ଜଗତସିଂହପୁର,(ବି.ବି.ନ୍ୟୁଜ୍): ଦୀର୍ଘ ଛଅ ବର୍ଷ ପରେ ଜଗତସିଂହପୁରରେ ଗର୍ଜିଛି ପୁଲିସ ବନ୍ଧୁକ । ପୁଲିସ ଏନ୍କାଉଣ୍ଟର୍ରେ କୁଜଙ୍ଗ ପାନପଲ୍ଲୀ ଅଞ୍ଚଳର କୁଖ୍ୟାତ ଅପରାଧୀ ବିକ୍ରମ ପାଲ ଓରଫ ଡନ୍ (୨୮) ଗୁରୁତର ଆହତ ହୋଇଛି । ଡନ୍ର ଦୁଇ ଗୋଡ଼ର ଆଣ୍ଠୁରେ ଗୁଳି ବାଜିଛି । ଗୁଳିମାଡ଼ରେ ଆହତ ହେବା ପରେ ଡନ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ବାଲିତୁଠ-କଙ୍କରଦିଆ ରାସ୍ତାର ବନାପାଟ ଝାଉଁ ଜଙ୍ଗଲ ନିକଟରେ ଡନ୍ ଓ ପୁଲିସ ଟିମ୍ ଭିତରେ ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ ଲୁଚି ଡନ୍ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ଓ ପାଲଟା ଜବାବ ସ୍ୱରୂପ ପୁଲିସ ମଧ୍ୟ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ଦୁଇଟି ଗୁଳି ପେସାଦାର ଅପରାଧୀ ଡନ୍ର ଦୁଇ ଆଣ୍ଠୁରେ ଗଳି ଯାଇଥିଲା । ତେବେ ଡନ୍ ସହିତ ଧସ୍ତାଧସ୍ତି ବେଳେ ଏସ୍ଆଇ ଶୁଭ୍ରଜିତ୍ ଦାସ ଓ ଏପିଆର୍ କନ୍ଷ୍ଟେବଳ ତଥା ସ୍ପେଶାଲ ସ୍କ୍ୱାଡ୍ ସଦସ୍ୟ ଉପେନ୍ଦ୍ର କୁମାର ଦାସ ଆହତ ହୋଇଥିବା ଜଣାପଡ଼ିଛି । ଡନ୍ ସହିତ ଥିବା ତାର ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବାକୁ ପୁଲିସ ତନାଘନା କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ପୁଲିସ ଡନ୍ ପାଖରୁ ଏକ ବନ୍ଧୁକ, ଏକ ରାଉଣ୍ଡ ଗୁଳି ଏବଂ ଏକ ବାଇକ୍ ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ୨୦୦୯ ମସିହାରୁ ଆତଙ୍କରାଜ ଚଳାଇଥିବା ଡନ୍ ବିରୋଧରେ ଜିଲ୍ଲାର ବିଭିନ୍ନ ଥାନାରେ ପାଖାପାଖି ୩୩ଟି ମାମଲା ରହିଛି । ବୋମାମାଡ଼, ଗୁଳିକାଣ୍ଡ, ଦାଦାବଟି ଆଦାୟ, ହତ୍ୟା ଉଦ୍ୟମ ଭଳି ଜଘନ୍ୟ ମାମଲାରେ ସେ ଅନେକ ଥର ଜେଲ୍ ଯାଇ ଜାମିନ୍ରେ ମୁକୁଳିଛି । ଗତ ଜୁନ୍ ୧୩ ତାରିଖରେ ମଧ୍ୟ ଡନ୍ କୌଣସି ଏକ ଅପରାଧରେ ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ରହି ଜାମିନ୍ରେ ଆସିଥିଲା । ତେବେ ଜେଲ୍ରୁ ଫେରିବା ପରେ ଅନୁତାପ କରିବା ବଦଳରେ ସେ ଅଧିକ ରକ୍ତମୁଖା ହୋଇପଡ଼ିଥିଲା । ଏପରିକି ଗତକାଲି ବିଳମ୍ବିତ ରାତିରେ ଡନ୍ ନିଜର ଜଣେ ସହଯୋଗୀ ସହ ଘୋଡ଼ାମରା-ବଉଳାଙ୍ଗ ରାସ୍ତାରେ ଉତ୍ପାତ କରୁଥିବା କୁଜଙ୍ଗ ପୁଲିସକୁ ଖବର ମିଳିଥିଲା । ରାତି ପ୍ରାୟ ସାଢେ ଗୋଟାଏ ସୁଦ୍ଧା ଏହି ସୂଚନା ପାଇ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ୍ ଦାସ, ବିଶ୍ୱାମିତ୍ର କଅଁର, ଏସ୍.କେ ରାଉତ, ଦିଲ୍ଲୀପ ମଲ୍ଳିକ, ସ୍ପେଶାଲ ସ୍କ୍ୱାଡ୍ର ଉପେନ୍ଦ୍ର କୁମାର ଦାସଙ୍କ ସମେତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ôଚଥିଲେ । ତେବେ ପୁଲିସ ଗାଡ଼ି ଆସୁଥିବା ଦେଖି ଅନ୍ୟ ସହଯୋଗୀ ଜଣକ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିବା ବେଳେ ଡନ୍ ଏକ ପଲ୍ସର୍ ବାଇକ୍ରେ ବାଲିତୁଠ-କଙ୍କରଦିଆ ରାସ୍ତା ଅଭିମୁଖେ ଚମ୍ପଟ ମାରିଥିଲା । ମାତ୍ର ପୁଲିସ ଟିମ୍ ଡନ୍ର ପିଛା କରି ବନାପାଟ ଝାଉଁ ଜଙ୍ଗଲ ନିକଟରେ ପହଞ୍ଚି ଯାଇଥିଲେ । ଘଟଣାସ୍ଥଳ ଖାନତଲାସ କରିବା ଭିତରେ ଡନ୍ ଚଳାଉଥିବା ପଲସର ବାଇକ୍ଟି ସେଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ସେଠାରେ ଉଭୟଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହେବା ପରେ ଡନ୍ ଘନ ଅନ୍ଧାରର ସୁଯୋଗ ନେଇ ଝାଉଁ ଜଙ୍ଗଲରେ ଲୁଚି ଯାଇ ପୁଲିସ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା । ମାତ୍ର ଡନ୍ର ଦୁଇଟି ଯାକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ପୁଲିସ ଜିପ୍ରେ ବାଜିଥିଲା । ଏପଟେ ଘନ ଅନ୍ଧାର ଭିତରୁ ଦୁଇ ରାଉଣ୍ଡ ଗୁଳିମାଡ଼ ହେବା ଦେଖି ପୁଲିସ ଟିମ୍ ପାଲଟା ଗୁଳି ଚଳାଇିଥିଲେ । ପୁଲିସ ପକ୍ଷରୁ ପାଖାପାଖି ୫ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା । ଏହା ଭିତରୁ ଦୁଇଟି ଗୁଳି ଡନ୍ର ଦୁଇ ଗୋଡ଼ର ଆଣ୍ଠୁ ଗଣ୍ଠିରେ ବାଜିଥିଲା ।
ଗୁଳିରେ ଆହତ ହେବା ପରେ ଡନ୍କୁ ପୁଲିସ ଟିମ୍ କାବୁ କରି ନେଇଥିଲେ । ଯାଞ୍ଚ ପରେ ତା’ ନିକଟରୁ ଏକ ବନ୍ଧୁକ, ଏକ ରାଉଣ୍ଡ ଗୁଳି ଜବତ କରାଯାଇଥିଲା । ଏହାସହ ଗୁଳି ବିନିମୟ ସ୍ଥାନରୁ ଏକ ଖୋକା ଠାବ କରାଯାଇଥିଲା । ଡନ୍ ଚଳାଉଥିବା ପଲସରଟି ଚୋରା କି ନୁହେଁ ତାହାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି । ଏହି ଚଢ଼ଉରେ ସ୍ପେଶାଲ ସ୍କ୍ୱାଡ଼୍ର ନକିବଉଦ୍ଦିନ୍ ଓ ତରୁଣ କୁମାର ସାହୁ ସାମିଲ ରହି ଅଭିଯୁକ୍ତକୁ ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସୂଚନା ମୁତାବକ, ଗତ ଜୁନ୍ ମାସରେ ଜେଲ୍ରୁ ବାହାରିବା ପରେ ଡନ୍ କିଛି ଦିନ ପାଇଁ କୁଜଙ୍ଗରୁ ଉଭାନ୍ ହୋଇଯାଇଥିଲା । କିନ୍ତୁ ଗତ ପାଞ୍ଚ ଦିନ ହେବ କୁଜଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆତଙ୍କରାଜ ଜାରି ରଖିଥିଲା । କିଛି କାରଣ ନଥାଇ କାହାକୁ ମାରୁଥିଲା ତ ଆଉ କେଉଁଠି ମାଂସ ଦୋକାନରୁ ଜୋର୍ ଜବରଦସ୍ତ ମାଂସ ନେଇ ପଳାଇ ଯାଉଥିଲା । ଏମିତିକି ନିକଟରେ ଏକ କ୍ୟାବିନ୍ରେ ନିଆଁ ଲଗାଇ ଦେଇଥିଲା । ଅବଶ୍ୟ ଏ ସଂପର୍କରେ ଡନ୍ ବିରୋଧରେ କେହି ଲିଖିତ ଅଭିଯୋଗ କରି ନାହାନ୍ତି, ତଥାପି ବିଳମ୍ବିତ ରାତିରେ ସେ ଓ ତାର ସହଯୋଗୀମାନେ ବୁଲାବୁଲି କରୁଥିବା ପୁଲିସ ନିକଟରେ ଖବର ଥିଲା । ବୁଲିବା ଭିତରେ ସେମାନେ ଅପରାଧ ଘଟାଇବା ଯୋଜନାରେ ରହିଥିବା ସନ୍ଦେହ କରାଯାଉଥିଲା । ଉକ୍ତ ସୂଚନା ଉପରେ ପୁଲିସ ଟିମ୍ ତୀକ୍ଷ୍ଣ ନଜର ରଖିଥିଲା । ଡନ୍ର ଉତ୍ପାତରେ କୁଜଙ୍ଗ ଅଞ୍ଚଳ ଥରହର ଅବସ୍ଥାରେ ରହିଥିଲା । ପୂର୍ବରୁ ଏକାଧିକ ମାମଲା ଥିଲେ ସୁଦ୍ଧା ପୁଲିସ ପ୍ରତି ଭୟଶୂନ୍ୟ ହୋଇ ଡନ୍ ଖୋଲାମେଲାରେ ବୁଲୁଥିଲା । ଗତକାଲି ସେ ପୁଲିସ ହାତରେ ପଡ଼ିଥିଲା । ଦୀର୍ଘ ୬ ବର୍ଷ ପରେ ପୁଲିସ ଏନ୍କାଉଣ୍ଟର କରିବାକୁ ସାହସ ଜୁଟାଇଥିଲା । ଡନ୍ କାବୁକୁ ଆସିବା ପରେ ଅଭୟଚାନ୍ଦପୁର, ପାରାଦୀପ ସମେତ କୁଜଙ୍ଗ ପୁଲିସ ନିଜ ନିଜର ପୁରୁଣା କେସ୍ ଫାଇଲ ଖୋଲିବା ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.