ଓଡ଼ିଶାରେ ଖୋଲିଲା ‘ବିଦେଶ ଡାକଘର’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭାରତୀୟ ଡାକ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ‘ବିଦେଶ ଡାକଘର’ ଖୋଲାଯାଇଛି । ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ ପରିସରରେ ସ୍ଥାପନ କରାଯାଇଥିବା ଏହି ବିଦେଶ ଡାକଘରକୁ ଭାରତୀୟ ଡାକ ବିଭାଗର ସଚିବ ଅନନ୍ତ ନାରାୟଣ ନନ୍ଦ ଉଦ୍ଘାଟନ କରିଛନ୍ତି ।
ଶ୍ରୀ ନନ୍ଦ କହିଛନ୍ତି, ଏବେ ଓଡ଼ିଶାରୁ ମାସକୁ ହାରାହାରି ୮,୦୦୦ରୁ ୯,୦୦୦ ପାର୍ସଲ ରପ୍ତାନି ହେଉଛି । ଡାକ ରପ୍ତାନିରେ ମୁଖ୍ୟତଃ ହସ୍ତତନ୍ତ, ବୟନ ସାମଗ୍ରୀ, ତାରକସି କାମ ବଡ଼ ଅଂଶୀଦାର ରହିଛି । ଭୁବନେଶ୍ୱର ବିଦେଶ ଡାକଘର ରାଜ୍ୟର କଳା ଓ ସଂସ୍କୃତିକୁ ବହନ କରୁଥିବା ଏସବୁ ସାମଗ୍ରୀ ରପ୍ତାନିକୁ ତ୍ୱରାନ୍ୱିତ କରିବ ଓ ରପ୍ତାନିକାରୀମାନେ ବେଶ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ଏ ଅବସରରେ ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କାମିଲା କହିଛନ୍ତି, ପୂର୍ବରୁ ବିଦେଶକୁ ପଠାଯାଉଥିବା ଚିଠି ତଥା ପାର୍ସଲଗୁଡ଼ିକୁ କୋଲ୍କାତାସ୍ଥିତ ବିଦେଶ ଡାକଘରକୁ ପଠାଯାଉଥିଲା । ସେଠାରେ ଏସବୁ ଚିଠି ଓ ପାର୍ସଲର କଷ୍ଟମ ଯାଞ୍ଚ ହେଉଥିଲା । ଏହି କାରଣରୁ ଚିଠି ତଥା ରପ୍ତାନି ପାର୍ସଲଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାରେ ବହୁ ବିଳମ୍ବ ହେଉଥିଲା ।
ଡ. କାମିଲା କହିଛନ୍ତି, ବର୍ତ୍ତମାନ ସମୟରେ ଓଡ଼ିଶାର ୧,୨୧୦ଟି ଡାକଘର ମାଧ୍ୟମର ବିଦେଶକୁ ଚିଠି ଓ ପାର୍ସଲ ବୁକିଂ କରାଯାଉଛି । ଏଣିକି ଏସବୁ ଚିଠି ଓ ପାର୍ସଲ ଭୁବନେଶ୍ୱରସ୍ଥିତ ବିଦେଶ ଡାକଘରେ ପ୍ରୋସେସିଂ ହେବ । କଷ୍ଟମ ବିଭାଗର ଅଧିକାରୀମାନେ ରପ୍ତାନି ହେବାକୁ ଥିବା ଚିଠି ଓ ପାର୍ସଲର ଯାଞ୍ଚ କରିବେ । ଫଳରେ ଓଡ଼ିଶାରୁ ପଠାଯାଉଥିବା ଚିଠି ଓ ପାର୍ସଲ ନିଜ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବାରେ ବିଳମ୍ବ ହେବନାହିଁ । ଏହା ରାଜ୍ୟର ସାମଗ୍ରୀ ରପ୍ତାନିକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ଓଡ଼ିଶା ମଣ୍ଡଳ ମୁଖ୍ୟ ମହାଡାକପାଳ କହିଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡାକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ପଦ୍ମଗନ୍ଧା ମିଶ୍ର, ଭୁବନେଶ୍ୱର ଡାକସେବାର ଜି ଗୁରୁନାଥନ, କେନ୍ଦ୍ରୀୟ ଉତ୍ପାଦ, ବହିଃଶୁଳ୍କ ଓ ଜିଏସ୍ଟି ଅତିରିକ୍ତ କମିଶନର ସନ୍ତୋଷ କୁମାର ମହାନ୍ତି, ଯୁଗ୍ମ କମିଶନର ଜେ ସତୀଶ ଚନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons