ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିଥିବାରୁ ସୁପ୍ରିମକୋର୍ଟ ଆଜି ବରିÂ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ଘୋଷଣା କରିଛନ୍ତି । ତାଙ୍କୁ କି ଦଣ୍ଡ ଦିଆଯିବ, ସେସମ୍ପର୍କରେ ଚଳିତ ମାସ ୨୦ ତାରିଖରେ ଅଦାଲତ ରାୟ ଦେବେ । କୁହାଯାଉଛି କି, ତାଙ୍କୁ ୬ ମାସ ଯାଏଁ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିପାରେ ।
ପ୍ରଶାନ୍ତ ଭୂଷଣ ଜୁନ୍ ୨୭ ଏବଂ ୨୯ରେ ଉପରୋକ୍ତ ଦୁଇଟି ଟ୍ୱିଟ୍ କରିଥିଲେ । ସୁପ୍ରିମକୋର୍ଟ ଜୁଲାଇ ୨୨ରେ ତାଙ୍କୁ ଏଥିପାଇଁ ନୋଟିସ ଜାରି କରିଥିଲେ ଏବଂ ଅଗଷ୍ଟ ୫ରେ ରାୟ ସଂରକ୍ଷିତ ରଖିଥିଲେ । କିନ୍ତୁ ଶୁଣାଣି ବେଳେ ଭୂଷଣ ଯୁକ୍ତି ବାଢିଥିଲେ ଯେ ସେ ବ୍ୟକ୍ତିଗତ ଭାବେ କିଛି ବିଚାରପତିଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଅଭିଯୋଗ କରିଛନ୍ତି । ଏହାଯୋଗୁ ନ୍ୟାୟ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହୋଇନାହିଁ । ସେପରି ଟ୍ୱିଟ୍ କରି ସେ କିଛି ଭୁଲ କରିନାହାନ୍ତି ।
ଗୋଟିଏ ଟ୍ୱିଟ୍ରେ ସେ ଉଲ୍ଲେଖ କରିଥିଲେ ଯେ ଭାରତରେ ଗତ ୬ ବର୍ଷ ଭିତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାନଯାଇ ବି କିପରି ଗଣତନ୍ତ୍ରକୁ ନଷ୍ଟ କରାଯାଇଛି ତାହାର ଯଦି ଭବିଷ୍ୟତରେ ଇତିହାସବିତ୍ମାନେ ସମୀକ୍ଷା କରିବାକୁ ଚେଷ୍ଟା କରିବେ ତାହାହେଲେ ସେମାନେ ନିଶ୍ଚିତ ଭାବେ ଏଥିରେ ସୁପ୍ରିମକୋର୍ଟ ଏବଂ ଶେଷ ୪ ପ୍ରଧାନ ବିଚାରପତିଙ୍କ ସନେ୍ଦହଜନକ ଭୂମିକାକୁ ବିଚାରକୁ ନେବେ । ଦ୍ୱିତୀୟ ଟ୍ୱିଟ୍ରେ ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟକୁ ଲକ୍ଡାଉନ କରି ନାଗରିକମାନଙ୍କୁ ନ୍ୟାୟ ପାଇବାର ମୌଳିକ ଅଧିକାରରୁ ବଞ୍ଚôତ କରୁଥିଲାବେଳେ ନିଜେ ନାଗପୁର ସ୍ଥିତ ରାଜଭବନରେ ବିଜେପି ନେତାଙ୍କ ୫୦ ଲକ୍ଷ ଟଙ୍କିଆ ବାଇକ୍ ଚଢୁଛନ୍ତି, ତାହା ପୁଣି ବିନା ମାସ୍କ ଏବଂ ହେଲମେଟରେ । କିନ୍ତୁ ପରେ ଜଣାପଡିଥିଲା ଯେ ପ୍ରଧାନ ବିଚାରପତି ପ୍ରକୃତରେ ଉକ୍ତ ବାଇକ୍ ଚଳାଉନଥିଲେ । ଗାଡିଟି ସ୍ଥିର ଥିଲାବେଳେ ସେ କେବଳ ତାହା ଉପରେ ବସିଥିଲେ । ଗାଡି ସ୍ଥିର ଥିଲାବେଳେ ହେଲମେଟ୍ ପିନ୍ଧିବା ଦରକାର ହୋଇନଥାଏ । ଏହା ଜାଣିବା ପରେ ଭୂଷଣ କହିଥିଲେ ଯେ ଗାଡି ସ୍ଥିର ଥିଲା ବୋଲି ସେ ଦେଖିପାରିନଥିଲେ ।
ଭୂଷଣଙ୍କ ବିରୋଧରେ ଆଉ ଏକ ଅଦାଲତ ଅବମାନନା ମାମଲାର ବି ଏବେ ବିଚାର ଚାଲିଛି । ସମାନ ଖଣ୍ଡପୀଠ ଉଭୟ ମାମଲାର ଶୁଣାଣି କରୁଛନ୍ତି । ୨୦୦୯ରେ ତେହଲକା ମ୍ୟାଗାଜିନକୁ ସାକ୍ଷାତକାର ଦେଇ ସେ କିଛି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ମତ ଦେଇଥିଲେ । ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାର ସଂଜ୍ଞାନ ନେଇ ତାଙ୍କୁ ନୋଟିସ ଜାରି କରିଥିଲେ । ଚଳିତ ମାସ ୧୦ ତାରିଖରେ ଅଦାଲତ ଏହି ମାମଲାରେ ତାଙ୍କ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟୀକରଣକୁ ଗ୍ରହଣ କରିନଥିଲେ ଏବଂ ତାଙ୍କ ବିରୋଧରେ ମାମଲାର ଶୁଣାଣି କରାଯିବ ବୋଲି ପ୍ରକାଶ କରିଥିଲେ । ଅଗଷ୍ଟ ୧୭ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଧାର୍ଯ୍ୟ ହୋଇଛି ।


Comments are closed, but trackbacks and pingbacks are open.