ଏସ୍ଟିଏଫ୍ ପଞ୍ଝାରେ ପଥର ମାଫିଆ କୈଳାସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ପଞ୍ଝାରେ ପଡିଛନ୍ତି କୁଖ୍ୟାତ ପଥର ଖଣି ମାଫିଆ କୈଳାସ ଚନ୍ଦ୍ର ପରିଜା (୭୧) । ଦୀର୍ଘ ବର୍ଷ ହେବ ସେ ଖୋର୍ଦ୍ଧାରେ ବେଆଇନ ପଥର ଖଣି କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଗତକାଲି ଏସ୍ଟିଏଫ୍ ଟିମ୍ ତାଙ୍କୁ କୋଲକାତାରୁ ଗିରଫ କରି ସେଠାକାର କୋର୍ଟରେ ହାଜର କରିଥିଲା । ଏବେ କୈଳାସ କୋଲକାତା ଆଲିପୁର ଜେଲ୍ରେ ଅଛନ୍ତି । ଆସନ୍ତା ୨୨ ତାରିଖରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯିବ ।
ଏସ୍ଟିଏଫ୍ ଏସ୍ପିଙ୍କ ଠାରୁ ମିଳିଥିବା ସୂଚନା ମୁତବାକ, କୈଳାସ ଖୋର୍ଦ୍ଧାରେ ଥିବା ତାଳଚୁଆ, ତାପଙ୍ଗ ମୁଣ୍ଡିଆରୁ ପଥର ଖୋଳି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଖାଲି ସେତିକି ନୁହେଁ ନିଜର ମଧ୍ୟ ୩ଟି ବେଆଇନ କ୍ରସର ରହିଛି । ତେବେ ମେ’ ମାସରେ ଏସ୍ଟିଏଫ୍ ଖୋର୍ଦ୍ଧାରେ ଚାଲିଥିବା ଖଣି ମାଫିଆଙ୍କ ଗଡ଼ ଭାଙ୍ଗିବାକୁ ଆରମ୍ଭ କରିଥିଲା । ଏସ୍ପି ରାହୁଲ୍ ପିଆର ୨୦ରୁ ଅଧିକ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ଏସ୍ଟିଏଫ୍କୁ ଚକମା ଦେଇ ଫେରାର ହୋଇଗଲେ କୈଳାସ । ଖୋର୍ଦ୍ଧା ଛାଡ଼ି ସିଧା କୋଲକାତା ପଳାଇ ଗଲେ । ବାଲେଶ୍ୱରର ଜଣେ ନେତାଙ୍କ ସମ୍ପର୍କୀୟ ହୋଇଥିବାରୁ କୋଲକାତାରେ ତାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା । ୩ ଦିନ ତଳେ ଏସ୍ପି ରାହୁଲ୍ ପିଆର ଜାଣିବାକୁ ପାଇଥିଲେ କୈଳାସ କୋଲକାତାରେ ଲୁଚିଛନ୍ତି ।
ଏହାପରେ ଶ୍ରୀ ପିଆରଙ୍କ ନିର୍ଦ୍ଦେଶରେ ଏକ ଟିମ୍ କୋଲକାତା ଆଲିପୁର ଯାଇ ତାଙ୍କୁ ଗିରଫ କରିଥିଲେ । ତା’ ପରେ କୈଳାସଙ୍କୁ ଆଲିପୁର ଏସିଇଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ଓଡ଼ିଶା ଆଣିବାକୁ ଯୋଜନା କରିଥିଲା ପୁଲିସ୍ । ଏହି ସମୟରେ ସ୍ୱାସ୍ଥ୍ୟଗତ କାରଣ ଦେଖାଇ କୈଳାସଙ୍କ ଓକିଲ ଏସିଇଜେଏମ୍ କୋର୍ଟ ନିକଟରେ କିଛି କାଗଜପତ୍ର ଦାଖଲ କରିଥିଲେ । ଫଳରେ ଏସିଇଜେଏମ୍ କୋର୍ଟର ବିଚାରପତି ତାଙ୍କୁ ଏସ୍ଟିଏଫ୍ ହାତରେ ଛାଡି ନଥିଲେ । ତାଙ୍କୁ ଅଲିପୁର ଜେଲ୍କୁ ପଠାଇ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ତାଙ୍କୁ ଖୋର୍ଦ୍ଧା ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । କୈଳାସଙ୍କୁ ଧରିବା ପାଇଁ ଇନ୍ସପେକ୍ଟର ଆଲୋକ ଜେନା ଓ ଅନ୍ୟ ୩ ଜଣ କୋଲକାତା ଯାଇଥିଲେ । କୈଲାସଙ୍କୁ ଓଡ଼ିଶା ଆଣିବା ପରେ ତାଙ୍କୁ ଏସ୍ଟିଏଫ୍ ରିମାଣ୍ଡରେ ନେବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons