କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ବୀରମିତ୍ରପୁରସ୍ଥିତ ଡାଇରେକ୍ଟର ବଙ୍ଗଳା ପଡ଼ିଆରେ ଚାଲିଥିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ସମ୍ମିଳନୀ । ଏହି ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । ଗୋଡ଼ାଇ ଗୋଡ଼ାଇ କର୍ମୀମାନଙ୍କୁ କାମୁଡ଼ି ଥିଲେ । ଏଥିରେ ୧୫ ଜଣ କର୍ମୀ ଆହତ ହୋଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ, ପୂର୍ବତନ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ବୀରେନ ସେନାପତି, ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ, ବୀରମିତ୍ରପୁର ଟାଉନ ସଭାପତି ବିକ୍ରମ ପ;ନାୟକ, ପୂର୍ବତନ ପୌରାଧ୍ୟକ୍ଷ ଶଶି ସାଗର, ବୀରମିତ୍ରପୁର ମଜଦୁର ମଞ୍ଚ ଉପସଭାପତି ସାଜିଦ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିଲା । କର୍ମୀ ତଥା ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯେଉଁ ସ୍ଥାନରେ ରୋଷେଇ ହେଉଥିଲା ସେଠାରୁ ଧୂଅାଁ ବାହାରିଥିଲା । ତେବେ ପଡ଼ିଆ ନିକଟରେ ଥିବା ମହୁ ଫେଣାରେ ଧୂଅାଁ ବାଜିବା କ୍ଷଣି ମହୁମାଛି କର୍ମୀ ଓ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ । ମହୁମାଛି ଆକ୍ରମଣ ଯୋଗୁଁ ଲୋକେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ଏହାସତ୍ତେ୍ୱ ଦୌଡ଼ୁଥିବା ଲୋକଙ୍କୁ ମହୁମାଛି ଆକ୍ରମଣ କରିବାକୁ ପଛାଉ ନଥିଲେ । ଏଥିରେ ୩ ଜଣ ମହିଳାଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି । ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ବୀରମିତ୍ରପୁର ମଜଦୁର ମଞ୍ଚ ଉପସଭାପତି ସାଜିଦ ଅହମ୍ମଦ । ଫଳରେ କିଛି ସମୟ ପାଇଁ ସମ୍ମିଳନୀ ସ୍ଥଗିତ ହୋଇଥିଲା । ପରେ ଡାଇରେକ୍ଟର ବଙ୍ଗଳା ଭିତରେ ସମ୍ମିଳନୀ କରାଯାଇଥିଲା ।
Comments are closed, but trackbacks and pingbacks are open.