ଖୋର୍ଦ୍ଧା,(ବି.ବି.ନ୍ୟୁଜ୍): ପାନ ଓ ପରିବା ଦୋକାନରୁ କୋଟିପତି । ସରକାରୀ ଜମି ଉପରେ କୋଟି କୋଟି ଟଙ୍କା ବ୍ୟୟରେ ବିଳାସପୂର୍ଣ୍ଣ ଘର । ଘରେ ନାନା ପ୍ରକାର ଦାମୀ ଆସବାବପତ୍ର । ଏତେ ଟଙ୍କା କେଉଁଠୁ ଆଣୁଥିଲା ଡ୍ରଗ୍ସ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା । ବ୍ରାଉନସୁଗର ବିକ୍ରୀ କରି ବିପୁଳ ସମ୍ପତ୍ତିର ମାଲିକ ହୋଇଥିଲା ନା ବେଆଇନ ଖଣି ମାଫିଆଙ୍କ ସହ ସମ୍ପର୍କ ରଖିଥିଲା । ଗତ ପାଞ୍ଚବର୍ଷ ହେବ ପୂର୍ବ ଓଡ଼ିଶାରୁ ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ନୟାଗଡ଼ ଯାଏଁ ନିଶା ସାମାଜ୍ୟ ବିସ୍ତାର କରିଥିବା ବେଳେ ତାକୁ କେଉଁ ରାଜନେତା, ପୁଲିସ ଏବଂ ଅବକାରୀ ବିଭାଗ ଅଧିକାରୀ ସହଯୋଗ କରିଥିଲେ । ଏ ସମ୍ପର୍କରେ ତଥ୍ୟ ଓଗାଳିବ ଛୋଟା । ଆଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଛୋଟାକୁ ୩ ଦିନିଆ ରିମାଣ୍ଡରେ ନେଇଛି ।
ଜେରାବେଳେ ତା’ ଠାରୁ ନିଶା ସାମ୍ରାଜ୍ୟ ସମ୍ପର୍କରେ ପୂରା ତଥ୍ୟ ବାହାର କରିବାକୁ ଏସ୍ଟିଏଫ୍ ଅଧିକାରୀମାନେ ଆଶା ରଖିଛନ୍ତି । ଛୋଟା ଠାରୁ କେଉଁ ପୁଲିସ, ଅବକାରୀ ଅଧିକାରୀମାନେ ଅନୁକମ୍ପା ପାଇଛନ୍ତି ଏବଂ ଆଉ କିଏ ତାର ଅପରାଧୀ ଦୁନିଆରୁ ଫାଇଦା ଉଠାଇଛନ୍ତି ସେସବୁ ଗୁମର ଜେରାବେଳେ ପଦାକୁ ଆସିପାରେ ।
ଗତ କିଛିବର୍ଷ ହେବ ଖୋର୍ଦ୍ଧା ଅଞ୍ଚଳ ବ୍ରାଉନସୁଗର ମାଫିଆଙ୍କ ଆଡ଼ାସ୍ଥଳୀରେ ପରିଣତ ହୋଇଥିଲା । ସେହିପରି ପଥର ମାଫିଆମାନେ ବେଆଇନ ଖଣି ଖାଦାନରୁ କୋଟି କୋଟି ଟଙ୍କାର ମୁନାଫା କମାଉଥିଲେ । ସେମାନଙ୍କୁ ଧରିବାକୁ ଗତ ଏକମାସ ହେବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଖୋର୍ଦ୍ଧା ଅଞ୍ଚଳରେ ଡ଼େରା ପକାଇଥିଲା । ଏହି ସମୟରେ ପୂର୍ବ ଓଡ଼ିଶାରୁ ବ୍ରାଉନସୁଗର ଆଣି ଛୋଟା ବିକ୍ରୀ କରୁଥିବା ତଥ୍ୟ ଏସ୍ଟିଏଫ ଟିମ୍ ସୁରାକ ପାଇଥିଲା । ତେଣୁ ଛୋଟାର କଳାସାମ୍ରାଜ୍ୟ ଧ୍ୱଂସ କରିବାକୁ ସାଧା ପୋଷାକଧାରୀ ଏସ୍ଟିଏଫ ଟିମ୍ ତା’ର ପିଛା ପଡ଼ିଯାଇଥିଲେ । ଏ କଥା ଜାଣିବା ପରେ ଗିରଫ ଭୟରେ ହେଉ କିମ୍ବା ଏନ୍କାଉଣ୍ଟର ଡରରେ ଛୋଟା କୋର୍ଟରେ ଆତ୍ମସମର୍ପଣ କରିବାକୁ ଗତ ୯ ତାରିଖରେ ଯାଇଥିଲା । କିନ୍ତୁ ଏସ୍ଟିଏଫ୍ର ୫ ଜଣିଆ ଟିମ୍ ତାକୁ କୋର୍ଟ ପରିସରରୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କେତେକ ବ୍ୟକ୍ତି ଏସ୍ଟିଏଫ୍କୁ ବିରୋଧ କରିଥିଲେ ।
ବିରୋଧ କରିଥିବା ଲୋକଙ୍କ ମଧ୍ୟରେ ଛୋଟା ଲିଙ୍କ୍ରେ ଥିବା ଜଣେ କୁଜିନେତା ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା । ଉକ୍ତ କୁଜିନେତାଙ୍କ ଛୋଟା ସହିତ ଲିଙ୍କ ଥିବାରୁ ସେ ଆତ୍ମରକ୍ଷା କରିବାକୁ ହେଉ ନଚେତ୍ ଛୋଟା କଳାସାମ୍ରାଜ୍ୟ ଗୁମର ଫିଟିଯିବା ଭୟରେ ଏସ୍ଟିଏଫକୁ ବିରୋଧ କରୁଥିବା କୋର୍ଟ ପରିସରରେ ଆଲୋଚନା ହୋଇଥିଲା । ଏପରିିକି କୋର୍ଟ ଭିତରେ ଛୋଟାକୁ ପୁରାଇବା କ୍ଷେତ୍ରରେ ତାଙ୍କର ବଡ଼ ଭୂମିକା ରହିଥିଲା ।
ଛୋଟା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ ପରେ ବିଚାରପତି ତାକୁ ବିଚାରାଧୀନ ବନ୍ଦୀ ଭାବେ ଖୋର୍ଦ୍ଧା ସବଜେଲ୍କୁ ପଠାଇ ଦେଇଥିଲେ । ଗତକାଲି ଏସ୍ଟିଏଫ୍ ଡିଏସ୍ପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ଛୋଟାକୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏସ୍ଟିଏଫ୍ ଆବେଦନକୁ ଗ୍ରହଣ କରି ଛୋଟାକୁ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।
Comments are closed, but trackbacks and pingbacks are open.