ନୂଆଦିଲ୍ଲୀ: ଓଡ଼ିଶା, ବିହାର, ନାଗାଲାଣ୍ଡ, ସିକିମ୍, ଅରୁଣାଚଳ ପ୍ରଦେଶ ଓ ମେଘାଳୟ ଭଳି ଚାହିଦା ବହୁଳ ରାଜ୍ୟର ଜିଏସ୍ଟି ଆୟ ଆଶାତୀତ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ତାମିଲନାଡୁ ଶିଳ୍ପଭିତ୍ତିକ ରାଜ୍ୟ ହୋଇଥିଲେ ହେଁ ଏମାନଙ୍କର ଜିଏସ୍ଟି ଆଦାୟରେ ସେଭଳି ଉତ୍ସାହଜନକ ବୃଦ୍ଧି ଦେଖାଦେଇ ନାହିଁ । ଏଥର ଛୋଟ ରାଜ୍ୟ ବଡ଼ ସ୍କୋର କରିଥିବା ଦେଖିବାକୁ ମିଳିଛି ।
ଚଳିତବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ (୪ ମାସ) ହୋଇଥିବା ଜିଏସ୍ଟି ଆୟ ଅଙ୍କରୁ ଏହି ଚିତ୍ର ଦେଖିବାକୁ ମିଳିଛି । ଓଡ଼ିଶା କଥା ଯଦି ଦେଖାଯାଏ, ୨୦୧୮ ଏପ୍ରିଲ-ଜୁଲାଇରେ ରାଜ୍ୟରୁ ପାଖାପାଖି ୭,୬୬୬ କୋଟି ଟଙ୍କା ଜିଏସ୍ଟି ଆୟ ହୋଇଥିଲା । ୨୦୧୯ ସମାନ ଅବଧିରେ ଏହା ୨୦.୮% ବୃଦ୍ଧି ପାଇ ୯,୨୬୪ କୋଟି ଟଙ୍କା ହୋଇଛି । ସେହିଭଳି ଉତ୍ତରାଖଣ୍ଡରେ ଏହା ୧୯.୯% ବଢ଼ି ୩,୬୭୬ କୋଟି ଟଙ୍କା ହୋଇଥିବା ବେଳେ ବିହାରରେ ଏହା ୧୭.୮% ବଢ଼ି ୧୧,୬୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶ ଓ ଆସାମରେ ଜିଏସ୍ଟି ଆୟ ଯଥାକ୍ରମେ ୧୪.୬% ଓ ୧୪.୧% ବୃଦ୍ଧି ପାଇ ୧୪,୦୨୪ କୋଟି ଓ ୬,୧୯୭ କୋଟି ଟଙ୍କାରେ ପହଞ୍ଚିଛି ।
ଅପରପକ୍ଷରେ ୨୦୧୮ ଏପ୍ରିଲ-ଜୁଲାଇରେ ଗୁଜରାଟରେ ଜିଏସ୍ଟି ଆୟ ୨୩,୨୨୧ କୋଟି ଟଙ୍କା ଥିଲା । ୨୦୧୯ ଏପ୍ରିଲ-ଜୁଲାଇରେ ଏହା ମାତ୍ର ୬.୨% ବଢ଼ି ୨୪,୬୬୩ କୋଟି ଟଙ୍କା ହୋଇଛି । ମହାରାଷ୍ଟ୍ରରେ ଏହା ୭.୨ଧ ବଢ଼ି ୫୪,୨୦୮ କୋଟି ଟଙ୍କା ହୋଇଛି, ଯାହା କି ୨୦୧୮ ଅବଧିରେ ୫୦,୫୫୭ କୋଟି ଟଙ୍କା ଥିଲା । ତେଲଙ୍ଗାନାରେ ଏହା ୮.୭% ବଢ଼ି ୧୬,୧୨୧ କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶରେ ୯.୧% ବଢ଼ି ୧୪,୪୮୨ କୋଟି, ତାମିଲନାଡୁରେ ୧୦% ବଢ଼ି ୨୭,୯୫୯ କୋଟି ଏବଂ କର୍ଣ୍ଣାଟକରେ ଏହା ୧୦.୭% ବଢ଼ି ୨୯,୭୮୯ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି । ଏଗୁଡ଼ିକ ଶିଳ୍ପଭିତ୍ତିକ ରାଜ୍ୟ ହୋଇଥିବା ସତ୍ତେ୍ୱ ଏଠାରେ ଜିଏସ୍ଟି ଆଦାୟ ତୁଳନାତ୍ମକ ଭାବେ ବୃଦ୍ଧି ପାଇନାହିଁ ।
