ଜଗତସିଂହପୁର,(ବି.ବି.ନୁ୍ୟଜ୍): ଭର୍ଚୁଆଲ୍ ରାଲି ମାଧ୍ୟମରେ ତିର୍ତ୍ତୋଲ ଉପନିର୍ବାଚନର ଲଢେ଼ଇ ମଇଦାନ୍କୁ ଆଜି ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଆଶୀର୍ବାଦ କରିବାକୁ ଭୋଟରମାନଙ୍କୁ ନିବେଦନ କରିବା ସହ, ତିର୍ତ୍ତୋଲ ସମେତ ସାରା ଓଡ଼ିଶାରେ ବିକାଶର ଧାରାକୁ ଆଗେଇ ନେବା ପାଇଁ ବିଜେଡିର ହାତମୁଠା ଟାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ବିକାଶ ପାଇଁ ତାଙ୍କ ସରକାର ପ୍ରତଶ୍ରୁତିବଦ୍ଧ ବୋଲି କହିଥିଲେ । ଏଥିସହ ଲୋକଙ୍କୁ କରୋନା ବାବଦରେ ସଚେତନ କରାଇ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରହିବାକୁ ପରାମର୍ଶ ଦେଇଛନ୍ତି । ମିଶନ୍ ଶକ୍ତିରେ ସାମିଲ୍ ମା’ ମାନେ ଅଞ୍ଚଳରେ ଭଲ କାମ କରୁଥିବାରୁ ସେ ବହୁତ ଖୁସି ବୋଲି କହି ଆନନ୍ଦ ପ୍ରକାଶ କରିଛନ୍ତି ।
ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ୍ ରାଲି ପରେ ତିର୍ତ୍ତୋଲ ମାଟିରେ ଡିଜିଟାଲ୍ ପ୍ରଚାର ଆରମ୍ଭ କରିଛି ବିଜେଡି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ୍ ରାଲିରେ ସାମିଲ୍ ହୋଇ ତିର୍ତ୍ତୋଲର ବନ୍ୟା ପ୍ରଭାବିତ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ବନ୍ୟା ନିୟନ୍ତ୍ରଣ ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି । ନିକଟରେ ୨୦୦ କୋଟି ଟଙ୍କାର ଦୁଇଟି ସେତୁର ଶିଳାନ୍ୟାସ କରାଯାଇଥିବା ସଂପର୍କରେ ଉଦାହରଣ ଦେଇ ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କ ରୋଜଗାର ସୁଯୋଗ ସୃଷ୍ଟି ପ୍ରତି ପ୍ରାଧାନ୍ୟ ଦିଆଯାଉଥିବା ସେ ଜଣାଇଥିଲେ । ‘ମୋ ପ୍ରତି ଆପଣମାନଙ୍କର ରହିଥିବା ଭଲ ପାଇବା ବେଶ୍ ଭଲ ଭାବେ ଜାଣିଛି । କିନ୍ତୁ କୋଭିଡ୍ ପରିସ୍ଥିତିରେ ଆପଣମାନଙ୍କ ପାଖକୁ ଯାଇପାରିଲିନି । କିନ୍ତୁ କରୋନା ହଟିଯିବା ପରେ ତିର୍ତ୍ତୋଲ ଯିବି, ବିକାଶ କାମ ପ୍ରତ୍ୟକ୍ଷ ଭାବେ ଦେଖିବି’ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ‘ମିଶନ୍ ଶକ୍ତିର ମା’ ମାନେ ନିଜର ଭଲ କାମ ଜାରି ରଖନ୍ତୁ । ସବୁବେଳେ ମୁଁ ଆପଣମାନଙ୍କ ସହ ରହିଛି । ଅଞ୍ଚଳର ବିକାଶ ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ଦାସ ବହୁତ ଥର ମୋ ନିକଟକୁ ଆସିଛନ୍ତି । ସମସ୍ୟାର ପ୍ରତିକାର ନିମନ୍ତେ ଦାବି ଜଣାଇଛନ୍ତି । ମୁଁ ଅନୁଭବ କରିଛି, ବିଷ୍ଣୁ ବାବୁ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସବୁବେଳେ ସାମିଲ ରହୁଥିବାର । ଆଜି କିନ୍ତୁ ସେ ଆମ ଗହଣରେ ନାହାନ୍ତି, ତଥାପି ପ୍ରାର୍ଥୀ ବିଜୟ ଶଙ୍କର ଦାସ ରହିଯାଇଥିବା ନିଜ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ । ସରକାର ମଧ୍ୟ ବିକାଶ ପାଇଁ ପ୍ରୟାସ ଜାରି ରଖିବେ । ତେଣୁ ବିଜୟ ଶଙ୍କରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜିତାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଭୋଟରମାନଙ୍କୁ ନିବେଦନ କରି ସହଯୋଗ ଲୋଡ଼ିଥିଲେ ।
ବିଜେଡି ସହ ତିର୍ତ୍ତୋଲ ନିର୍ବାଚନମଣ୍ଡଳବାସୀ ସବୁବେଳେ ରହି ଆସିଛନ୍ତି । ମୋ ସରକାର ମଧ୍ୟ ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଗରିବ ଖଟିଖିଆଙ୍କ ଉନ୍ନତି ନିମନ୍ତେ ସଦା ସର୍ବଦା ଚେଷ୍ଟାରତ । ଏବେ ବି ଓଡ଼ିଶାରେ କେହି ଯେମିତି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ନରହିବେ ସେ ଦିଗ ପ୍ରତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହୁଛି । ଏହାଛଡ଼ା ଓଡ଼ିଶାରେ କଳ କାରଖାନା ସୃଷ୍ଟି କରିବାରେ ମୋ ସରକାର ବେଶ ଆଗୁଆ ରହିଛି । ନିଯୁକ୍ତି ସୁଯୋଗ ବି ସେଇ ହାରରେ ସୃଷ୍ଟି ହୋଇଛି । ତେବେ ଓଡ଼ିଶାର ବିକାଶକୁ ଶିଖରକୁ ନେବାକୁ ହେଲେ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିକୁ ସମର୍ଥନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହ ଭୋଟରମାନେ ପ୍ରଥମ ପସନ୍ଦରେ ରଖିବେ ବୋଲି ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ । କରୋନା ହେତୁ ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଭୋଟରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ବ୍ଲକ୍ର କୂଳସାହି, ରେଢୁଆ, ତିର୍ତ୍ତୋଲର କଟରା, କନକପୁର ଏବଂ ବିରିଡ଼ି ବ୍ଲକର ଅଲାଣ୍ଡ ଓ ପୂରଣ ହାଟ ପଡ଼ିଆରେ ଦଳ ପକ୍ଷରୁ ଭର୍ଚୁଆଲ ରାଲିର ଆୟୋଜନ କରାଯାଇଥିଲା । ଅନ୍ଲାଇନ୍ ଜରିଆରେ ବଡ଼ ଏଲଇଡି ପରଦା ଉପରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଶହ ଶହ ସଂଖ୍ୟାରେ କର୍ମୀ, ନେତା, ଜନସାଧାରଣ କରୋନା କଟକଣା ମାନି ଉସôାହର ସହ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଭିତରେ ଅଞ୍ଚଳ ପାଇଁ ରହିଥିବା ତାଙ୍କ ସ୍ନେହୀ ମନୋଭାବକୁ ଅନୁଭବ କରି ଉପସ୍ଥିତ ଶୁଭେଚ୍ଛୁ, ଜନତା, ନେତା କର୍ମୀମାନେ ତାଙ୍କ ଜୟଜୟକାର କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ନିର୍ବାଚନ ପରିଚାଳନା ଲାଗି ତିନି ବ୍ଲକ୍ର ବିଜେଡି ସଙ୍ଗଠନ ଦାୟିତ୍ୱରେ ରହିଥିବା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଅରୁଣ ସାହୁ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ରାଜ୍ୟ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ସମେତ ପଞ୍ଚାୟତସ୍ତରୀୟ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିଥିଲେ । କନକପୁର ଠାରେ ଭର୍ଚୁଆଲ ରାଲି ପୂର୍ବରୁ ଦଳ ପକ୍ଷରୁ ଏକ ସଭା କରାଯାଇଥିଲା । ଏଥିରେ ପାରାଦୀପ ବିଧାୟକ ଶ୍ରୀ ରାଉତରାୟ ଅଞ୍ଚଳର ମା’ ମାନଙ୍କ ଆଶୀର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହୁଛି ବୋଲି କହିଥିଲେ । ପ୍ରାର୍ଥୀ ବିଜୟ ଶଙ୍କରଙ୍କ ବିଜୟ ହେଲେ ତିର୍ତ୍ତୋଲର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆମେ ସବୁ ଉତ୍ତରଦାୟୀ ରହିବୁ ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ, ବିଧାୟକ ଶ୍ରୀ ମୁଦୁଲି ପ୍ରମୁଖ ସଭାସ୍ଥଳରେ ପ୍ରତିଶ୍ରୁତି ଦେଇଥିଲେ ।


Comments are closed, but trackbacks and pingbacks are open.