ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ପ୍ରକଳ୍ପ ଜମିହରାଙ୍କ ୩୫ ଲକ୍ଷ ଟଙ୍କା ହଡ଼ପ କରି ଗତ ୫ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଏଜେଣ୍ଟକୁ ଅଭୟଚାନ୍ଦପୁର ପୁଲିସ ଗିରଫ କରିଛି । ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି । ତେବେ ଏହି ମାମଲାର ଅଧିକ ଖୋଳତାଡ଼ ପାଇଁ ଏଟି ଚିଟ୍ଫଣ୍ଡ ମାମଲାରେ ଦୀର୍ଘ ଦିନ ହେବ ଜେଲ୍ ଦଣ୍ଡ ଭୋଗୁଥିବା କମ୍ପାନିର ନିଦେ୍ର୍ଧଶକ ପ୍ରଦୀପ ସେଠୀଙ୍କୁ ପାରାଦୀପକୁ ରିମାଣ୍ଡରେ ଆଣିବ ଅଭୟଚାନ୍ଦପୁର ପୁଲିସ । ପାରାଦୀପ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆଜି ଏହି ଘୋଷଣା କରିଛି ।
ଦୀର୍ଘ ଦିନ ପରେ ଆଜି ପୁଣି ଏଟି ଗ୍ରୁପ୍ ଚିଟ୍ ଫଣ୍ଡ ଠକେଇ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ସୂଚନା ମୁତାବକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗ୍ରାମର ପବିତ୍ର ଦାସ ୨୦୧୦ ମସିହା ବେଳକୁ ଏଟି ଗ୍ରୁପ୍ ଚିଟ୍ ଫଣ୍ଡ କମ୍ପାନିର ଜଣେ ଏଜେଣ୍ଟ ଭାବେ କାମ କରୁଥିଲେ । ସେହି ସମୟରେ ରଙ୍ଗିଆଗଡ଼ ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ପାଇଁ ଜମି ଅଧିଗ୍ରହଣ ହେବାରୁ ଗାଁର ଅଧିକାଂଶ ଲୋକ ଜମି ହରାଇ କ୍ଷତିପୂରଣ ଟଙ୍କା ପାଇଲେ । ଯେଉଁ ୧୧ ଜଣ ଟଙ୍କା ପାଇଲେ ସେମାନେ ଅତି ଗରିବ ପରିବାରର ଓ ସେମାନଙ୍କ ପାଇଁ ଏତେ ଗୁଡ଼ାଏ ଟଙ୍କା ଖୁବ୍ ଅଧିକ ଥିଲା । ହେଲେ ଟଙ୍କାକୁ କେଉଁଭଳି ବ୍ୟବହାର କରାଯିବ ଓ କେଉଁଠି ରଖାଯିବ ସେ ବିଷୟରେ ସେମାନଙ୍କର ବିଶେଷ ଧାରଣା ନ ଥିଲା । ସେମାନଙ୍କ ସରଳତାର ସୁଯୋଗ ନେଇ ଅଭିଯୁକ୍ତ ପବିତ୍ର ସେହି ୧୧ ପରିବାର ଲୋକଙ୍କ ସହ ମିଶିଥିଲା ଓ ସେମାନଙ୍କ ଟଙ୍କାକୁ ନେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା, ଟଙ୍କା ରଖିବା କାମରେ ସହଯୋଗ କରି ସେମାନଙ୍କ ବିଶ୍ୱାସ ଜିତିଥିଲା । କିଛି ଦିନ ପରେ ସେହି ଲୋକମାନେ ନିଜ ନିଜ ଆକାଉଣ୍ଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ । ଫଳରେ ସେମାନେ ପବିତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନଥିଲେ । ଏହି ଘଟଣାରେ ପବିତ୍ରଙ୍କୁ ତାଙ୍କ ମାଆ ସାଲିଆ ଦାସ ଓ ଭାଇ ଦିଲ୍ଲୀପ ଦାସ ସହଯୋଗ କରୁଥିଲେ । ହେଲେ ହଠାତ୍ ସେ ତିନିଜଣ ଯାକ ଗାଁ ଛାଡ଼ି କେଉଁଆଡେ଼ ଫେରାର୍ ହୋଇଯାଇଥିଲେ ।
ଏ ନେଇ ପ୍ରଥମେ ଗ୍ରାମର ରବି ବେହେରା ୨୦୧୦ ଜୁନ୍ ୧୦ ତାରିଖରେ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ପରେ ପରେ ଗ୍ରାମର ଛବି ବେହେରା, ନୀର ବେହେରା, ଅଭୟ ବେହେରା, ସହଦେବ ବାରିକ, ତରୁଣ ମଲ୍ଲିକ, ଅକ୍ଷୟ ମଲ୍ଲିକ, ନିମାଇଁ ମଣ୍ଡଳ, ନକୁଳ ଦାସ, ଅନାମ ସେଠୀ, ଗୋପନ ମଲ୍ଲିକ ମଧ୍ୟ ଅଭିଯୋଗ କରିଥିଲେ । ସେମାନଙ୍କଠୁ ପ୍ରାୟ ୩୫ ଲକ୍ଷ ଟଙ୍କା ପବିତ୍ର ଠକିନେଇଥିବା ପୁଲିସ ଜାଣିବାକୁ ପାଇଥିଲା । ସେବେଠୁ ପୁଲିସ ସେ ପରିବାରକୁ ଖୋଜୁଥିଲା । ପବିତ୍ରଙ୍କ ମାଆ ସାଲିଆ ଓ ଭାଇ ଦିଲ୍ଲୀପ ପରବର୍ତ୍ତୀ ସମୟରେ କୋର୍ଟରୁ ଆଗୁଆ ଜାମିନ୍ ପାଇବାକୁ ସକ୍ଷମ ହୋଇଥିଲେ ହେଁ ପବିତ୍ରଙ୍କୁ କୋର୍ଟ ଜାମିନ୍ ଦେବାକୁ ମନା କରିଦେଇଥିଲେ । ସେହିଦିନଠୁ ପବିତ୍ର ଲୁଚି ଲୁଚି ବୁଲୁଥିଲା । ପୁଲିସ ବି ତା’ ଉପରେ ନଜର ରଖୁଥିଲା । ହେଲେ ଗତକାଲି ସେ ଗାଁକୁ ଆସିଥିବା କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାକୁ କାବୁ କରିନେଇଥିଲା । ଆଜି ଟଙ୍କା ଠକେଇ ଓ ଚିଟ୍ ଫଣ୍ଡ କେଳେଙ୍କାରୀ ମାମଲାରେ ପବିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଭୟଚାନ୍ଦପୁର ପୁଲିସ । ଅଭିଯୁକ୍ତ ନେଇଥିବା ଟଙ୍କା କେଉଁଠାରେ ବିନିଯୋଗ କରିଛି ତା’ର ଅଧିକ ତଦନ୍ତ କରିବାକୁ ଗିରଫ ହୋଇ ଜେଲ୍ରେ ଥିବା ଏଟି ଗ୍ରୁପ୍ ମୁଖିଆ ପ୍ରଦୀପ ସେଠୀଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିଛି । କୋର୍ଟଙ୍କ ଅନୁମତି ମିଳିବା ପରେ ଆଗାମୀ ଦିନରେ ପ୍ରଦୀପଙ୍କୁ ପାରାଦୀପ ଅଣାଯାଇ ଆହୁରି ଖୋଳତାଡ଼ କରାଯିବ ବୋଲି ଅତିରିକ୍ତ ଏସ୍ପି ବିଷ୍ଣୁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.