କଟକ,(ବି.ବି.ନ୍ୟୁଜ୍): ଖଣ୍ଡଗିରି ଯାତ୍ରା ମଞ୍ଚରେ ଖୋଲାଖୋଲି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରି ରାତାରାତି ଚର୍ଚ୍ଚିତ ହୋଇଥିବା ଆଇଟମ୍ ଡ୍ୟାନ୍ସର୍ ରାନୀ ପଣ୍ଡାଙ୍କୁ ନେଇ ଏବେ ଓଡ଼ିଆ ଫିଲ୍ମ ଜଗତ ‘ଓଲିଉଡ୍’ ଓ ଯାତ୍ରା ଜଗତ ‘ଯଲିଉଡ୍’ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି । ଗୋଟିଏ ଟାଇଟଲ୍ରେ ଓଡ଼ିଆ ସିନେମା ଏବଂ ଯାତ୍ରା ପ୍ରସ୍ତୁତି ଚାଲିବା ଘଟଣାକୁ ନେଇ ଟଣାଓଟଣା ଆରମ୍ଭ ହୋଇଯାଇଛି । ପରିସ୍ଥିତି ଏବେ ଏମିତି ଜଟିଳ ହେବାକୁ ଯାଉଛି ଯେ ସ୍କ୍ରିପ୍ଟ ଚୋରି ମାମଲା ଆକାରରେ ଏହା ଅଦାଲତକୁ ଯିବାକୁ ବସିଛି । ପ୍ରସ୍ତାବିତ ସିନେମାର ନିର୍ଦ୍ଦେଶକ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ଯାଉଥିବା ନିଜେ ରାନୀ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି । ସ୍ୱୟଂ ରାନୀ ଏହାର ମୂଳରେ ଥିବାରୁ ତାଙ୍କୁ ନେଇ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଗତ ଖଣ୍ଡଗିରି ମେଳାରେ ରାନୀ ଚର୍ଚ୍ଚିତ ହେବା ପରେ, ଚର୍ଚିତ ଘଟଣାକୁ ନେଇ ଫିଲ୍ମ ତିଆରି କରୁଥିବା ଓଲିଉଡ଼୍ର ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ସହ ରାନୀଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ସେମାନେ ରାନୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ସିନେମା ପ୍ରସ୍ତୁତ କରିବା ନେଇ କଥା ହୋଇଥିଲେ । ରାନୀଙ୍କ ସଂଘର୍ଷମୟ ଜୀବନ, ନିଚ୍ଛକ ସତ୍ୟ ଘଟଣାକୁ ନେଇ ଏହି ସିନେମା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ରାନୀଙ୍କର ପିଲାଦିନ, ଏତେବାଟ ଆସିବା ପଛରେ ଥିବା କଷ୍ଟ, ସାଧନା, ଲାଞ୍ଛନାକୁ ଫିଲ୍ମରେ ସ୍ଥାନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାର ସଂଳାପ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ସଞ୍ଜୟ ନାୟକ । ଫିଲ୍ମର ପ୍ରଯୋଜନା କରିଥାନ୍ତେ ଦିଲୀପ ଦାଶ । ଏଥିପାଇଁ ଫଟୋସୁଟ୍ ବି ହୋଇଥିଲା । ଦେହରେ ଏକଦମ୍ କମ୍ କପଡ଼ା ପିନ୍ଧି ରାନୀ ଫଟୋସୁଟ୍ କରିବାକୁ ରାଜି ହେବା ସହିତ ଫିଲ୍ମ ପାଇଁ ଏଗ୍ରିମେଣ୍ଟ ବି କରିଥିଲେ । ସିନେମାଟିର ଟାଇଟଲ୍ ରେଜିଷ୍ଟ୍ରସନ କରାଯିବା ସହିତ ସମସ୍ତ ପ୍ରାକ୍ ପ୍ରସ୍ତୁତି ସରିଥିଲା । ଯେହେତୁ ରାନୀଙ୍କ ଜୀବନ କାହାଣୀ ଉପରେ ଏହି ସିନେମାଟି ଆଧାରିତ ଥିଲା ସେଥିପାଇଁ ରାନୀ ସମସ୍ତ ପ୍ରସ୍ତୁତି ଜୋର୍ଦାର ଭାବେ କରିଥିଲେ । କିନ୍ତୁ ୭ ମାସ ବିତି ଯାଇଥିଲା । ରାନୀ ଅନେକଥର ସଞ୍ଜୟ ନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ମେସେଜ୍ କରିଥିଲେ । କିନ୍ତୁ ସଞ୍ଜୟ ଉତ୍ତର ଦେଇନଥିଲେ । ଅନେକ ଦିନ ପରେ ସେ ପ୍ରଯୋଜକ ଏହି ଫିଲ୍ମ କରିବେ ନାହିଁ ବୋଲି ରାନୀ ଶୁଣିଥିଲେ । ତେଣୁ ରାନୀ ବାଧ୍ୟ ହୋଇ ଯାତ୍ରା ପାର୍ଟି ନ୍ୟୁ ଯାତ୍ରା ସଚିଦାନନ୍ଦମ୍ର ମାଲିକ ପର୍ଶୁରାମ ମଲ୍ଲିକଙ୍କ ସହିତ ଯୋଗାଯୋଗ କରିଥିଲେ । ପରେ ଯାତ୍ରା ମାଲିକ, ନିର୍ଦ୍ଦେଶକ ବିଜୟ ଦାସ, ସଂଳାପକାର ହର ବାରିକ ଏବଂ ରାନୀ ମିଶି ରାନୀଙ୍କ ଜୀବନୀକୁ ନେଇ ଯାତ୍ରା ନାଟକଟିଏ ଲେଖି ମଞ୍ଚସ୍ଥ କରିବାକୁ ସ୍ଥିର କରିଥିଲେ । ଏବେ ଏହି ଯାତ୍ରାର ପ୍ରସ୍ତୁତି ଗୋପାଳପୁରସ୍ଥିତ ଉତ୍କଳ ଷ୍ଟୁଡ଼ିଓରେ ୪ ଦିନ ହେବ ଚାଲିଛି ।
ତେବେ ସେଇ ଏକା ଟାଇଟଲ୍ ‘ଆଇଟମ୍ ଗାର୍ଲ ରାନୀ ପଣ୍ଡା’ ଯାତ୍ରା କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସଞ୍ଜୟ ନାୟକ । ଯାତ୍ରା ନାଟ୍ୟକାର ହର ବାରିକ ଏବଂ ନିର୍ଦ୍ଦେଶକ ବିଜୟ ଦାସ କହିଛନ୍ତି ଯାତ୍ରା ନାଟକର କାହାଣୀ ପୂରା ଅଲଗା । ଉଭୟଙ୍କ କହିବା କଥା, ଜଗନ୍ନାଥ ସଂସ୍କୃତି ଏବଂ ଜଣେ ଡ୍ୟାନ୍ସରଙ୍କ କାହାଣୀକୁ ନେଇ ଆମେ ଏହାକୁ ପ୍ରସ୍ତୁତ କରିଛୁ । ଏଥିରେ ଆପତ୍ତି ଉଠାଇବାର କୌଣସି କାରଣ ନାହିଁ । ଫିଲ୍ମ ଓ ଯାତ୍ରାର କାହାଣୀ ସମ୍ପୂର୍ଣ୍ଣ ଅଲଗା । ସିନେମାଟି ନିର୍ମାଣ ହେଲେ ଏଥିରେ ଆମର ବି କିଛି ଅସୁବିଧା ହେବ ନାହିଁ । ଏକଥା ଶୁଣିବା ପରେ କିନ୍ତୁ ଚିହିଁକି ଉଠିଛନ୍ତି ସିନେ ନିର୍ଦ୍ଦେଶକ ସଞ୍ଜୟ । ସେ ଏହି ଟାଇଟଲ୍ରେ ଆଉ ଫିଲ୍ମ କରିବେ ନାହିଁ ବୋଲି କହିଛନ୍ତି । କିନ୍ତୁ ରାନୀ ଏଥିରେ ରାଜି ହେଉନାହାନ୍ତି । ଓଲଟା କହିଛନ୍ତି ମାମଲା କୋର୍ଟକୁ ଯାଉ । ମୋର କିଛି କହିବାର ନାହିଁ । ମୁଁ ଏହି ନାଁରେ ଯାତ୍ରା ମଞ୍ଚସ୍ଥ କରିବି । ଓଡ଼ିଶାର ସମସ୍ତ ଦର୍ଶକ ମୋର କାହାଣୀ ଦେଖନ୍ତୁ ଏବଂ ମୋର ସଂଘର୍ଷମୟ ଜୀବନକୁ ଜାଣନ୍ତୁ ବୋଲି ତାଙ୍କ ମତ । ଏହି ଘଟଣାକୁ ନେଇ ଏବେ ଓଲିଉଡ୍-ଯଲିଉଡ୍ରେ ଜୋର୍ ଚର୍ଚ୍ଚା । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଏହି ଘଟଣା ଏକ ନୂଆ ମୋଡ଼ ନେବାର ସମ୍ଭାବନା ରହିଛି । କାରଣ ଏହି ଦିନ ‘ଆଇଟମ୍ ଗାର୍ଲ ରାନୀ ପଣ୍ଡା’ ଯାତ୍ରା ବହିଟି ଜଗତପୁରଠାରେ ପ୍ରଥମେ ମଞ୍ଚସ୍ଥ ହେବ । ମଞ୍ଚସ୍ଥ ହେବା ପରେ ବିବାଦ ବଢ଼ିପାରେ । ଏ ଭିତରେ ଦୁଇ ପକ୍ଷର କିଛି ବ୍ୟକ୍ତି ବିବାଦ ସମାଧାନ କରିବାକୁ ଲାଗି ପଡ଼ିଛନ୍ତି ।
Comments are closed, but trackbacks and pingbacks are open.