ଏସ୍ସିବିରେ ଜଟିଳ ରୋଗର ଗବେଷଣା ହେବ:ସ୍ୱାସ୍ଥ୍ୟମନ୍ତ୍ରୀ

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ସଠିକ୍ ରୋଗ ନିରୂପଣ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନରେ ଏସ୍ସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ଦେଶର ପ୍ରମୁଖ ଚିକିତ୍ସା ଅନୁଷ୍ଠାନଠାରୁ ଦୁଇ ପାଦ ଆଗକୁ ଯାଇପାରିବ । ଜଟିଳ ରୋଗକୁ ଏସ୍ସିବି ଡାକ୍ତରମାନେ ସହଜରେ ନିରୂପଣ କରି ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାରେ ସକ୍ଷମ ହୋଇପାରିବେ । ଏସବୁ ସମ୍ଭବ କେବଳ ମଲିକୁଲାର୍ ଜେନୋମିକ୍ ଡାଇଗ୍ନୋଷ୍ଟିକ୍ ଆଣ୍ଡ ରିସର୍ଚ୍ଚ ଲାବ୍ରୋଟୋରୀ ସ୍ଥାପନ ଯୋଗୁଁ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏସ୍ସିବିରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଉକ୍ତ ମଲିକୁଲାର୍ ଡାଇଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ଲ୍ୟାବ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ବାୟୋକେମେଷ୍ଟ୍ରି ବିଭାଗ ଅଧୀନରେ ପ୍ରତିଷ୍ଠା ହୋଇଥିବା ଉକ୍ତ ଅତ୍ୟାଧୁନିକ ପରୀକ୍ଷା ମେସିନ୍ ଓ ଲ୍ୟାବ୍ ଦ୍ୱାରା କ୍ୟାନସର ସମେତ ଅନ୍ୟାନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ହେଉଥିବା ଗରିବ ରୋଗୀମାନେ ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ କୌଣସି ରୋଗୀଙ୍କୁ ଟଙ୍କାଟିଏ ମଧ୍ୟ ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ।
ମିଳିଥିବା ସୂଚନାନୁସାରେ, ବିଭିନ୍ନ ଜଟିଳ ରୋଗର ନିରୂପଣ ଓ ରୋଗର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଯେଉଁ ସମସ୍ୟା ସୃଷ୍ଟି ହେଉଥିବାରୁ ଉପଯୁକ୍ତ ଚିକିତ୍ସା ପାଇବାରୁ ରୋଗୀ ବଞ୍ଚିତ ହେଉଥିଲା । ଏହି ଅତ୍ୟାଧୁନିକ ମଲିକୁଲାର୍ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ଦ୍ୱାରା ଜିନ୍ ଷ୍ଟଡି ବା ଡିଏନ୍ଏ ଟେଷ୍ଟ, କ୍ୟାନସର, ମ୍ୟାଲେରିଆ, ଟିବି ଆଦି ଅନ୍ୟାନ୍ୟ ଜଟିଳ ବ୍ୟାଧିକୁ ଏସ୍ସିବି ଡାକ୍ତରଖାନାରେ ସହଜରେ ନିରୂପଣ କରାଯିବା ସମ୍ଭବ ହୋଇପାରିବ । ଉକ୍ତ ଅତ୍ୟାଧୁନିକ ପରୀକ୍ଷା ଉପକରଣ ବ୍ୟବସ୍ଥା ପୂର୍ବରୁ ଆମ ରାଜ୍ୟରେ ନଥିବାରୁ ଜିନ୍ ଷ୍ଟଡି ସମେତ ଅନ୍ୟାନ୍ୟ ଜଟିଳ ରୋଗ ନିରୂପରଣ ପାଇଁ ରୋଗୀଙ୍କ ଶରୀରରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ରାଜ୍ୟ ବାହାର ତଥା ଦେଶ ବାହରକୁ ପଠାଯାଉଥିଲା । ମାତ୍ର ଏସ୍ସିବି ଡାକ୍ତରଖାନାରେ ଉକ୍ତ ମଲିକୁଲାର ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ପ୍ରତିଷ୍ଠା ହେବା ପରେ ଜଟିଳ ରୋଗୀଙ୍କର ରୋଗ ଚିହ୍ନଟ ପାଇଁ ରକ୍ତ, ମାଂସ ଏବଂ ମୂତ୍ର ନମୁନା ଆଦି ପରୀକ୍ଷା ନିମନ୍ତେ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେହିପରି ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା ବାବଦ ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ଉକ୍ତ ମଲିକୁଲାର ଡାଇଗ୍ନୋଷ୍ଟିକ୍ ଦ୍ୱାରା ରୋଗ ଅନୁସାରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ, ଇଞ୍ଜେକସନ ଆଦି ବିଭିନ୍ନ ଆଣ୍ଟିବାୟୋଟିକ୍ ପ୍ରଦାନ କରିବାରେ ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଏସ୍ସିବି ମେଡିକାଲ୍ କଲେଜ୍ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି, ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସି.ବି. କେ. ମହାନ୍ତି, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons