ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗୋ-ଚାଲାଣ ଜାରି

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନ୍ୟୁଜ୍): ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସପ୍ତାହର କେତେକ ନିର୍ଦ୍ଦିଷ୍ଟ ଦିନରେ ବଡ଼ ବଡ଼ କଣ୍ଟେନରରେ ବହୁ ଗୋରୁ-ଗାଈଙ୍କୁ ନେଇ କୋଲକାତା ଓ ବାଂଲାଦେଶ ଚାଲାଣ ହୋଇ ଆସୁଛି । ଜାତୀୟ ରାଜପଥଗୁଡ଼ିକରେ ଏପରି ଯାନ ରାତିରେ ଚଳାଚଳ କରୁଥିବା ବେଳେ ପ୍ରଶାସନ ସେଥିପ୍ରତି ଆଖି ବୁଜି ଦେଇଛି । ଫଳରେ ରାଜ୍ୟରୁ ଗୋରୁ-ଗାଈ ସଂଖ୍ୟା କମିବାରେ ଲାଗିଛି ।
ଉତ୍ତର ବାଲେଶ୍ୱରର ନିର୍ଦ୍ଦିଷ୍ଟ କେତେକ ରାସ୍ତାରେ ଓଡ଼ିଶା ଅଞ୍ଚଳରୁ ଗୋରୁ, ଗାଈ ଓ ବାଛୁରୀ ଧରି କେତେକ ନିର୍ଦ୍ଦିଷ୍ଟ କଣ୍ଟେନର ପଶ୍ଚିମବଙ୍ଗକୁ ଗୋ-ଚାଲାଣ କରିଆସୁଛି । ଗୋରୁ, ଗାଈମାନଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ କଣ୍ଟେନରରେ ଅଣାଯାଉଥିବା ବେଳେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଥାନା ଓ ଅନ୍ୟ କେତେକ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ସେମାନେ ନିରବଦ୍ରଷ୍ଟା ସାଜିଛନ୍ତି । ଗୋଟିଏ ଗୋଟିଏ କଣ୍ଟେନରରେ ୧୬ଟି ଗୋରୁ ଯିବାର ନିୟମ ଥିବା ବେଳେ କଣ୍ଟେନରରେ ଛାତ ସୃଷ୍ଟି କରି ବସ୍ତା ଉପରେ ବସ୍ତା ରଖିଲା ଭଳି ନିଆଯାଉଛି । କେତେକ ଗୋରୁ ଗାଈଙ୍କୁ କଣ୍ଟେନରରେ ଗୋଡ଼, ବେକ ବାନ୍ଧି ଝୁଲନ୍ତା ଅବସ୍ଥାରେ ନିଆଯାଉଛି । ପ୍ରଶାସନର ନଜର ଏଡ଼ାଇବା ପାଇଁ ଏହି ଗୋ-ଚାଲାଣ କଣ୍ଟେନର ପଛପଟେ ଡାକ ପାର୍ସଲ ବୋଲି ଲେଖାଯାଉଛି । ଗୋରୁଗୁଡିକୁ ପଠାଯିବା ପୂର୍ବରୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ସୁପାରିସ କ୍ରମେ ପଠାଯିବାର ନିୟମ ଥିବା ବେଳେ ତାହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଜଣାଯାଇଛି । ସେହିପରି ୬୦ନଂ ଜାତୀୟ ରାଜପଥ ବାଲେଶ୍ୱରର ନହରପାଟଣା ଠାରୁ ଜଳେଶ୍ୱର ମଧ୍ୟରେ ପ୍ରାୟ ୫୦କି.ମି ରାସ୍ତା ପାଶ୍ୱର୍ରେ କିମ୍ବା ଅନତି ଦୂରେ ଥିବା ଥାନା, ଫାଣ୍ଡିଗୁଡିକ ରହିଥିଲେ ମଧ୍ୟ ସେପରି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉନଥିବା ଜଣାଯାଇଛି । ଏଭଳି ଗାଡ଼ିଗୁଡିକ ରାତ୍ରିର ଶେଷ ପ୍ରହରରେ ଓଡ଼ିଶା ପଶ୍ଚିମବଙ୍ଗ ଉପାନ୍ତ ଲକ୍ଷ୍ମଣନାଥ ପାରି କରିବାକୁ ଥିବାରୁ ଅତି ଦ୍ରୁତ ଗତିରେ ଚଳାଚଳ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜନଜୀବନ ନଷ୍ଟ ହେବା ସହିତ ଗୋରୁ-ଗାଈଗୁଡ଼ିକ ମୃତ୍ୟୁ ମୁଖରେ ପଡୁଛନ୍ତି । ଗୋ-ଚାଲାଣକାରୀମାନେ ପୁଲିସ୍ ପ୍ରଶାସନକୁ ହାତବାରିସି କରି ଏପରି କାର୍ଯ୍ୟ ଭିଆଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଗୋ-ଚାଲାଣକାରୀମାନେ ଏକ ଅଭିନବ ଉପାୟରେ ଗୋ-ମାଂସ ରେଫ୍ରିଜେଟର କ୍ୟାରିୟର୍ ମାଧ୍ୟମରେ ଚାଲାଣ ହେଉଥିବାରୁ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଯଦି ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଏପରି କାର୍ଯ୍ୟ ଚାଲୁ ରହେ, ତେବେ ଭବିଷ୍ୟତରେ ଏକ ଜନ ଆନ୍ଦୋଳନ ହେବାର ଦାନା ବାନ୍ଧୁଥିବା ଜଣାଯାଇଛି । ସରକାର ତଥା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ କେତେକ ସମାଜସେବୀ ଓ ନେତୃ ଶ୍ରେଣୀୟ ବ୍ୟକ୍ତିମାନେ ଜଣାଇଛନ୍ତି । ବାଲେଶ୍ୱର ଜିଲ୍ଲାପାଳ ଏଥିପ୍ରତି ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଅନ୍ୟଥା ଏକଦା ଓଡ଼ିଶା ଗୋ ଶୂନ୍ୟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । କେବଳ ପୁଲିସ୍ ନୁହେଁ, ପୁଲିସ୍ର ଇଙ୍ଗିତରେ କେତେକ ଯୁବକ ୬୦ନଂ ଜାତୀୟ ରାଜପଥରେ ଗୋରୁ ବୋଝେଇ କଣ୍ଟେନର ଠାରୁ ବଟି ଆଦାୟ କରୁଛନ୍ତି । କେବଳ କଣ୍ଟେନର ନୁହେଁ, ଉତ୍ତର ବାଲେଶ୍ୱରର ବିଭିନ୍ନ ରାସ୍ତା ଦେଇ ପିକ୍ଅପ୍ ଦ୍ୱାରା ପଶ୍ଚିମବଙ୍ଗକୁ ମଧ୍ୟ ଗୋ-ଚାଲାଣ ହେଉଥିବା ନଜରକୁ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons