ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶାରେ ଦେଶର ସର୍ବବୃହତ ପ୍ଲାଷ୍ଟିକ କ୍ଲଷ୍ଟର ପାଇଁ ସୁଯୋଗ ଓ ସମ୍ଭାବନା ରହିଛି । ପାରାଦୀପଠାରେ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ନିର୍ମାଣାଧୀନ ପଲିପ୍ରପିଲିନ୍ ଓ ପ୍ଲାଷ୍ଟିକ୍ ପାର୍କ ଏହି ସୁଯୋଗକୁ ଉନ୍ମକ୍ତ କରିଛି । ପ୍ଲାଷ୍ଟିକ୍ ରପ୍ତାନି ପ୍ରୋତ୍ସାହନ କାଉନ୍ସିଲ୍ (ପ୍ଲେକ୍ସକନ୍ସିଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଶ୍ରୀବାଶ ଦାସମହାପାତ୍ର ଏଭଳି କହିଛନ୍ତି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ତତ୍ତ୍ୱାବଧାନରେ ପ୍ଲେକ୍ସକନ୍ସିଲ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପ୍ଲାଷ୍ଟିକ୍ ରପ୍ତାନି ସଚେତନତା ସମ୍ମିଳନୀରେ ଯୋଗଦେଇ ଶ୍ରୀ ଦାସମହାପାତ୍ର କହିଛନ୍ତି, ଇଣ୍ଡିଆନ୍ ଅଏଲ୍ର ପାରାଦୀପ ପିସିପିଆଇଆର୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲର ଭଣ୍ଡାର ଖୋଲିଛି । ଏଣୁ ଓଡ଼ିଶାରେ ଦେଶର ସର୍ବବୃହତ ପ୍ଲାଷ୍ଟିକ୍ କ୍ଲଷ୍ଟର ସ୍ଥାପନର ସୁଯୋଗ ରହିଛି । ଏହା ଜରିଆରେ ଓଡ଼ିଶାର ପ୍ଲାଷ୍ଟିକ୍ ଶିଳ୍ପଗୁଡ଼ିକ ବିଦେଶକୁ ରପ୍ତାନି କରିବା ସହ ବହୁ ପରିମାଣରେ ବିଦେଶୀ ପୁଞ୍ଜି ରୋଜଗାର କରିପାରିବେ । ଏବେ ବିଶ୍ୱର ମୁଣ୍ଡପିଛା ପ୍ଲାଷ୍ଟିକ୍ ବ୍ୟବହାର ୨୫ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ମାତ୍ର ୧୨ କିଲୋଗ୍ରାମ ରହିଛି । ଏଣୁ ବିଶ୍ୱ ସ୍ତରରେ ପହଞ୍ଚିବା ପାଇଁ ଭାରତ ପାଇଁ ଦ୍ୱିଗୁଣା ସୁଯୋଗ ରହିଛି । ଓଡ଼ିଶାର ପ୍ଲାଷ୍ଟିକ୍ ଶିଳ୍ପଗୁଡ଼ିକ ଏହି ସୁଯୋଗର ଫାଇଦା ନେବା ଉଚିତ ବୋଲି ପ୍ଲେକ୍ସକନ୍ସିଲ୍ ଇଡି କହିଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ଲେକ୍ସକନ୍ସିଲ୍ ଆଞ୍ଚଳିକ ଅଧ୍ୟକ୍ଷ ପ୍ରସନ ଲୋହିଆ, ପ୍ରଶାସନ କମିଟି ସଦସ୍ୟ ଅମିତ ପାଲ ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ୍ ରପ୍ତାନି ପାଇଁ ରହିଥିବା ସୁଯୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି ।
Comments are closed, but trackbacks and pingbacks are open.