ରାଉରକେଲା: ଏଟିଏମ୍ ମେସିନ୍ର ପାସ୍ୱାର୍ଡକୁ ଚତୁରତାର ସହ ସଂଗ୍ରହ କରି ୪ଟି ବ୍ୟାଙ୍କର ଏଟିଏମ୍ରୁ ୩୪ ଲକ୍ଷ ଟଙ୍କା ହଡ଼ପ କରିବା ଘଟଣାରେ ସେକ୍ଟର-୭ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସେକ୍ଟର-୭ କ୍ୱାର୍ଟର୍ସ ନଂ.ଏ/୧୮୨ରେ ରହୁଥିବା ହରିଶ୍ଚନ୍ଦ୍ର ଦାସ । ସେ ଏଟିଏମ୍ ମେସିନ୍ରେ ଟଙ୍କା ଭର୍ତ୍ତି କରୁଥିବା ଏକ ଘରୋଇ ସଂସ୍ଥାର ଟେକ୍ନିକାଲ କର୍ମଚାରୀ । ଗିରଫ ଅଭିଯୁକ୍ତଙ୍କ ନାମରେ ପୁଲିସ୍ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ରାଇଟର୍ସ ନାମକ ଘରୋଇ ସଂସ୍ଥା ରାଉରକେଲା ସହରରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ୍ ମେସିନ୍ରେ ଟଙ୍କା ଭର୍ତ୍ତି କରିବା ଲାଗି କଣ୍ଟ୍ରାକ୍ଟ ନେଇଛି । ଗିରଫ ହରିଶ୍ଚନ୍ଦ୍ର ଆଉ ଜଣେ କର୍ମଚାରୀଙ୍କ ସହ ମିଶି ଏଟିଏମ୍ ମେସିନ୍ରେ ଟଙ୍କା ଭର୍ତ୍ତି କରିଥାନ୍ତି । ପୁଲିସ୍ ପଞ୍ଝାରେ ପଡ଼ିଥିବା ଅଭିଯୁକ୍ତ ହରିଶ୍ଚନ୍ଦ୍ର କୌଶଳକ୍ରମେ ଏଟିଏମ୍ଗୁଡ଼ିକରୁ ପାସ୍ୱାର୍ଡ ହାସଲ କରି ପର୍ଯ୍ୟାୟ କ୍ରମେ ଦୀର୍ଘ ୧ ବର୍ଷ ହେଲା ସହରର ବିଭିନ୍ନ ଏଟିଏମ୍ରୁ ୩୪ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଏ ନେଇ ସେକ୍ଟର-୧୯, ସେକ୍ଟର-୭ ଓ ଛେଣ୍ଡ ଥାନାରେ ମାମଲା ରୁଜୁ ହୋଇଛି । ଟଙ୍କା ହଡ଼ପ ଘଟଣାକୁ ନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଖୋଳତାଡ଼ କରୁଛି । ଅନ୍ୟପକ୍ଷରେ ଯଦି ଆବଶ୍ୟକ ପଡେ଼, ଗିରଫ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣି ଅଧିକ ଜେରା କରିବ ବୋଲି ପୁଲିସ୍ କହିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.