ଏହି ସାରଣୀର ଶୀର୍ଷରେ ଉତ୍ତର ପୂର୍ବ ରାଜ୍ୟ ରହିଛନ୍ତି । ନାଗାଲାଣ୍ଡ ସବୁଠୁ ଉପରେ ରହିଛି । ଏହାର ଜିଏସ୍ଟି ଆୟରେ ସର୍ବାଧିକ ୩୯% ବୃଦ୍ଧି ପାଇଥିବା ବେଳେ ଏହା ପଛକୁ ଅରୁଣାଚଳ ପ୍ରଦେଶ (୩୫%), ସିକିମ୍ (୩୨%) ଏବଂ ମେଘାଳୟ ରହିଛନ୍ତି । କିନ୍ତୁ ୨୦୧୯ ଏପ୍ରିଲ-ଜୁଲାଇରେ ଏମାନଙ୍କ ମୋଟ ଜିଏସ୍ଟି ଆୟ ୩୭୦ କୋଟି ଏବଂ ୬୮୦ କୋଟି ଟଙ୍କା ମଧ୍ୟରେ ରହିଛି ।
ଏ ବାବଦରେ ସରକାରୀ ଅଧିକାରୀ କହିଛନ୍ତି, ଚାହିଦା ବହୁଳ ରାଜ୍ୟଗୁଡ଼ିକର ଜିଏସ୍ଟି ଆୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଶିଳ୍ପଭିତ୍ତିକ ରାଜ୍ୟରେ ଜିଏସ୍ଟି ଆୟରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିନାହିଁ । ଏ ନେଇ ଡେଲଏଟ୍ ସଂସ୍ଥାର ଜଣେ ପାର୍ଟନର ଏମ୍ ଏସ୍ ମଣି କହିଛନ୍ତି, ଜିଏସ୍ଟି (ଦ୍ରବ୍ୟ ଓ ସେବା କର) ଆରମ୍ଭ ହେବା ପୂର୍ବରୁ ଚାହିଦା ବହୁଳ ରାଜ୍ୟରେ ଜିଏସ୍ଟି ଆୟ ବଢ଼ିବ ବୋଲି କୁହାଯାଉଥିଲା । ତାହା ହିଁ ପ୍ରମାଣିତ ହେବାରେ ଲାଗିଛି ।
ତଥ୍ୟରୁ ଆହୁରି ଜାଣିବାକୁ ମିଳିଛି ଯେ ୨୦୧୯ ଏପ୍ରିଲ-ଜୁଲାଇରେ ଦେଶର ମୋଟ ଜିଏସ୍ଟି ଆୟ ୩.୫୬ ଲକ୍ଷ କୋଟି ଟଙ୍କା ହୋଇଛି । ଅନ୍ୟ ସବୁ ରାଜ୍ୟରେ ଜିଏସ୍ଟି ଆଦାୟରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହା ୨% କମିଛି । ୨୦୧୮ ଏପ୍ରିଲ-ଜୁଲାଇରେ ରାଜ୍ୟର ଜିଏସ୍ଟି ଆୟ ୧୩,୦୦୦ କୋଟି ଟଙ୍କା ଥିଲା ବେଳେ ଚଳିତବର୍ଷ ଆଲୋଚ୍ୟ ଅବଧିରେ ଏହା ୧୨,୭୦୦ କୋଟି ଟଙ୍କାକୁ ହ୍ରାସ ପାଇଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଚାହିଦା ବହୁଳ ରାଜ୍ୟରେ ଜିଏସ୍ଟି ଆୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅର୍ଥାତ୍ ଅଧିକ ଲୋକସଂଖ୍ୟା ଥିବା ରାଜ୍ୟରେ ଏହା ବଢ଼ିଛି । ଏଭଳି ହେଲେ ହରିୟାନା ଓ ପଞ୍ଜାବ ଭଳି ରାଜ୍ୟରେ ଜିଏସ୍ଟି ଆୟ ବୃଦ୍ଧି ପାଇବା ସୁଯୋଗ ବେଶ୍ କମ୍ । ତା’ଛଡ଼ା ଜିଏସ୍ଟି ପୂର୍ବରୁ ପଞ୍ଜାବରେ କ୍ରୟ ଟିକସ ଓ ଅନ୍ୟ ସେସ୍ ଲାଗୁ ହେଉଥିଲା । ଫଳରେ ଚାହିଦା ଏହାଦ୍ୱାରା ସଂକୁଚିତ ହୋଇଥିବା ଅନୁମାନ କରାଯାଉଛି ।
Comments are closed, but trackbacks and pingbacks are open.