ଏଓବି ଜୋନାଲ୍ କମାଣ୍ଡର କିଶୋରରେ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଗତ ଗୁରୁବାର ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ନିହତ ମାଓବାଦୀର ପରିଚୟ ମିଳିଛି । ସେ ହେଉଛି ଆନ୍ଧ୍ର-ଓଡିଶା ବର୍ଡର(ଏଓବି) ଜୋନାଲ୍ କମଟି କମାଣ୍ଡର କିଶୋର ଓରଫ ମାଶା କବାସୀ । କିଶୋରର ଘର ଛତିଶଗତ ବସ୍ତର ଜିଲ୍ଲା ଚନ୍ଦାମେଟା ଥାନା ଅଞ୍ଚଳରେ । ପୁଲିସ୍ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ସେ । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସ୍ପି ଋଷିକେଶ ଖିଲାରୀ ଡି । ମୃତ କିଶୋରଙ୍କ ମୁଣ୍ଡରେ ରାଜ୍ୟ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ପୁଲିସ୍ ଏନକାଉଣ୍ଟରରେ ଆହତ ହୋଇଥିବା ଅନ୍ୟ ଜଣେ ମାଓ ସମର୍ଥକକୁ ପୁଲିସ ଗିରଫ କରିଛି । ସେ ହେଉଛି ଯୋଡାମ୍ବ ଅଞ୍ଚଳର ଲକ୍ଷ୍ମଣ ଗୋଲରୀ ବୋଲି ଏସ୍ପି କହିଛନ୍ତି ।
ପୁଲିସ ସୂଚନା ଅନୁସାରେ, ୨୦୦୭ରୁ କିଶୋର ମାଓ ସଙ୍ଗଠନରେ ସାମିଲ ହୋଇଥିଲା । ପରେ ଜଣେ କ୍ୟାଡର୍ ମାଓବାଦୀ ଭାବେ ବିଭିନ୍ନ ହିଂସାରେ ଲିପ୍ତ ରହିଥିଲା । ମୃତ କିଶୋର ପାଖରୁ ଏକେ-୪୭ ରାଇଫଲ, ଗୋଳାବାରୁଦ, ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିଲା । ଲକ୍ଷ୍ମଣ ମଧ୍ୟ ପୁଲିସ୍ ଗୁଳିରେ ଆହତ ହୋଇଥିଲା ।
ସୂଚନାଥାଉକି, ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଜଙ୍ଗଲରେ ମାଓବାଦୀଙ୍କ ଗୁପ୍ତ ବୈଠକ ହେଉଥିବା ଗୁଇନ୍ଦା ବିଭାଗ ସୂଚନା ମିଳିଥିଲା । ସୂଚନାକୁ ଆଧାର କରି ଏସଓଜି ଓ ଡିଭିଏଫ୍ ଯବାନମାନେ ଜଙ୍ଗଲକୁ ଯାଇ କମ୍ବିଂ କରିଥିଲେ । ମାଓବାଦୀମାନେ ପୁଲିସଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ଏହାର ପାଲଟା ଜବାବ୍ ଦେଇଥିଲେ । ଦୀର୍ଘ ୪୦ ମିନିଟ୍ ଧରି ଗୁଳି ବିନିମୟ ଚାଲିଥିଲା । ମାଓବାଦୀମାନେ ଯବାନଙ୍କୁ ସାମନା କରି ନପାରି ଜଙ୍ଗଲ ମଧ୍ୟରେ ଛତ୍ରଭଙ୍ଗ ଦେଇଥିଲେ । ପରେ ସର୍ଚ୍ଚ ଅପରେସନ ବେଳେ କିଶୋରଙ୍କ ମୃତଦେହ ମିଳିଥିଲା । ଜଙ୍ଗଲ ମଧ୍ୟ ମାଓକ୍ୟାମ୍ପରୁ ଗୋଟିଏ ଏକେ ୪୭ ବନ୍ଧୁକ, ୩ଟି ଏକେ ୪୭ ମାଗାଜିନ, ୪୦ ରାଉଣ୍ଡ ଗୁଳି, ଗୋଟିଏ ଇନ୍ସାସ ରାଇଫଲ, ଗୋଟିଏ ବମ୍, ୧୧ଟି ଡିଟୋନେଟର, ୱାକିଟକି ୨ ଟି, ଚାର୍ଜର ୨ ଟି, ଛୁରୀ, ଫୁ୍ୟଜ ତାର, ବିସ୍ଫୋରକ, ଔଷଧ, ମାଓ ପୋଷାକ ଓ ଅନ୍ୟାନ୍ୟ ଜିନିଷ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons