ଓଡ଼ିଶା-ବଙ୍ଗ ସୀମାନ୍ତ ରାଜପଥରେ ଅବ୍ୟବସ୍ଥା

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ଯଥେଷ୍ଟ ଯତ୍ନବାନ ନୁହନ୍ତି । ଏହାକୁ ସମଗ୍ର ଦେଶ ଅନୁଭବ କରୁଛି । ଏହାର ପ୍ରତ୍ୟକ୍ଷ ପ୍ରଭାବ ଓଡ଼ିଶା ଉପରେ ପଡୁଥିବା ନେଇ ଓଡ଼ିଶା ସରକାର ମର୍ମେ ମର୍ମେ ଅନୁଭବ କରୁଛନ୍ତି । ମାତ୍ର ‘କରୋନା’ର ସାମାନ୍ୟ ଲକ୍ଷଣ ଅନୁଭବ କରୁଥିବା ଓଡ଼ିଆ ଯଦି ନିଜ ଜୀବନ ବିକଳରେ କଲିକତାରୁ ଓଡ଼ିଶାର ନିଜର ପୈତୃକ ଭିଟାମାଟିକୁ ଫେରିବାକୁ ଚାହୁଁଛି, ତେବେ ତାହା ମଧ୍ୟ ସହଜରେ ନୁହେଁ । ପୂର୍ବରୁ ଖୋଲାମେଲା ଥିବା ସୀମାନ୍ତ ତନଖି ଫାଟକରେ ପୁଲିସ ଏବେ ଏଭଳି କଡ଼ାକଡ଼ି ଯେ ପଶ୍ଚିମବଙ୍ଗ ପଟୁ କୌଣସି ଓଡ଼ିଆଙ୍କୁ ପଶିବାକୁ ଦେଉନି । ପଶ୍ଚିମବଙ୍ଗରେ ଚିକିତ୍ସାର ଅବହେଳା, ଓଡ଼ିଶା ଆସିବାକୁ ଚାହିଁଲେ ବି ପୁଲିସ ସେମାନଙ୍କୁ ଛାଡ଼ୁନି । ଏଭଳି ପରିସ୍ଥିତିରେ ପ୍ରବାସୀ ଓଡ଼ିଆ ଲୁଚି କରି ଚୋରଙ୍କ ଭଳି ଆସିବେ, ନହେଲେ ରାସ୍ତା କଡ଼ରେ ଜୀବନ ହାରିବେ । ଏଭଳି ଦୁଇଟି ସଦ୍ୟତମ ଉଦାହରଣ ଗତ ଦୁଇଦିନ ମଧ୍ୟରେ ଘଟିଛି ।
ପ୍ରଥମ ଘଟଣାଟି ଏହିପରି । କଲିକତାର ଏକ ଫ୍ୟାକ୍ଟ୍ରିରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ୬ ଓ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଜଣେ ଯୁବକ ଠିକା ଶ୍ରମିକ ଭାବେ କାମ କରୁଥିଲେ । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ନୁରୁଗାଁ ଗ୍ରାମର ଦର୍ପକିଶୋର ବାରିକ, ଦିଲ୍ଲୀପ କୁମାର ବାରିକ, ଦୀପକ କୁମାର ବାରିକ, ଦୀପକ କୁମାର ପ୍ରଧାନ, ଖଣ୍ଡେଲପଡ଼ାର କାହ୍ନା ମଳିକ ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ଗ୍ରାମର ପ୍ରଶାନ୍ତ ବାରିକ । ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଲିକତାରେ ସ୍ଥାନୀୟ ପ୍ରଶାସନ ନିକଟରେ ଯେତେ ହାରି ଗୁହାରି କଲେବି କେହି ଶୁଣିଲେନି । ଶେଷରେ ଭାବିଲେ ମରିବା ଯଦି ଏଠି କାହିଁକି, ଗାଁରେ ମରିବା । ୭ଜଣ ଯୁବକ ଅନ୍ୟ କୌଣସି ଉପାୟ ନପାଇ ସାଇକଲରେ ନିଜ ନିଜ ଗାଁକୁ ବାହାରିଲେ । ଓଡ଼ିଶା – ପଶ୍ଚିମବଙ୍ଗ ସୀମାନ୍ତରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କୁ ଆକଟ ନକରି ଛାଡ଼ି ଦେଲା । ମାତ୍ର ଓଡ଼ିଶା ପୁଲିସ ନଛୋଡ଼ବନ୍ଧା । ଏହି ପ୍ରବାସୀମାନଙ୍କର ଅଳି ଥିଲା, ଆମକୁ ଓଡ଼ିଶା ଭିତରକୁ ଯିବାକୁ ଦିଅ । ସୀମାନ୍ତରେ ଓଡ଼ିଶାର ଯେକୌଣସି କ୍ୱାରେଣ୍ଟିନ୍ ସେଣ୍ଟରରେ ଆମକୁ ୧୪ ଦିନ ରଖିବାର ବନେ୍ଦାବସ୍ତ କର । ଆମ ସ୍ୱାସ୍ଥ୍ୟ ପରୀକ୍ଷା କର । ଆମ ଦେହ ଭଲ ଲାଗୁନି । ସୀମାନ୍ତରେ ଓଡ଼ିଶା ପୁଲିସ ଓ ପ୍ରଶାସନ ସେମାନଙ୍କ କଥା ଶୁଣିଲେ । ଗୋଟିଏ ଗୋଟିଏ ବିସ୍କୁଟ୍ ପ୍ୟାକେଟ୍ ଦେଇ ଦିନ ତମାମ ବସାଇଲେ । ଶେଷରେ ପୁଲିସ ଭ୍ୟାନରେ ବସାଇ ପଶ୍ଚିମବଙ୍ଗ ଇଲାକା ଭିତରେ ଛାଡ଼ି ଦେଇ ଆସିଲେ । ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଜାତୀୟ ରାଜପଥ ଉପରେ ପାଲଟଣା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଲେ । ଦିନକ ପରେ ପଶ୍ଚିମବଙ୍ଗର ଅଧିକାରୀମାନେ କହିଲେ, ଆମେ ତୁମକୁ ରଖିପାରିବୁନି କି’ ଖାଇବାକୁ ଦେଇପାରିବୁନି । କ୍ୱାରେଣ୍ଟିନ୍ ସେଣ୍ଟରରୁ ତଡ଼ିଦେଲେ । ବାଧ୍ୟହୋଇ ତହିଁ ପରଦିନ ସେମାନେ ସାଇକଲ ଧରି ଓଡ଼ିଶା ସୀମାନ୍ତରେ ପହଞ୍ଚିଲେ । ଏ ସଂପର୍କରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ସମସ୍ତ ଅଧିକାରୀ ଅବଗତ ହେଲେ । ମାତ୍ର ଶେଷରେ ଏଇ ନିଷ୍ପତ୍ତି ଶୁଣାଇଲେ ଯେ ପଶ୍ଚିମବଙ୍ଗରୁ କୌଣସି ଓଡ଼ିଶା ଫେରନ୍ତାଙ୍କୁ ଆମେ ଓଡ଼ିଶା ଭିତରେ ପୂରାଇ ଦେବୁନି । ସେମାନେ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଫେରିଗଲେ ପଶ୍ଚିମବଙ୍ଗ । ୟା’ପରେ ଆଉ ସେମାନଙ୍କ ଖୋଜ୍ ଖବର ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons