ଏଥର ରେକର୍ଡ କରିବ ଆଳୁ ଉତ୍ପାଦନ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଚଳିତବର୍ଷ କୋରାପୁଟ ଜିଲ୍ଲାରେ ଆଳୁ ଉତ୍ପାଦନ ରେକର୍ଡ କରିବ । ଖରିଫ୍ରେ ୧ ଲକ୍ଷ ୨୫ ହଜାର କୁଇଣ୍ଟାଲ୍ ଉତ୍ପାଦନ ଲାଗି ଆଶା ରହିଛି । ଉତ୍ପାଦିତ ଆଳୁ ପଞ୍ଜାବ ରପ୍ତାନି କରିବାକୁ ବ୍ୟବସାୟୀମାନେ ଏବେଠାରୁ ଚାଷୀଙ୍କ ସହ ଯୋଗାଯୋଗ କରିଛନ୍ତି । କରୋନା ପ୍ରଭାବରେ ଚାଷୀ ବିଭିନ୍ନ ପନିପରିବା ବିକ୍ରିବଟାରେ ସମସ୍ୟାରେ ପଡ଼ିଥିଲେ । ଖରିଫ୍ ଆଳୁ ଚାଷୀଙ୍କୁ ଆଗକୁ ଯିବାର ଆଶା ଦେଖାଇଛି ।
କୋରାପୁଟ ଫାର୍ମର ଆସୋସିଏସନ ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି, ଏବର୍ଷ ବୃଷ୍ଟିପାତ ଆଳୁ ଚାଷ ପାଇଁ ଅନୁକୂଳ ହୋଇଛି । ଫଳରେ ଜିଲ୍ଲାର ୨୫ ଶହ ଏକରରେ ଆଳୁ ଚାଷ ହୋଇପାରିଛି । ଗଛ ମଧ୍ୟ ଭଲ ହୋଇଛି । ଏକର ପିଛା ୫୦ କୁଇଣ୍ଟାଲ୍ ଲେଖାଏଁ ଆଳୁ ଅମଳ ହେବା ଆଶା ଅଛି । ଗତବର୍ଷ ଖରିଫ୍ରେ ଜିଲ୍ଲାରେ ୨ ହଜାର ଏକର ଜମିରେ ଆଳୁ ଚାଷ କରାଯାଇଥିଲା । ଚଳିତବର୍ଷ ଖରିଫ୍ରେ ୨୫ ଶହ ଏକର ଜମିରେ ଆଳୁ ଚାଷ କରାଯାଇଛି । ଜିଲ୍ଲାରେ ଆଳୁଚାଷ ପାଇଁ ଉପଯୁକ୍ତ ଜମି ରହିଥିବା ବେଳେ ଅଧିକାଂଶ ବ୍ଲକରେ ଏହା ଚାଷ ହେଉଛି । ଖରିଫ୍ରେ ସର୍ବାଧିକ ନନ୍ଦପୁର, ପଟ୍ଟାଙ୍ଗି, ସେମିଳିଗୁଡ଼ା, ଲମତାପୁଟ, ଦଶମନ୍ତପୁର ଏବଂ ଲକ୍ଷ୍ମୀପୁର ବ୍ଲକରେ ଏହି ଚାଷ ହୋଇଛି । ଖରିଫ୍ରେ ଅମଳ ହେଉଥିବା ଆଳୁର ଚାହିଦା ବିହାର, ହରିୟାଣା ପଞ୍ଜାବରେ ଅଧିକ ରହିଛି । ଏସବୁ ରାଜ୍ୟରେ ନୂଆ ଆଳୁ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି । ତେଣୁ ଏଠାକାର ଉତ୍ପାଦିତ ଆଳୁ କିଣିବା ପାଇଁ ପଞ୍ଜାବ ବ୍ୟବସାୟୀମାନେ ଆଗ୍ରହ ଦେଖାଇ ଚାଷୀଙ୍କ ସହ ଯୋଗାଯୋଗ କରିଛନ୍ତି । ଏ ସମ୍ପର୍କରେ କୃଷିବିତ ଉମାକାନ୍ତ ନାୟକ ବର୍ମା କହିଛନ୍ତି, ନିଗିଡା ଜମି ଓ ବାଲିଆ ଦୋରସା ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ । କୋରାପୁଟରେ ଉପଯୁକ୍ତ ଜଳବାୟୁ ଓ ଜମି ରହିଛି । ଜିଲ୍ଲାରେ ଖରିଫ୍ରେ ୫ହଜାର ହେକ୍ଟର ଏବଂ ରବିରେ ୩ହଜାର ହେକ୍ଟର ଜମି ଆଳୁ ଚାଷ ପାଇଁ ରହିଛି । କିନ୍ତୁ ଚାଷୀମାନେ ଗତବର୍ଷ ଖରିଫ୍ରେ ମାତ୍ର ୨ହଜାର ଏକର ଜମିରେ ଚାଷ କରିଥିଲେ । ଗତବର୍ଷ ଚାଷୀମାନେ ଖରିଫ୍ରେ ଭଲ ଲାଭ ପାଇଥିଲେ । ତେଣୁ ଚଳିତ ଖରିଫ୍ରେ ଅଧିକ ଜମିରେ ଆଳୁ ଚାଷ କରାଯାଇଛି । ଅଧିକ ଚାଷ ହୋଇଥିବା ଏବଂ ଜିଲ୍ଲାରେ ହୋଇଥିବା ବୃଷ୍ଟିପାତ ଆଳୁ ଚାଷ ପାଇଁ ଅନୁକୂଳ ଥିବାରୁ ପୂର୍ବବର୍ଷଠାରୁ ଅଧିକ ଅମଳ ଆଶା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons