ଏନ୍ଟିପିସିରେ କୋଇଲା ସଙ୍କଟ ଜାରି

Get real time updates directly on you device, subscribe now.

କଣିହାଁ,(ବି.ବି.ନ୍ୟୁଜ୍): ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନ୍ଟିପିସିରେ କୋଇଲା ସଙ୍କଟ ବଳବତ୍ତର ରହିଛି । କୋଇଲା ଅଭାବରୁ ୩ଟି ୟୁନିଟ୍ରେ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଅନ୍ୟ ୩ଟି ୟୁନିଟ୍ରେ ସଙ୍କଟ ଘନେଇବା ପୂର୍ବରୁ ଆଂଶିକ ଆଶ୍ୱସ୍ତି ମିଳିଛି । ବାରମ୍ବାର ବୈଠକ କରି ଏନ୍ଟିପିସିର ବରିଷ୍ଠ ଅଧିକାରୀ କୋଇଲା ଯୋଗାଇବାରେ ସଫଳ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଟ୍ରେନ୍ ଯୋଗେ ଓଡ଼ିଶାର ଇବ୍ ଭ୍ୟାଲି, ଝାଡ଼ଖଣ୍ଡର ଇସିଏଲ୍ ଓ ତେଲେଙ୍ଗାନାର ଶିଙ୍ଗରେଣୀରୁ ୯ ହଜାର ଟନ୍ କୋଇଲା ପହଞ୍ଚିଛି । କିନ୍ତୁ ଏହି କୋଇଲା ସମୁଦ୍ରକୁ ଶଙ୍ଖେ ପଣା ସଦୃଶ । ଚାଲୁ ରହିଥିବା ୩ ୟୁନିଟ୍ ବନ୍ଦ ହେବା ପୂର୍ବରୁ ଏନ୍ଟିପିସି ଅଧିକାରୀଙ୍କ ପଦକ୍ଷେପରେ ୧୭ ରାଜ୍ୟ ଅନ୍ଧକାର ହେବାରୁ ଅବଶ୍ୟ ମୁକ୍ତି ପାଇଛନ୍ତି ।
ଭରତପୁର କୋଇଲା ଖଣି ଟ୍ରାଜେଡି ପରଠାରୁ ଲଗାତାର ସପ୍ତମ ଦିନ ପାଇଁ ତାଳଚେର ଇଲାକାର ୧୦ଟି ଯାକ କୋଇଲା ଖଣିରେ ଅଚଳାବସ୍ଥା ଜାରି ରହିଛି । ଆନ୍ଦୋଳନ ଯୋଗୁ ଉଭୟ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍ । ତେଣୁ କଣିହାଁ ଏନ୍ଟିପିସିରେ ସାଂଘାତିକ କୋଇଲା ସଙ୍କଟ ଦେଖାଦେଇଛି । ଆଉ ୩୦ ହଜାର ମେଟ୍ରିକ୍ ଟନ୍ରୁ କମ୍ କୋଇଲା ମହଜୁଦ୍ ଥିବା ବେଳେ ୩ଟି ୟୁନିଟ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସେହିପରି କୋଇଲା ସଙ୍କଟ ଯୋଗୁ ଚାଲୁ ରହିଥିବା ୩ଟି ୟୁନିଟ୍ରେ ୧୫ ହଜାର ମେଗାୱାଟ୍ ବିଦ୍ୟୁତ୍ ପରିବର୍ତ୍ତେ ୧୧ ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ତାଳଚେର ଇଲାକାରୁ କୋଇଲା ଯୋଗାଣ ବନ୍ଦ ଥିବାରୁ ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢି ଯାଇଥିଲା । ତେଣୁ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ ହେବା ପୂର୍ବରୁ କର୍ତ୍ତୃପକ୍ଷ ଘନଘନ ବୈଠକ କରି କୋଇଲା ଆଣିବାରେ ସଫଳ ହୋଇଛନ୍ତି । ଇବ୍ ଭ୍ୟାଲି, ଇସିଏଲ୍ ଓ ଶିଙ୍ଗରେଣୀ ଖଣିରୁ କୋଇଲା ଟ୍ରେନ୍ ଯୋଗେ ପହଞ୍ଚିଛି । ଭାରତୀୟ ରେଳ ବିଭାଗ ସହିତ ଏନ୍ଟିପିସିର ବରିଷ୍ଠ ଅଧିକାରୀଙ୍କ ଉତ୍ତମ ଯୋଗସୂତ୍ରରେ ଏହା ସମ୍ଭବ ହୋଇପାରିଛି ।
ସୂଚନାଯୋଗ୍ୟ, କଣିହାଁ ପ୍ରକଳ୍ପରେ ୩ ହଜାର ମେଗାୱାଟ୍ କ୍ଷମତା ସମ୍ପନ୍ନ ୬ଟି ୟୁନିଟ୍ (ପ୍ରତ୍ୟେକ ୫ ଶହ ମେଗାୱାଟ ବିଶିଷ୍ଟ) ସ୍ଥାପନ ହୋଇଛି । ପୂର୍ଣ୍ଣ କ୍ଷମତାରେ ପ୍ରକଳ୍ପରୁ ଉତ୍ପାଦନ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ ହୋଇଥାଏ । କଣିହାଁ କୋଇଲା ଖଣିରୁ ୨୫/୩୦ହଜାର ଟନ୍ ଓ ତାଳଚେର ଲିଙ୍ଗରାଜ ଖଣିରୁ ୨୫/୩୦ହଜାର ଟନ୍ କୋଇଲା ନିୟମିତ ପ୍ଲାଣ୍ଟ୍କୁ ଯୋଗାଣ ହୋଇଥାଏ । ଭରତପୁର ଖଣିରେ ମାଟି ଅତଡ଼ା ଧସି ଶ୍ରମିକ ମୃତାହତ ହେବା ଘଟଣା ପରଠାରୁ ଏନ୍ଟିପିସିକୁ ଆଦୌ କୋଇଲା ଯୋଗାଣ ହେଉନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons