ଏଫ୍ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ:ଭାରତ-ଜାପାନ ସେମି ଫାଇନାଲ୍

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସର ପ୍ରଥମ କ୍ରସ ଓଭର ମ୍ୟାଚ୍ରେ ବିଜୟୀ ହୋଇ ଜାପାନ ସେମି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମି ଫାଇନାଲ୍ ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ । ଆଜି ଜାପାନ ପ୍ରଥମ କ୍ରସଓଭର ମ୍ୟାଚ୍ରେ ୬-୨ ଗୋଲରେ ପୋଲାଣ୍ଡକୁ ପରାଜିତ କରିଥିଲା ।
ଗତ ଏସୀୟ କ୍ରୀଡ଼ାରେ ଜାପାନ ସ୍ୱର୍ଣ୍ଣ ପଦକ ଜିତି ସିଧାସଳଖ ଆଗାମୀ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା । ତେଣୁ ଚଳିତ ଟୁର୍ଣ୍ଣାମେଣ୍ଟ ଜାପାନ ପାଇଁ କୌଣସି ଗୁରୁତ୍ୱ ରଖେ ନାହିଁ । ବରଂ ଦଳ ଚାମ୍ପିଅନ ହୋଇ ବିଶ୍ୱ ମାନ୍ୟତାରେ ନିଜର ରେଟିଂ ପଏଣ୍ଟ ବୃଦ୍ଧି କରାଇବା ଲକ୍ଷ୍ୟରେ ରହିଛି । ସେମି ଫାଇନାଲରେ ଭାରତ ପାଇଁ ଜାପାନ ଏବେ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି ।
ଏସୀୟ କ୍ରୀଡ଼ା ସେମି ଭାରତ ଓ ମାଲେସିଆ ସେମି ଫାଇନାଲ୍ ଖେଳିଥିଲେ । ଏହି ମ୍ୟାଚ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ଅମୀମାଂସିତ ରହିଥିଲା । ଫଳରେ ସୁଟ ଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଏଥିରେ ଭାରତ ପରାଜିତ ହୋଇ ଫାଇନାଲ୍ ଖେଳିବାକୁ ବଞ୍ଚିତ ହୋଇଥିଲା । ଦ୍ୱିତୀୟ ସେମିରେ ଶକ୍ତିଶାଳୀ ପାକିସ୍ତାନକୁ ପରାଜିତ କରି ଜାପାନ ଫାଇନାଲକୁ ଉନ୍ନୀତ ହୋଇଥିଲା । ଫାଇନାଲ୍ରେ ଦଳ ମାଲେସିଆକୁ ପରାଜିତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ଭାରତ ତୃତୀୟ ସ୍ଥାନ ଅଧିକାର କରିଥିଲା ।
ପୁଣି ଚଳିତ ହକି ସିରିଜ୍ ଫାଇନାଲ୍ସରେ ଯଦି ଜାପାନ ବିପର୍ଯ୍ୟୟ ସୃଷ୍ଟି କରେ ତେବେ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଅଲିମ୍ପିକ୍ସ ଯୋଗ୍ୟତାକୁ ଉନ୍ନୀତ ହେବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ଚାମ୍ପିଅନ ଓ ରନର୍ସଅପ୍ ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହେବେ । ତେଣୁ ଜାପାନ ବିପକ୍ଷ ମୁକାବିଲା ପାଇଁ ଭାରତକୁ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଯଦିଓ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଘରୋଇ ଦଳ ଅପରାଜିତ ରହିଛି ।
ପ୍ରଥମ କ୍ରସଓଭର (ଜାପାନ-ପୋଲାଣ୍ଡ): ଏହି ମ୍ୟାଚ୍ ଏକତରଫା ନଥିଲା । ଜାପାନ ୬-୨ ଗୋଲ୍ରେ ବିଜୟୀ ହୋଇଥିଲେବି ପୋଲାଣ୍ଡ କଡ଼ା ଟକ୍କର ଦେଇଥିଲା । କ୍ୱାର୍ଟର ଆରମ୍ଭରୁ ହିଁ ପୋଲାଣ୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରଥମେ ଗୋଲ ଖାତା ଖୋଲିଥିଲା । ସପ୍ତମ ମିନିଟ୍ରେ ଦଳ ଏହି ଗୋଲ୍ ସ୍କୋର କରିଥିଲା । ଏହି କ୍ୱାର୍ଟର ଶେଷ ସୁଦ୍ଧା ପୋଲାଣ୍ଡ ୧-୦ ଗୋଲରେ ଆଗୁଆ ରହିଥିଲା ।
ଜାପାନ ଦ୍ୱିତୀୟ କ୍ୱାର୍ଟରରେ ୨ଟି ଗୋଲ୍ (୨୦ ଓ ୨୩ ମିନିଟ) ସ୍କୋର କରିଥିଲା । ଦଳ ୨-୧ ରେ ଅଗ୍ରଣୀ ହାସଲ କରିଥିଲା । ମାତ୍ର ପୋଲାଣ୍ଡ ୨୭ତମ ମିନିଟ୍ରେ ଦ୍ୱିତୀୟ ଗୋଲ ସ୍କୋର କରି ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସ୍ଥିତି ୨-୨ କରିଥିଲା ।
ଦ୍ୱିତୀୟାର୍ଦ୍ଧରେ ଜାପାନ ଆକ୍ରମଣକୁ ଅଧିକ ତୀବ୍ର କରିଥିଲା । ତେଣୁ ତୃତୀୟ କ୍ୱାର୍ଟରରେ ୨ଟି (୩୪, ୩୬ ମିନିଟ୍) ଓ ଚତୁର୍ଥ କ୍ୱାର୍ଟରରେ ୨ଟି (୪୭ ଓ ୬୦ ମିନିଟ୍) ଗୋଲ୍ ସ୍କୋର କରି ମ୍ୟାଚ୍ ବିଜୟୀ ହୋଇଥିଲା । ପୋଲାଣ୍ଡ ବହୁ ପ୍ରୟାସ କରି ଆଉ ମ୍ୟାଚ୍ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇ ପାରିନଥିଲା । ଶେଷରେ ଦଳ ୨-୬ ଗୋଲରେ ପରାଜିତ ହୋଇ ସେମି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons