ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସର ତୁଙ୍ଗ ନେତା ଡି କେ ଶିବକୁମାରଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) ଗିରଫ କରିଛି । ବେଆଇନ ଅର୍ଥ କାରବାର ମାମଲାରେ ୪ ଦିନ ଜେରା କରିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଛି । ଆୟକର ବିଭାଗର ଅଭିଯୋଗ କ୍ରମେ ଇଡି ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ପ୍ରତିରୋଧ ଆଇନ ଅଧୀନରେ ଏକ ମାମଲା ଦାୟର କରିଥିଲା । ଆୟକର ବିଭାଗ ନିଜ ଅଭିଯୋଗରେ ଦର୍ଶାଇଥିଲା କି ଶିବକୁମାର କୋଟି କୋଟି ଟଙ୍କାର କର ଫାଙ୍କିବା ସହିତ ହାୱାଲା କାରବାରରେ ବି ଜଡ଼ିତ ଅଛନ୍ତି ।
ଶିବକୁମାର ଗିରଫଦାରି ଏଡାଇବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଏଥିରେ ସଫଳ ହୋଇନଥିଲେ । ତାଙ୍କୁ ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ । ଏହାପରେ ତାଙ୍କର ଗିରଫ ହେବା ସମ୍ଭାବନା ବଢ଼ିଯାଇଥିଲା । ଶିବକୁମାର କିନ୍ତୁ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ପ୍ରତିହିଂସା କାରଣରୁ କେନ୍ଦ୍ର ଓ କର୍ଣ୍ଣାଟକର ବିଜେପି ସରକାର ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଉଛନ୍ତି । ଗତ ବର୍ଷ ଗୁଜରାଟରେ ରାଜ୍ୟସଭା ନିର୍ବାଚନ ସମୟରେ ସେ ରାଜ୍ୟର କଂଗ୍ରେସ ବିଧାୟକମାନଙ୍କୁ ନିଜ ରିସୋର୍ଟରେ ରଖିଥିବାରୁ ତାଙ୍କୁ ଏଭଳି ଟାର୍ଗେଟ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଖଣି ସହିତ ଅନେକ ପ୍ରକାରର ବ୍ୟବସାୟରେ ସଂପୃକ୍ତ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ସଂକଟମୋଚନକାରୀ ଭାବେ ବିବେଚନା କରାଯାଏ । ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଢ଼ିବା ପଛରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କ ଯୋଗୁ ହିଁ ବିଧାନସଭା ନିର୍ବାଚନ ପରେ ଅଧିକ ଆସନ ପାଇ କରି ବି ବିଜେପି ସେଠାରେ ସରକାର ଗଢିବାରେ ଅସମର୍ଥ ହୋଇଥିଲା ।
Comments are closed, but trackbacks and pingbacks are open.