ଏଟିଏମ୍ ତାଡ଼ି ଲୁଟିନେଲେ ୨୭ ଲକ୍ଷ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ସହରରେ ପୁଣି ମାତିଲେ ଲୁଟେରା । ପୁଲିସ୍ ବ୍ୟବସ୍ଥାକୁ ପରବାୟ ନକରି କରଡ଼ାଗାଡ଼ିଆ ଛକ ସ୍ଥିତ ଏକ ଏଟିଏମ୍ରୁ ଲୁଟପାଟ୍ କରି ବେଧଡ଼କ ଖସିଯାଇଛନ୍ତି । ଶନିବାର ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ର ଆଇରନ୍ ଚେଷ୍ଟ୍କୁ ଗ୍ୟାସ୍ କଟର୍ରେ କାଟି ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ବଡ଼ଧରଣର ଲୁଟପାଟ୍ କେବଳ ଏଟିଏମ୍ର ସୁରକ୍ଷା ବ୍ୟବସ୍ଥା କାହିଁକି ଅନୁଗୁଳ ସହରର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ଏଟିଏମ୍ ଲୁଟ୍ ଜଣାପଡ଼ିବା ପରେ ପୁଲିସ୍ ଛାନ୍ଭିନ୍ ଚଳାଇଛି । ଏସ୍ଡିପିଓ ଅଶ୍ୱିନୀ କୁମାର ସାହୁ, ଆଇଆଇସି ରମେଶ ଚନ୍ଦ୍ର ବିଶୋୟୀ ଆଜି ଦିନତମାମ୍ ଘଟଣା ସ୍ଥଳରେ ରହିବା ସହ ଫରେନ୍ସିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛନ୍ତି ।
ସୂଚନା ମୁତାବକ, କରଡ଼ାଗାଡ଼ିଆ ଛକ ତଥା ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ଏଟିଏମ୍ର ସୁରକ୍ଷା ବ୍ୟବସ୍ଥା ଆରମ୍ଭରୁ ଢିଲା । ଏଠାରେ କୌଣସି ସୁରକ୍ଷାକର୍ମୀ ନଥିବା ବେଳେ ଅଧିକାଂଶ ସମୟରେ ସିସିଟିଭି ଅଚଳ । ପୂର୍ବରୁ ଏକାଧିକ ଥର ଦୁର୍ବୃତ୍ତ ଲୁଟପାଟ୍ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ । ତେବେ ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଶୁକ୍ରବାର ଏଟିଏମ୍ରେ ଟଙ୍କା ଲୋଡ୍ କରାଯାଇଥିଲା । ଟଙ୍କା ମହଜୁଦ୍ ଥିବା ଜାଣି କିଛି ଦୁର୍ବୃତ୍ତ ଶନିବାର ରାତିରେ ଲୁଟପାଟ୍ କରିଥିବା ଜଣାଯାଇଛି । ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭି ଉପରେ କଳା ରଙ୍ଗ ସ୍ପେ୍ର କରି ଦେଇଥିଲେ । ପରେ ଏଟିଏମ୍ର ସଟର୍ ବନ୍ଦ କରି ଗ୍ୟାସ୍ କଟର୍ରେ ଆଇରନ୍ ଚେଷ୍ଟ୍କୁ କାଟି ସମସ୍ତ ଟଙ୍କା ଧରି ଚମ୍ପଟ ମାରିଥିଲେ । ଏଟିଏମ୍ ପରିଚାଳନା ଦାୟିତ୍ୱରେ ଥିବା ଜଣେ ବରିÂ ଅଧିକାରୀଙ୍କ ସୂଚନା ମୁତାବକ, ଏଟିଏମ୍ରୁ ୨୭ ଲକ୍ଷ ୯୦ ହଜାର ଟଙ୍କା ଚୋରି ହୋଇଛି । କେତେ ଟଙ୍କା ଲୋଡ୍ ହୋଇଥିଲା, ତାହା ଜଣାପଡ଼ିନାହିଁ । ଆସନ୍ତାକାଲି ବ୍ୟାଙ୍କ୍ ଖୋଲିବା ପରେ କେତେ ଟଙ୍କା ଲୋଡ୍ ହୋଇଥିଲା ଜଣାପଡ଼ିବ । ତେବେ ଶେଷ ଟ୍ରାଂଜାକସନ୍ ସୁଦ୍ଧା ଏଟିଏମ୍ରେ ୨୭ ଲକ୍ଷ ୯୦ ହଜାର ଟଙ୍କା ରହିଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଠିକାସଂସ୍ଥା ଏସ୍ଆଇଏସ୍ର ଜଣେ କର୍ମଚାରୀଙ୍କ ସୂଚନା ମୁତାବକ, ଶନିବାର ରାତିରେ ଏଟିଏମ୍ ବନ୍ଦ ହେବା ନେଇ ଜଣେ କର୍ମଚାରୀଙ୍କ ପାଖକୁ ମେସେଜ୍ ଆସିଥିଲା । ମାତ୍ର ବିଳମ୍ବିତ ରାତ୍ରି ଯୋଗୁଁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ସକାଳ ୭ଟାରେ ପୁନର୍ବାର କର୍ମଚାରୀଙ୍କ ପାଖକୁ ମେସେଜ୍ ଯାଇଥିଲା । ପୂର୍ବାହ୍ନ ୯ଟାରେ କର୍ମଚାରୀ ଜଣଙ୍କ ଏଟିଏମ୍ କାଉଣ୍ଟରରେ ପହଞ୍ଚିବା ପରେ ସଟର୍ ପଡ଼ିଥିବା ଦେଖିଥିଲେ । ସଟର୍ ଟେକିବା ପରେ ଏଟିଏମ୍ ଲୁଟ୍ ହୋଇଥିବା ଜାଣିଥିଲେ । ଏହି ଖବର ପବନ ବେଗରେ ପ୍ରସାରିତ ହୋଇଥିଲା । ଖବର ପାଇ ଅନୁଗୁଳ ଥାନା ଅଧିକାରୀ ଶ୍ରୀ ବିଶୋୟୀ ଓ ପରେ ଏସ୍ଡିପିଓ ଶ୍ରୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଥିଲେ । ଦିନତମାମ୍ ସେଠାରେ ରହି ଖୋଳତାଡ଼ ଚଳାଇଥିଲେ । ଅପରାହ୍ଣରେ ଫରେନ୍ସିକ୍ ଟିମ୍ ପହଞ୍ଚି ତଦନ୍ତ କରି ଫେରିଛି । ସନ୍ଧ୍ୟା ସୁଦ୍ଧା ପୁଲିସ୍ ଅଭିଯୁକ୍ତଙ୍କ ଟେର୍ ପାଇନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons