ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ରଖିଥିବା କିଛି ବ୍ୟବସ୍ଥାକୁ ନବୀନ ସ୍ୱାଗତ କରିଥିଲା ବେଳେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ନିରାଶ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷ ଓ ଚାଷୀଙ୍କ ପାଇଁ କୃଷି ରେଳ ସହ କୃଷି ଉଡ଼ାନକୁ ସେ ସ୍ୱାଗତ କରିଛନ୍ତି ।
ନିଜ ବଜେଟ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକରେ ପାଣ୍ଠି ଯାହା ଥିଲା ପ୍ରାୟ ସେଇଆ । ଏଥିରେ ବୃଦ୍ଧି କରାଯାଇ ନାହିଁ । କେନ୍ଦ୍ରୀୟ ଟିକସ ଭାଗ ହ୍ରାସକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ବେଗ ଜଣାଇ କହିଛନ୍ତି, ଏ ଟିକସ ଆଦାୟ ୫୯ ହଜାର କୋଟି ହ୍ରାସ ହୋଇଛି । ଏହାଦ୍ୱାରା ଓଡ଼ିଶାର ଭାଗ ପ୍ରାୟ ୩ ହଜାର କୋଟି କମିଯିବ । ସେହିଭଳି ରାଜ୍ୟର କୌଣସି ପ୍ରତ୍ନତାତ୍ତ୍ୱିକ ପର୍ଯ୍ୟଟନସ୍ଥଳୀକୁ ‘ଆଇକନିକ’ ସାଇଟ୍ସ ମାନ୍ୟତା ମିଳିନି କି ବିକାଶ ପାଇଁ ବ୍ୟବସ୍ଥା ହୋଇନି । ଜାତୀୟ ଆଦିବାସୀ ସଂଗ୍ରହାଳୟ ସ୍ଥାପନ ପାଇଁ ଓଡ଼ିଶା ସବୁ ଦୃଷ୍ଟିରୁ ଯୋଗ୍ୟ ହୋଇଥିଲା ବେଳେ ବଂଚିତ ହୋଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପାନୀୟ ଜଳକୁ ଜାତୀୟସ୍ତରରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଦେଶବାସୀଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ ପାଇଁ ୩.୬ ଲକ୍ଷ କୋଟିର ଯୋଜନା ଅନୁମୋଦିତ ହୋଇଥିଲା । ଜାତୀୟସ୍ତରରେ ଏ କ୍ଷେତ୍ରକୁ ମାତ୍ର ୧୧ ହଜାର ୫୦୦ କୋଟିର ପାଣ୍ଠି ବରାଦ ହେଉଛି ସମୁଦ୍ରକୁ ଶଙ୍ଖେ । ନିବେଶକଙ୍କ ଭରସାର ମାପଦଣ୍ଡ ହେଉଛି ସେନସେକ୍ସ । ମାତ୍ର ବଜେଟ ଉପସ୍ଥାପନ ସମୟରେ ସେନସେକ୍ସରେ ୧ ହଜାର ପଏଣ୍ଟ ହ୍ରାସ ପ୍ରମାଣିତ କରୁଛି ଯେ ଅର୍ଥନୀତି ପାଇଁ ଅଧିକ ସଂସ୍କାରମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ନିବେଶକଙ୍କ ଆସ୍ଥା ଜିତିବା ସବୁଠାରୁ ବଡ଼ ଆହ୍ୱାନ । ନୂଆ ନିବେଶ ସହ ଉପରମୁହାଁ ଅଭିବୃଦ୍ଧି ଏବେ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି । ଏହାହେଲେ ଯାଇ ନୂଆ କର୍ମନିଯୁକ୍ତି ସୃଷ୍ଟି ସହ ଯୁବପିଢ଼ିଙ୍କୁ ଜୀବିକା ଯୋଗାଇବ । ମାତ୍ର ବଜେଟରେ ଏହାର ପ୍ରତିଫଳନ ନାହିଁ ।
ମୁଖ୍ୟମନ୍ତ୍ରୀ ବଜେଟର କିଛି ବ୍ୟବସ୍ଥାକୁ ନେଇ ବେଶ ସନ୍ତୋଷ ପ୍ରକାଶ ସହ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, କୃଷି କ୍ଷେତ୍ରରେ ଜାତୀୟସ୍ତରରେ ସପ୍ଳାଏ ଚେନ୍ ପାଇଁ କୃଷି ରେଳ ଓ କୃଷି ଉଡ଼ାନ ବେଶ୍ ସହାୟତା କରିବ । ‘ପ୍ରଧାନମନ୍ତ୍ରୀ କୁସୁମ’ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଣ ଚାଷୀଙ୍କୁ ସହାୟକ ହେବ । ଲାଭାଂଶ ବଣ୍ଟନ ଟିକସକୁ ଉଚ୍ଛେଦ କରାଯାଇ ନୂତନ ଭାବେ ‘କନସେସ୍ନାଲ କମ୍ପୋନେଣ୍ଟ ଟାକ୍ସ’ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ପୂର୍ବରୁ କର୍ପୋରେଟ୍ ଟିକସ ରିହାତି ଭଳି ସମବାୟ କ୍ଷେତ୍ରରେ ଟିକସ ରିହାତି ପାଇଁ ଅନୁରୋଧ କରିଥିଲା । କେନ୍ଦ୍ର ସରକାର ବଜେଟରେ ଏ ବ୍ୟବସ୍ଥା ରଖି ଟିକସ ରିହାତି ରଖିବା ସ୍ୱାଗତଯୋଗ୍ୟ । ସେହିଭଳି ବ୍ୟାଙ୍କ ଜମାକାରୀମାନଙ୍କ ବୀମା ରାଶି ପରିମାଣକୁ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ସହ ନୂଆ ଶିକ୍ଷାନୀତି ଏବଂ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ନବୀନ ସ୍ୱାଗତ କରିଛନ୍ତି ।
Comments are closed, but trackbacks and pingbacks are open.