ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏନ୍କାଉଣ୍ଟର ପରେ ସିଲୁ ଓ ହରି ରହୁଥିବା ଧଉଳିସ୍ଥିତ ଆପାର୍ଟମେଣ୍ଟରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି ପୁଲିସ । ସେଠାରୁ ବିପୁଳମାତ୍ରାରେ ମଦ ତିଆରି କଞ୍ଚାମାଲ ଓ ୧ ହଜାର ନକଲି ମଦ ବୋତଲ ଜବତ କରିଛି ।
ହରି ଓ ସିଲୁ ଧଉଳିସ୍ଥିତ ବାପୁଜୀ ହାଇଟ୍ସର ଫ୍ଲାଟ୍ ନମ୍ବର ୨୦୮ରେ ରହୁଥିଲେ । ଆଜି ଭୋରୁ ଏମାନଙ୍କୁ ଏନ୍କାଉଣ୍ଟର କରିବା ପରେ ଉକ୍ତ ଫ୍ଲାଟ୍କୁ ଯାଇଥିଲା ପୁଲିସ । ସେଠାରେ ଯାହା ଦେଖିଲା, ପୁଲିସର ଆଖି ତରାଟି ହୋଇଗଲା । ଫ୍ଲାଟ୍ର ଥାକରେ ସଜା ହୋଇ ରଖାଯାଇଥିବା ୧ ହଜାରରୁ ଅଧିକ ମଦ ବୋତଲ ମିଳିଥିଲା । ଏହାଛଡ଼ା ପୁଳା ପୁଳା ମଦ ବୋତଲ ଠିପି, ଲେବେଲ୍, ସ୍ପିରିଟ୍ ଓ ମଦ ତିଆରି କଞ୍ଚାମାଲ ବି ଜବତ କରିଥିଲା । ଏମାନେ ଅନ୍ୟ କିଛି ସହଯୋଗୀଙ୍କ ସହ ମିଶି ଫ୍ଲାଟ୍ ଭିତରେ ନକଲି ମଦ ତିଆରି କରୁଥିଲେ । ବିଭିନ୍ନ ଦାମୀ ମଦ ବ୍ରାଣ୍ଡର ଖାଲି ବୋତଲରେ ନକଲି ମଦ ପୁରାଇ ବାହାରେ ବିକୁଥିଲେ । ଆପାର୍ଟମେଣ୍ଟ ମାଲିକଙ୍କ କହିବା ଅନୁସାରେ, ବାଲେଶ୍ୱର ଅଞ୍ଚଳର ଦେବାଶିଷ ଦାସ ନାମକ ଜଣେ ଯୁବକ ତାଙ୍କଠାରୁ ଫ୍ଲାଟ ଭଡ଼ାରେ ନେବାକୁ ଜୁଲାଇ ୨୨ ତାରିଖରେ ଯୋଗାଯୋଗ କରିଥିଲେ । ଆଡଭାନ୍ସ ଦେବା ବେଳେ ସେଠାରେ କନ୍ସଲଟାନ୍ସି ଅଫିସ୍ କରିବେ ବୋଲି କହିଥିଲେ । ଜୁଲାଇ ୩୦ ତାରିଖରୁ ଏମାନଙ୍କୁ ଫ୍ଲାଟର ଚାବି ଦିଆଯାଇଥିଲା । ସେବେଠୁ ଏଠାରେ ମଦର କାରଖାନା ଚାଲିଥିବା ପୁଲିସ ସନ୍ଦେହ କରୁଛି । ଦେବାଶିଷକୁ ଧରିବାକୁ ପୁଲିସ ଚେଷ୍ଟା ଚଳାଇଛି । ସେ ଧରାପଡିଲେ, ମଦ କାରଖାନା ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି ।
ସେପଟେ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ବାସିନ୍ଦାମାନେ ମଧ୍ୟ ଫ୍ଲାଟ୍ରେ ମଦ କାରଖାନା ଚାଲିଥିବା ସଂପର୍କରେ କିଛି ଜାଣିପାରିନଥିଲେ । ପାଖ ଫ୍ଲାଟ୍ରେ ରହୁଥିବା ଜଣେ ବାସିନ୍ଦାଙ୍କ କହିବା ମୁତାବକ, ଏମାନେ ସବୁବେଳେ ରୁମ୍ ଲକ୍ କରି ରଖୁଥିଲେ । ବେଳେ ବେଳେ ରୁମ୍ ଭିତରୁ ମଦ ଭଳି ଦୁର୍ଗନ୍ଧ ବାହାରେ । ଏନେଇ ପଚାରିଲେ, ରୁମ୍ରେ ସେମାନେ ମଦ ପିଉଥିବା କଥା କହୁଥିଲେ ।
Comments are closed, but trackbacks and pingbacks are open.