ଏମ୍‌କେସିଜି ମେଡିକାଲର ଲେବର ରୁମରେ ଡାକ୍ତର-ଆଶାକର୍ମୀ ହାତାହାତି,ବକ୍‌ସିସ୍‌ ଟଙ୍କା ନେଇ ଘଟିଲା ବିବାଦ

Get real time updates directly on you device, subscribe now.

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲର ଲେବର ରୁମରେ କାର୍ୟ୍ୟରତ ଡାକ୍ତର ଓ ଆଶାକର୍ମୀ ମଧ୍ୟରେ ହାତାହାତି । ଶୁକ୍ରବାର ଭୋର୍‌ ଏହି ଘଟଣା ଦେଖିବାକୁ ମିଳିଛି । ଜଣେ ଆଶାକର୍ମୀ ଜୁନିୟର ମହିଳା ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯାହକୁ ନେଇ ଲେବର ରୁମରେ କିଛି ସମୟ ରୋଗୀ ସେବା ବନ୍ଦ ହୋଇଥିଲା । ଏପଟେ ଡାକ୍ତର ମଧ୍ୟ ଆଶାକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ଉଠିଛି । ପୁଲିସ ଓ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କ ଉପସ୍ଥିତିରେ ମାମଲା ସମାଧାନ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମାଲୁଦ ପଥରଗୁଞ୍ଜ ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ନେଇ ସେହି ଅଞ୍ଚଳର ଆଶାକର୍ମୀ ଗୁରୁବାର ଏମକେସିଜିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗକୁ ଆସିଥିଲେ । ମହିଳାଙ୍କୁ ଲେବର ରୁମରେ ରଖାଯିବା ପରେ ଶୁକ୍ରବାର ରାତି ୩ଟାରେ ତାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା । ସେହି ସମୟରେ ଆଶାକର୍ମୀ ଲେବର ରୁମରେ ଉପସ୍ଥିତ ଥିଲେ । ଶିଶୁଟି ଜନ୍ମ ହୋଇଥିବାରୁ ଡାକ୍ତର ଓ ନର୍ସଙ୍କ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ବକ୍‌ସିସ୍‌ ଆଣିବାକୁ ସେଠାରେ କାର୍ୟ୍ୟରତ ସିକ୍ୟୁରିଟି ଗାର୍ଡ କୁଆଡ଼େ ସଂପୃକ୍ତ ଆଶାକର୍ମୀଙ୍କୁ କହିଥିଲେ । ତେବେ ଆଶାକର୍ମୀ ଜଣଙ୍କ ଟଙ୍କା ଦେବାକୁ ମନା କରିବାରୁ ସିକ୍ୟୁରିଟିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଲେବର ରୁମ୍‌ରେ କାର୍ୟ୍ୟରତ ଜଣେ ଜୁନିୟର ମହିଳା ଡାକ୍ତର ସେଠାକୁ ଆସି କାହିଁକି ପାଟିତୁଣ୍ଡ କରୁଛ ବୋଲି ପଚାରିଥିଲେ । ପରେ ଡାକ୍ତର ଓ ଆଶାକର୍ମୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଆଶାକର୍ମୀ ଡାକ୍ତରଙ୍କୁ ମାଡ଼ ମାରିଥିବା ବେଳେ ଡାକ୍ତର ମଧ୍ୟ ଆଶାକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେଠାରେ ଉପସ୍ଥିତ ଥିବା କିଛି ରୋଗୀ ସମ୍ପର୍କୀୟ ଏହି ଘଟଣାର ଭିଡିଓ ଏବଂ ଫଟୋ ଉତ୍ତୋଳନ କରିବା ବେଳେ ଡାକ୍ତରମାନେ ସେମାନଙ୍କ ମୋବାଇଲ ଫିଙ୍ଗାପୋପଡା କରିଥିବା ଅଭିଯୋଗ ହୋଇଛି ।
ଘଟଣା ପ୍ରତିବାଦରେ ଲେବର ରୁମରେ କାର୍ୟ୍ୟରତ ଜୁନିୟର ଡାକ୍ତରମାନେ ରୋଗୀସେବା ବନ୍ଦ କରିଥିଲେ । ସଂପୃକ୍ତ ବିଭାଗର ବରିଷ୍ଠ ଡାକ୍ତର ଓ ଏମକେସିଜି ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ବୁଝାଶୁଝା କରିବା ପରେ ରୋଗୀସେବା ସ୍ୱାଭବିକ ହୋଇଥିଲା । ପୁଲିସ ସଂପୃକ୍ତ ଆଶାକର୍ମୀଙ୍କୁ ଆଣି ଫାଣ୍ଡିରେ ଅଟକ ରଖିଥିଲା । ଦିନ ୧୦ ଟା ବେଳେ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ହୋଇଥିଲା । ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଭାରତୀ ମିଶ୍ର ଏବଂ ଫାଣ୍ଡି ଅଧିକାରୀ ଜନ୍ମେଜୟ ମଲିକଙ୍କ ଉପସ୍ଥତିରେ ଆଶାକର୍ମୀ ଜଣଙ୍କ ନିଜ ଭୁଲ ପାଇଁ ଜୁନିୟର ଡାକ୍ତରଙ୍କୁ କ୍ଷମା ମାଗିବା ପରେ ମାମଲା ସମାଧାନ ହୋଇଥିଲା । ଏମ୍‌କେସିଜି ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଶୁକ୍ରବାର ଭୋର୍‌ ୩ଟାରେ ଲେବର୍‌ ରୁମ୍‌ରେ ଜଣେ ଆଶା ଜୁନିୟର ଡାକ୍ତରଙ୍କୁ ଦୁର୍ବ୍ୟହାର କରିଥିଲେ । ଏହି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୁଲିସ ଉପସ୍ଥିତିରେ ସଂପୃକ୍ତ ଆଶାକର୍ମୀ ଡାକ୍ତରଙ୍କୁ କ୍ଷମା ମାଗିଥିଲେ ଏବଂ ଏହାର ସମାଧାନ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons