
ଚୌଦ୍ୱାର,(ବି.ବି.ନୁ୍ୟଜ): ଚୌଦ୍ୱାର ଥାନା ଅନ୍ତର୍ଗତ ଚାରିବାଟିଆସ୍ଥିତ ବିମାନ ଉଡାଣ ଗବେଷଣା କେନ୍ଦ୍ର (ଏଆର୍ସି) ପରିସରରେ ଆଜି ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି । ୫ ଦିନ ମଧ୍ୟରେ ଏଠାରେ ୨ ଥର ନିଆଁ ଲାଗିଲାଣି । ହେଲେ ନିଆଁ ଲାଗିବାର କାରଣ କିମ୍ବା କ୍ଷୟକ୍ଷତି ଜଣାପଡି ନାହିଁ ।
ଆଜି ଅପରାହ୍ଣରେ ବାଣିପଦା ଗ୍ରାମ ପାଶ୍ୱର୍ରେ ରହିଥିବା ଏଆର୍ସି ପାଚେରି ଭିତରେ ନିଅାଁ କୁହୁଳିବା ଆରମ୍ଭ କରିଥିଲା । ପରେ ନିଆଁ ବଢ଼ି ଚାଲିଥିଲା । ପରିସରରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ନିଅାଁ ଜଳୁଥିବା ଦେଖିବାକୁ ମିଳିଥିଲା । ନିଅାଁ ଜଳିବା ଆରମ୍ଭ ହେବାରୁ ଏଆର୍ସି କର୍ତ୍ତୃପକ୍ଷ ନିଆଁଲିଭା କାର୍ଯ୍ୟରେ ପ୍ରଥମେ ନିଜସ୍ୱ ୩ଟି ଦମକଳକୁ ନିୟୋଜିତ କରିଥିଲେ । ହେଲେ ପରିସ୍ଥିତି ଅଣାୟତ ହେବାରୁ ଚୌଦ୍ୱାର ଓ କଟକ ଚାଉଳିଆଗଞ୍ଜରୁ ୨ଟି ଏହିପରି ୫ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ନିଅାଁ ଏତେ ଭୟଙ୍କର ଥିଲା ଯେ ଅଞ୍ଚଳଟି ସଂପୂର୍ଣ୍ଣ ଧୂଅାଁମୟ ହୋଇଯାଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିଥିଲା ।
ଗତ ଫେବ୍ରୁଆରୀ ୨୭ ତାରିଖରେ ନିଅାଁ ଲାଗିଥିବାବେଳେ ଠିକ୍ ମାସକ ପୂର୍ବରୁ ଅର୍ଥାତ ଜାନୁୟାରୀ ୨୮ ତାରିଖରେ ମଧ୍ୟ ନିଅାଁ ଲାଗି ବ୍ୟାପକ ଅଞ୍ଚଳ ଜଳିଥିଲା ।


Comments are closed, but trackbacks and pingbacks are open.