ଏସ୍ସିବିରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଏସ୍ସିବି ମେଡିକାଲ୍ କଲେଜରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଡେଙ୍ଗୁ ଆକ୍ରାନ୍ତ ମହିଳା ଦେବକୀ ବେହେରା (୬୦)ଙ୍କର ଆଜି ସକାଳେ ଡେଙ୍ଗୁଜନିତ କାରଣରୁ ମୃତ୍ୟୁ ଘଟିଛି । ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଗାଁରେ ।
ବାଳକାଟି ଗ୍ରାମର ରବିନ୍ଦ୍ର ବେହେରାଙ୍କ ପତ୍ନୀ ଦେବକୀ ବେହେରା ଜ୍ୱରରେ ଆକ୍ରାନ୍ତ ହୋଇ ଗତ ୨୯ ତାରିଖରେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ । ଦେବକୀଙ୍କ ଜ୍ୱର ଭଲ ନହେବାରୁ ପରିବାର ଲୋକେ ଏସ୍ସିବକୁ ଆଣିଥିଲେ । ତେବେ ଆଡମିସନ୍ ହେଲା ଦିନଠାରୁ ହିଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡେଙ୍ଗୁ ଆଇସିୟୁର ବେଡ୍ ନମ୍ବର ୬ରେ ରହି ସେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ବଦଳରେ ବେଳକୁ ବେଳ ଖରାପ ହୋଇପଡିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସାଢ଼େ ୫ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏସ୍ସିବିରେ ୨୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ୨୪ ଜଣ ରୋଗୀ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ୫ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ସମେତ ୧ ନଂ ୱାର୍ଡ କୂଳସାହି ଗ୍ରାମରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି । ଏଠାରେ ଡେଙ୍ଗୁ ରୋଗରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ । ଏହି ରୋଗୀମାନଙ୍କ ମଧ୍ୟରୁ ୮ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଗୁରୁତର ଅବସ୍ଥାରେ ଦେବକୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ପରେ ଆଜି ବାଳକାଟି ଗାଁରେ ଦେବକୀଙ୍କ ଶବ ସଂସ୍କାର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons