କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ନା ଗାଁରେ ସେମାନେ କାହା ସହିତ କଥା ହେବେ, ନା ସେମାନଙ୍କ ସହିତ ଗାଁର କୌଣସି ଲୋକ କଥା ହେବେ । କେହି କଥା ହେଲେ ତାଙ୍କ ଉପରେ ୫ ହଜାର ଜରିମାନା । ଚାଷ କରିବା ବି ମନା । ଦୁଇ ପ୍ରଭାବଶାଳୀ ବ୍ୟକ୍ତିଙ୍କ କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଗୋଟିଏ ପରିବାରକୁ ଏଭଳି ଢଙ୍ଗରେ କରାଯାଇଛି ସାମାଜିକ ବାସନ୍ଦ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାର୍ଶାଘାଇ ବ୍ଲକ ବାରତୁଙ୍ଗା ଗ୍ରାମରେ । ଏମିତିକି ପରିବାରର ଜଣେ ସଦସ୍ୟ ପ୍ରାଣ ହରାଇବା ପରେ ଅନ୍ତିମ ସଂସ୍କାର ପରବର୍ତ୍ତୀ କର୍ମରେ ବି ପରିବାରକୁ ଅସହଯୋଗ କରାଯାଇଛି । ଏଭଳି ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଗାଁର ମହେଶ୍ୱର ବେହେରା ଓ ସର୍ବେଶ୍ୱର ବେହେରାଙ୍କ ପରିବାର । ଏ ସଂକ୍ରାନ୍ତରେ ପ୍ରଥମେ ପାଟକୁରା ଥାନାରେ ଅଭିଯୋଗ କରି ସବୁ କଥା ଜଣାଇଥିଲେ ବି କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଉକ୍ତ ପରିବାରର ସଦସ୍ୟ ।
ମିଳିଥିବା ସୂଚନା ଅନୁସାରେ, ବାରତୁଙ୍ଗାର ଦୁଇ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମହେଶ୍ୱରଙ୍କର ପୂର୍ବରୁ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ବିବାଦ ଥିଲା । ଯେଉଁଥିଲାଗି ତାଙ୍କ ପରିବାରକୁ ଉକ୍ତ ଦୁଇ ପ୍ରଭାବଶାଳୀ ବ୍ୟକ୍ତି ବିଭିନ୍ନ ବାବଦକୁ ହଇରାଣ ହରକତ କରିଆସୁଛନ୍ତି । ରାଗ ରଖି ଦାଉ ସାଧୁଛନ୍ତି ଦୁହେଁ । ଦୀର୍ଘଦିନ ଏହି ଦୁଇ ପରିବାର ମଧ୍ୟରେ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ କଳହ ଉଗ୍ର ରୂପ ନେଇଥିଲା । ଉକ୍ତ ଦୁଇ ବ୍ୟକ୍ତି ପାଟକୁରା ପୁଲିସକୁ ହାତବାରିସି କରି ମହେଶ୍ୱର ଓ ତାଙ୍କ ସାନଭାଇ ସର୍ବେଶ୍ୱରଙ୍କୁ ନିର୍ଯାତନା ଦେବା ସହ ପରିବାରକୁ ଏକ ଘରକିଆ କରି ରଖିଛନ୍ତି । ଗ୍ରାମର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ କରି ରଖିଛନ୍ତି । ତାଙ୍କ ସମ୍ପତ୍ତିକୁ ବେଆଇନ ଭାବେ ଦଖଲ କରିବାକୁ ଓ ଘରକୁ ଭାଙ୍ଗି ଦେବା, ଘରବାଡ଼ିରୁ ଉଚ୍ଛେଦ ଓ ରାସ୍ତା ବନ୍ଦ ସହ ଭବିଷ୍ୟତରେ ଅଧିକ କ୍ଷତି କରିବାକୁ ଧମକ ମଧ୍ୟ ଦେଇଛନ୍ତି । ପରେ ଗ୍ରାମର ଉକ୍ତ ଦୁଇ ମୁଖିଆ ବ୍ୟକ୍ତି ଜୁନ୍ ୨୨ରେ ଗ୍ରାମରେ ଘଣ୍ଟ ବାଡେ଼ଇ ଗ୍ରାମସଭା ଡକାଇ ଗ୍ରାମବାସୀଙ୍କୁ କହିଥିଲେ ମହେଶ୍ୱର, ସର୍ବେଶ୍ୱର ଓ ସେମାନଙ୍କ ପରିବାର ସହିତ ଗ୍ରାମର କୌଣସି ବ୍ୟକ୍ତି କଥାବାର୍ତ୍ତା କରିବେନି । କଥାବାର୍ତ୍ତା କରିବାର ପ୍ରମାଣ ମିଳିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ତା’ ପରଦିନ ଅର୍ଥାତ ଜୁନ୍ ୨୩ରେ ଗ୍ରାମରେ ପୂର୍ବପରି ସେମାନଙ୍କ କାର୍ଯ୍ୟ କରିବାକୁ ବାହାରିବାରୁ ସେମାନଙ୍କୁ କାମ କରାଇ ଦେଲେନି । ସେମାନେ କାମଧନ୍ଦାକୁ ନ ଗଲେ ସେମାନଙ୍କ ପରିବାର ଉପାସ ରହିବେ । ଘର ଚଳିବ କେମିତି ବୋଲି ଦୁଇ ଭାଇ ପ୍ରଶ୍ନ କରିଛନ୍ତି । ପୁଣି ଦୁଇ ଭାଇଙ୍କୁ ଚାଷବାସ କରାଇ ଦେବେନି ବୋଲି ଧମକ ଦିଆଯାଇଛି । ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ ଡରି ପରିବାର ଲୋକେ ଭୟରେ ସେମାନଙ୍କ ମୁକାବିଲା କରିବାକୁ ବାହାରୁ ନାହାନ୍ତି । ୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ପରିବାର ବାଧ୍ୟ ହୋଇ ଆତ୍ମାହୂତି ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଅଭିଯୋଗ ପାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖରଙ୍କୁ ଘଟଣାର ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.