ନୂଆଦିଲ୍ଲୀ: ଘରୋଇ ଅର୍ଥନୀତିରେ ଏବେ ମାନ୍ଦାବସ୍ଥା ଦେଖାଦେଇଥିବା କିଛି ବିଶେଷଜ୍ଞ ଯୁକ୍ତି ବାଢୁଥିବା ବେଳେ ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଦେଶରେ ମାନ୍ଦାବସ୍ଥା ଆଦୌ ନାହିଁ । କେବଳ କେତେକ କ୍ଷେତ୍ରରେ ଚାହିଦା ହ୍ରାସ ପାଇଛି । ଏହି ଚାହିଦା ପୁଣି ବୃଦ୍ଧି ପାଇବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।ରଜନୀଶ କୁମାର ଆହୁରି କହିଛନ୍ତି, ବିଶ୍ୱ ଅର୍ଥନୀତି ସହ ଭାରତ ସଂଶ୍ଳିଷ୍ଟ ରହିଛି । ତେଣୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେଲେ ଭାରତରେ ମଧ୍ୟ ଏହା କିଛି ପରିମାଣରେ ଅନୁଭୂତ ହେବ । କିନ୍ତୁ ସମଗ୍ର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ଯାହା କୁହାଯାଉଛି, ମୁଁ ସେଥିରେ ଏକମତ ନୁହେଁ । ତା’ଛଡ଼ା ଚାହିଦା ବୃଦ୍ଧି ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶୁକ୍ରବାର ୩୨ଟି ପଦକ୍ଷେପ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ ଏବଂ ଟିକସ ବ୍ୟବସ୍ଥାକୁ ନେଇ ଯାହା କିଛି ସମସ୍ୟା ରହିଛି, ତାହା ଏହାଦ୍ୱାରା ସମାଧାନ ହୋଇପାରିବ । ସରକାରଙ୍କ ଏହି ପଦକ୍ଷେପକୁ ମୁଁ ଗୁରୁତ୍ୱପୂର୍ଣ୍ଣ ମନେକରୁଛି ବୋଲି କହିଛନ୍ତି ରଜନୀଶ ।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ଆହୁରି କହିଛନ୍ତି, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବେ ଠିକ୍ ମାର୍ଗରେ ଯାଉଛି । ଋଣ ପ୍ରବାହ ଏବଂ ଲିକ୍ୱିଡିଟି ସ୍ଥିତି ସନ୍ତୁଳିତ ରହିଛି । ଯାହା ବି ସମସ୍ୟା ରହିଛି, ତାହାର ପ୍ରତିକାର କରାଯିବ । ଅର୍ଥମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ଏହି କ୍ଷେତ୍ର ପାଇଁ ସାନି ପଦକ୍ଷେପ ଘୋଷଣା କରିପାରନ୍ତି । ଏସ୍ବିଆଇ ଭଳି ବ୍ୟାଙ୍କଗୁଡ଼ିକର ଲିକ୍ୱିଡିଟି ସ୍ଥିତି ଉତ୍ତମ ରହିଛି । ଗ୍ରାହକ ଚାହିଦାରେ କିଛିଟା ପରିବର୍ତ୍ତନ ଆସିଛି । ଲୋକମାନେ ଏବେ ଆଗ୍ରିଗେଟର୍ ମଡେଲ୍ ଆପଣାଉଛନ୍ତି । ସେମାନେ ଗମନାଗମନ ପାଇଁ ଓଲା, ଉବର ସେବା ଆପଣାଉଛନ୍ତି । ଫଳରେ କାର୍ ମାଲିକାନା ପ୍ରତି ସେମାନେ ବିମୁଖ ହେଉଛନ୍ତି । ବିଶ୍ୱରେ ଏହି ଧାରା ଦେଖିବାକୁ ମିଳିଛି ଏବଂ ଭାରତ ସେଥିରୁ କିଭଳି ଅଲଗା ହେବ ବୋଲି ପ୍ରଶ୍ନ କରିଛନ୍ତି ରଜନୀଶ ।
Comments are closed, but trackbacks and pingbacks are open.