ଏନକାଉଣ୍ଟରରେ ହାଇଦର ମୃତ

Get real time updates directly on you device, subscribe now.

ବାଲେଶ୍ୱର: ପୁଲିସ ଏନ୍କାଉଣ୍ଟରରେ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟାର ତଥା କୁଖ୍ୟାତ ଅପରାଧୀ ସୁଲେମନ ହାଇଦରର ପ୍ରାଣହାନି ଘଟିଛି । ଶନିବାର ପୁଲିସ ଗାଡ଼ିରେ ତାକୁ କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ବାରିପଦା ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ପରିସ୍ରା କରିବା ଆଳରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପୁଲିସ ଅନୁମତିକ୍ରମେ ସେ ଗାଡ଼ିରୁ ଓହ୍ଲାଇଥିଲା । ମାତ୍ର ପରିସ୍ରା କରିବା ବଦଳରେ ସେ ଖସିଯବାକୁ ଉଦ୍ୟମ କରୁଥିଲା । ଏତିକିବେଳେ ପୁଲିସ ତାକୁ ଗୁଳି କରିଥିଲା ।
ପୁଲିସ କହିବା ଅନୁସାରେ, କୁଖ୍ୟାତ ଅପରାଧୀ ହାଇଦରକୁ ଶନିବାର ଅପରାହ୍ନରେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ସଂପୃକ୍ତ ଗାଡ଼ିରେ ଜଣେ ଇନ୍ପେକ୍ଟର, ଜଣେ ଏସ୍ଆଇଙ୍କ ସମେତ ଏକ ସେକ୍ସନ ପୁଲିସ ଫୋର୍ସ ଥିଲେ । ପ୍ରାୟ ୩ଟା ୨୦ମି. ବେଳେ ସିମୁଳିଆ ନିକଟରେ ପହଞ୍ଚିଥିଲେ । ଏତିକିବେଳେ ହାଇଦର ପରିସ୍ରା କରିବା ପାଇଁ ଯିବାକୁ କହିଥିଲା । ପୁଲିସ ଅନୁମତିକ୍ରମେ ସେ ପୁଲିସ ଗାଡ଼ିରୁ ଓହ୍ଲାଇଥିଲା । ଗାଡ଼ିରୁ ଓହ୍ଲାଇବା ପରେ ପରିସ୍ରା କରିବା ବଦଳରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସ ବାରଣ କରିଥିଲେ ମଧ୍ୟ ସେ ମାନି ନଥିଲା । ଅତି ଦ୍ରୁତ ଗତିରେ ସେ ଦୌଡ଼ିବାକୁ ଲାଗିଥିଲା । ଫଳରେ ବାଧ୍ୟ ହୋଇ ପୁଲିସ ତାକୁ ଏନ୍କାଉଣ୍ଟର କରିଥିଲା । ପୁଲିସ୍ର ୪ଟି ଗୁଳି ହାଇଦରର ବାମ ହାତ, ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅପରାହ୍ନ ସାଢେ଼ ୪ଟାରେ ପୁଲିସ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ତା’ର ମୃତୁ୍ୟ ଘଟିଥିଲା । ତେବେ ହାଇଦରର ମୃତଦେହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ପ୍ରାୟ ୨ ଘଣ୍ଟା ପଡ଼ିରହିଥିଲା । ସନ୍ଧ୍ୟା ପ୍ରାୟ ୬ଟା ୨୪ ମିନିଟ୍ରେ ଏଡିଏମଓ ମୃତୁ୍ୟଞ୍ଜୟ ମିଶ୍ର ତାକୁ ମୃତ ଘୋଷଣା କରିଥିଲେ । ରବିବାର ତା’ର ଶବ ବ୍ୟବଚ୍ଛେଦ ହେବ । ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ଗୃହକୁ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି ।
ତେବେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବାର ୪ ମିନିଟ୍ ପରେ ହାଇଦରର ମୃତୁ୍ୟ ଘଟିଥିବା ମେଡିକାଲର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଥିଲେ । ଅନ୍ୟପଟେ ହାଇଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା । ପରିସ୍ଥିତି ଏମିତି ହୋଇଥିଲା, ସାଧାରଣ ରୋଗୀଙ୍କ ସେବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଭିଡ଼ କମାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଥିଲା ।
ସୂଚନାଯୋଗ୍ୟ, ବିଭିନ୍ନ ଅପରାଧିକ କାର୍ଯ୍ୟରେ ଜଡ଼ିତ ଥିବା ହାଇଦର ପୂର୍ବରୁ ସମ୍ବଲପୁର ଜେଲ୍ରେ ସଜା କାଟୁଥିଲା । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍ ଆଖିରେ ଧୂଳି ଦେଇ ସେ ଫେରାର ହୋଇଯାଇଥିଲା । ପରେ ପୁଲିସ୍ ତାକୁ ହାଇଦ୍ରାବାଦରୁ ଉଦ୍ଧାର କରି ଚୌଦ୍ୱାର ଜେଲ୍ରେ ରଖିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons