ଓଡ଼ିଶାକୁ ଦିଅ ସ୍ୱତନ୍ତ୍ର ପାହ୍ୟା:ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା କ୍ରମାଗତ ଭାବେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଆସୁଛି । ବନ୍ୟା, ବାତ୍ୟା ଓ ମରୁଡି ଭଳି ଦୁର୍ବିପାକ ରାଜ୍ୟର ପିଛା ଛାଡୁନି । ‘ପ୍ରାକୃତିକ ଦୁର୍ବିପାକ’କୁ ମାପଦଣ୍ଡ ଭାବେ ନେଇ ଓଡ଼ିଶାକୁ କେନ୍ଦ୍ର ସ୍ୱତନ୍ତ୍ର ରାଜ୍ୟା ପାହ୍ୟା ପ୍ରଦାନ କରୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏମିତି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ କହିଛନ୍ତି ଗୋଟିଏ ପରେ ଗୋଟିଏ ଦୁର୍ବିପାକ ରାଜ୍ୟର ବିକାଶ ଓ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି । ତେଣୁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକରେ କେନ୍ଦ୍ର-ରାଜ୍ୟର ଅଂଶଧନ ଭାଗିଦାରିତା ୯୦:୧୦ ରହୁ । ବଡ଼ ଦୁର୍ବିପାକର ଶିକାର ହେଉଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ କେନ୍ଦ୍ର ‘ସ୍ପେଶାଲ ଫୋକସ୍ ଷ୍ଟେଟ’ ଭାବେ ଘୋଷଣା କରିବା ସହ ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ଏ ପଦକ୍ଷେପ ନେଲେ ଭିତ୍ତିଭୂମି ପୁନରୁଦ୍ଧାର ସହ ଜୀବିକା ଯୋଗାଇପାରିବ । ଏହା କେବଳ ଓଡ଼ିଶା ନୁହଁ, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ରାଜ୍ୟଗୁଡ଼ିକୁ ଯଥେଷ୍ଟ ସାହାଯ୍ୟ କରିବ ।
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଦାବି ରଖି କହିଲେ, ପୂର୍ବ ଭାରତ ଉପକୂଳରେ ଆସିଥିବା ବାତ୍ୟା ଓ ସାମୁଦ୍ରିକ ଝଡ଼ର ୩୫% ଓଡ଼ିଶାକୁ ପ୍ରଭାବିତ କରିଛି । ଭୌଗୋଳିକ ଅବସ୍ଥିତି କାରଣରୁ ରାଜ୍ୟ ବିପର୍ଯ୍ୟୟଜନିତ କ୍ଷତି ସହୁଛି । ନିକଟରେ ରାଜ୍ୟ ‘ଫୋନି’ ଦ୍ୱାରା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଧନସମ୍ପତ୍ତି ସହ ଲୋକଙ୍କ ଜୀବନ ଜୀବିକାକୁ ମଧ୍ୟ ଧ୍ୱଂସ କରିଦେଇଛି । ପ୍ରାୟ ୫ ଲକ୍ଷ ୬୦ ହଜାର ଘର ଭାଙ୍ଗି ଯାଇଥିଲା ବେଳେ, ଲକ୍ଷ ଲକ୍ଷ ଗଛ ଉପୁଡ଼ିଯାଇଛି । ବିଜୁଳି ଭିତ୍ତିଭୂମି ସହ ସରକାରୀ ସମ୍ପତ୍ତି, ରାସ୍ତାଘାଟ, ଜଳ ଯୋଗାଣ ପ୍ରକଳ୍ପ, ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁଲ କୋଠା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ବହୁ ପରିମାଣର ଫସଲ ସହ ପ୍ରାଣୀସମ୍ପଦ ମଧ୍ୟ ନଷ୍ଟ ହୋଇଛି । ଭିତ୍ତିଭୂମି ପୁନରୁଦ୍ଧାର ସହ ଥଇଥାନ ପାଇଁ ରାଜ୍ୟ ସରକାର ତ୍ୱରିତ ଉଦ୍ୟମ ଆରମ୍ଭ କରିଛନ୍ତି ।
ଏ ଅବସରରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଘର ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ୯୦:୧୦ ପାଣ୍ଠି ଭାଗିଦାରିତାରେ ରାଜ୍ୟର ପୁରୁଣା ତାଲିକାକୁ ବାଦ୍ ଦେଇ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ନବୀନ ଦର୍ଶାଇଥିଲେ, ରାଜ୍ୟ ସରକାର ‘ଫୋନି’ କ୍ଷୟକ୍ଷତି ବିଭିନ୍ନ ବିଭାଗ ଦ୍ୱାରା ଆକଳନ ପରେ ରିପୋର୍ଟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପଠାଯାଇଛି । ସରକାରୀ ସମ୍ପତ୍ତି କ୍ଷୟକ୍ଷତି ସହ ରିଲିଫ ଯୋଗାଣ ପାଇଁ ରାଜ୍ୟ ସରକାର ୯ ହଜାର ୩୩୬ କୋଟି ଟଙ୍କାର ଆକଳନ କରି ରିପୋର୍ଟ ଦେଇଛନ୍ତି । ‘ଫୋନି’ ରିଲିଫ ଓ ପୁନରୁଦ୍ଧାର ପାଇଁ ତୁରନ୍ତ ଏନ୍ଡିଆରଏଫ୍ (କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି)ରୁ ୫ ହଜାର ୨୨୮ କୋଟି ଟଙ୍କା ମଞ୍ଜୁର କରାଯାଉ ।
ସାକ୍ଷାତ ସମୟରେ ନବୀନ କହିଲେ, ଫୋନିରେ ରାଜ୍ୟର ସାଧାରଣ ଭିତ୍ତିଭୂମି ଓ ଧନସମ୍ପତ୍ତି ଏତେ କ୍ଷତି ହୋଇଛି ଯେ ଏନଡିଆରଏଫ୍ କିମ୍ବା ଏସଡିଆରଏଫରେ ମିଳୁଥିବା ସହାୟତା ଯଥେଷ୍ଟ ହେଉନି । ଦୁର୍ବିପାକରେ ଜୀବନ ଜୀବିକା ବହୁଳ ଭାବେ କ୍ଷତି ସହୁଥଲା ବେଳେ ରାଜ୍ୟଗୁଡ଼ିକ ନିଜ ପାଣ୍ଠିରୁ ଭିତ୍ତିଭୂମି ପୁନଃନିର୍ମାଣ ସହ ଜୀବିକା ପୁନରୁଦ୍ଧାର କରୁଛନ୍ତି, ଏହା ରାଜ୍ୟ ରାଜକୋଷ ଉପରେ ବୋଝ ହେଉଛି । ତେଣୁ ଭିତ୍ତିଭୂମି କ୍ଷୟକ୍ଷତି ପୁନଃନିର୍ମାଣକୁ ଏସଡିଆରଏଫ୍ ଓ ଏନଡିଆରଏଫ୍ରେ ଅନ୍ତର୍ଭୁକ୍ତ କରାଯାଉ । ଏହାଦ୍ୱାରା ରାଜ୍ୟଗୁଡ଼ିକ ଥଇଥାନ ଓ ପୁନରୁଦ୍ଧାର ପାଇଁ ଅଧିକ ପାଣ୍ଠି ପାଇବାକୁ ସକ୍ଷମ ହେବେ । ଏ ଦିଗରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଁ କୋଇଲା ରୟାଲଟି ୧୪% ରୁ ୨୦%କୁ ବୃଦ୍ଧି କରିବା ପାଇଁ ନବୀନ ଦାବି ଉଠାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ସମଗ୍ର ଦେଶରେ ଉତ୍ପାଦିତ ହେଉଥିବା କୋଇଲାର ଏକ ପଞ୍ଚମାଂଶ ଉତ୍ପାଦନ କରୁଛି । ଏହାଦ୍ୱାରା ରାଜ୍ୟ ବହୁଳ ଭାବେ ପରିବେଶ ପ୍ରଦୂଷଣ,କୋଇଲା ଖଣି ପାଇଁ ବିସ୍ଥାପନ, ଜଳ ପ୍ରଦୂଷଣ ଭଳି ସମସ୍ୟାର ସମ୍ମୁଖୀନ ହେଉଛି । ୨୦୧୨ ମେ ମାସ ପରେ କୋଇଲା ରୟାଲଟି ସଂଶୋଧିତ ହୋଇନି । ରୟାଲଟି ବଢ଼ିଲେ ରାଜ୍ୟ ସରକାର ବିକାଶମୂଳକ କାମକୁ ଅଧିକ ଆଗେଇ ନେଇପାରିବେ । ଏଥ୍ରପତି ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲା ବେଳେ ସମସ୍ତ ଦାବିକୁ ସେ ବିଚାର କରିବାକୁ ମୋଦି ପ୍ରତିଶ୍ରୁତି ଦେଇଛନ୍ତି ।
ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସାକ୍ଷାତବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ ପାଇଁ ଜନାଦେଶ ପାଇଥିବାରୁ ନବୀନ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ । ନବୀନ କ୍ରମାଗତ ୫ମ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଛା ଜଣାଇଥିଲେ । ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ‘ଆୟୁଷ୍ମାନ ଭାରତ’ କିମ୍ବା ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହୋଇନଥିବା ନବୀନ ଗଣମାଧ୍ୟମକୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons