ଅବିଚାର କରି ଚାଲିଛି । ପୂର୍ବରୁ କେନ୍ଦ୍ରୀୟ ମିଳିତ ଯୋଜନା ଗୁଡ଼ିକରେ ୭୫:୨୫ ପ୍ରତିଶତ ହାରରେ ବ୍ୟୟ କରୁଥିଲେ । ଏବେ କେନ୍ଦ୍ର ସରକାର ଏହାକୁ ୬୦:୪୦ ହାରକୁ କମାଇ ଦେଇଛି । ଯେତିକି ସହାୟତା କେନ୍ଦ୍ର ଦେଉଛି, ତାହା ସମୁଦ୍ରକୁ ଶଙ୍ଖେ । ରାଜ୍ୟ ସରକାର କିନ୍ତୁ ଏହି ସୀମିତ ସମ୍ବଳରେ ରାଜ୍ୟର ବିକାଶ ପାଇଁ ନିଜସ୍ୱ ଯୋଜନା ତିଆରି କରି ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି । ସେ ମଧୁବାବୁ ପେନସନ୍ ଯୋଜନା ହେଉ କିମ୍ବା କାଳିଆ ଯୋଜନା । ୫ ଟଙ୍କିଆ ଆହର ହେଉ କି ଟଙ୍କିକିଆ ଚାଉଳ । ହରିଶ୍ଚନ୍ଦ୍ର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏମିତି ଅନେକ ସଫଳ ଯୋଜନା ନବୀନ ସରକାର କରିଛନ୍ତି । ବଜେଟ୍ରେ ପ୍ରତି ବର୍ଷ ସବୁ ବିଭାଗକୁ ଅଧିକ ଅର୍ଥ ବ୍ୟବସ୍ଥା କରିଛି । ତେଣୁ ଏ ବଜେଟ ବିକାଶମୁଖୀ ବଜେଟ ।
କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ କରିଥିଲେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ଆରମ୍ଭରୁ ସରକାରଙ୍କୁ ଆକ୍ରମଣ କରିଥିଲେ । ସୁର କହିଥିଲେ, ଏ ସରକାର ସବୁଥିରେ ବିଫଳ । ଏ ପଟେ କୃଷି ପୁରସ୍କାର କୃଷିମନ୍ତ୍ରୀ ଗୋଟାଉଛନ୍ତି । ସେପଟେ କୃଷକ ଆତ୍ମହତ୍ୟା କରି ମରୁଛନ୍ତି । ଏମିତି ପକ୍କା କାମ କରିଥିଲେ ଯେ ପବନ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଯାଇଛି । କୌଣସି ଗୋଟିଏ ବିଷୟରେ ସରକାର ସଫଳ ହୋଇ ନାହାନ୍ତି । କେବଳ ଲୋକଙ୍କୁ ପଇସା ଦେଇ ଭୋଟ୍ କିଣି ସରକାର ଗଢିବାରେ ସଫଳ ହୋଇଛନ୍ତି । କ୍ରୀଡ଼ାବିତମାନେ ଅତ୍ୟନ୍ତ ଦୁଃଖରେ ଅଛନ୍ତି । ଅଧିକାଂଶ ଜିଲ୍ଲାରେ ଷ୍ଟାଡିୟମ ଅବସ୍ଥା ସାଂଘାତିକ । ଓଡ଼ିଶାର ଗର୍ବ ଗୌରବ ବାରବାଟୀ ଷ୍ଟାଡିୟମ ଅବସ୍ଥା ନକହିଲେ ଭଲ । ଜଙ୍ଗଲ ସମ୍ପଦ ସଂପୂର୍ଣ୍ଣ ଉଜୁଡି ଗଲାଣି । ରାଜଧାନୀ ଉପକଣ୍ଠରେ ଥିବା ଜଙ୍ଗଲ ସଂପୂର୍ଣ୍ଣ ଧ୍ୱଂସ ପାଇଲାଣି । ପାଠପଢା ଚୁଲିକୁ ଗଲାଣି । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ଅବସ୍ଥା ନକହିଲେ ଭଲ । ଏ ସରକାର କେଉଁ ଗୋଟିଏ କାର୍ଯ୍ୟରେ ସଫଳତା ପାଇନାହାନ୍ତି । ତେଣୁ ଏ ବଜେଟକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳ ପକ୍ଷରୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons