ଐତିହାସିକ ଭୁଲକୁ ଠିକ୍ କରିଛନ୍ତି ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଛି । ଏହି ବର୍ଷକ ଭିତରେ ଅନେକ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା, ଜମ୍ମୁ-କାଶ୍ମୀରରେ ଗତ ୭୦ ବର୍ଷ ଧରି ରହିଥିବା ୩୭୦ ଧାରା ଓ ୩୫-କ ଉଚ୍ଛେଦ କରିବା, ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା, ନାଗରିକତା ସଂଶୋଧନ ଆଇନ ଆଣିବା, ତିନ୍ ତଲାକ ନିଷିଦ୍ଧ କରିବା, ଆତଙ୍କବାଦ ନିରୋଧୀ ଆଇନ କଡାକଡି କରିବା ଓ କୋଭିଡ-୧୯ର ସଫଳ ମୁକାବିଲା କରିବାରେ ମୋଦି ସରକାର ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ସେହିଭଳି ଐତିହାସିକ ରାମ ମନ୍ଦିର ରାୟ ମଧ୍ୟ ଶହ ଶହ ବର୍ଷ ଧରି ଲାଗି ରହିଥିବା ବିବାଦ ତୁଟାଇ ପାରିଛି । ସେହିଭଳି କରୋନା (କୋଭିଡ-୧୯) ମହାମାରୀର ସଫଳ ମୁକାବିଲା ଏବଂ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲାଗି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କରିବା ମୋଦି ସରକାରଙ୍କ ଅନ୍ୟ ଏକ ବଡ ପଦକ୍ଷେପ ।
ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦେଶବାସୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସରକାର ଏହି ୧ ବର୍ଷ ଭିତରେ ଐତିହାସିକ କୃତିତ୍ୱ ହାସଲ କରିଥିବା କହିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଯେ ଗତ ୬ ବର୍ଷ ଭିତରେ ମୋଦି ସରକାର ଅନେକ ଐତିହାସିକ ଭୁଲକୁ ଠିକ୍ କରିଛନ୍ତି । ତା ସହିତ ଦେଶକୁ ପ୍ରଗତିପଥରେ ଆଗେଇ ନେବା ଲାଗି ଆତ୍ମନିର୍ଭରତାର ମୂଳଦୂଆ ପକାଇଛନ୍ତି । ଏହି ସମୟ ଭିତରେ ଉଭୟ ଗରିବ ଲୋକଙ୍କ କଲ୍ୟାଣ ଓ ଦେଶରେ ଆର୍ଥିକ ସଂସ୍କାର ମଧ୍ୟରେ ସମନ୍ୱୟ ରଖି ସରକାର କାର୍ଯ୍ୟ କରିଛନ୍ତି । ଗତ ୬ ବର୍ଷ ଭିତରେ ଦଳର ସଫଳତା ସମ୍ପର୍କରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇଥିବାରୁ ଶାହ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସଫଳତାରେ ପରିପୂର୍ଣ୍ଣ । ଏହି ସମୟରେ ସରକାର ବଡ ନିଷ୍ପତ୍ତି ନେଇ ଦେଶର ଛବିକୁ ବଦଳାଇ ପାରିଛନ୍ତି । ବହୁ ବର୍ଷ ଧରି ଅପେକ୍ଷା ଥିବା ବଡ ବଡ ନିଷ୍ପତ୍ତି ମୋଦି ସରକାର ନେଇପାରିଛନ୍ତି । ନାଗରିକତା ସଂଶୋଧନ ଆଇନ, ଧାରା ୩୭୦ ଉଚ୍ଛେଦ ଓ ଅଯୋଧ୍ୟା ରାୟ ତାହାର ଉଦାହରଣ । ମୋଦି ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁ ଦେଶର ଗଣତନ୍ତ୍ରକୁ ନୂଆ ଦିଗ୍ଦର୍ଶନ ଦେଇଛନ୍ତି । ଟିମ୍ ଇଣ୍ଡିଆର ମନୋଭାବ ନେଇ ସେ କାର୍ଯ୍ୟ କରିଛନ୍ତି । ତାଙ୍କର ପ୍ରତିଟି ନିଷ୍ପତ୍ତିରେ ଲୋକଙ୍କ କଲ୍ୟାଣ ଓ ଦେଶର ସ୍ୱାର୍ଥ ଜଡିତ ରହିଛି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପି କର୍ମୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗତକାଲି ଦେଶବାସୀଙ୍କ ଉଦେ୍ଧଶ୍ୟରେ ଏକ ଚିଠି ମାଧ୍ୟମରେ ସନେ୍ଦଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons