କଟକରେ ନିଶା ବେପାରୀଙ୍କ ମନଇଚ୍ଛା ବେପାର

Get real time updates directly on you device, subscribe now.

କଟକ: କଟକ ସହର ଉପକଣ୍ଠରୁ ଆଜି ଜବତ ହୋଇଛି ପ୍ରାୟ ସାଢେ ଚାରି କ୍ବିଣ୍ଟାଲ ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ଗୁଇନ୍ଦା ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ୨ ଦିନ ତଳେ ସହର ଉପକଣ୍ଠରୁ ଜବତ ହୋଇଥିଲା ପ୍ରାୟ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର। ଆଉ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହା ହିଁ ସୂଚାଇ ଦେଉଛି ଯେ, କଟକ ସହର ଏବଂ ତାର ଆଖପାଖ ଅଞ୍ଚଳରେ ନିଶା ବେପାରୀମାନେ ଖୁବ ସକ୍ରିୟ ଅଛନ୍ତି।
ଅବକାରୀ ବିଭାଗ ପଞ୍ଝାକୁ ଆସିଥିବା ଏହି ଅଭିଯୁକ୍ତ ନିଶା ବେପାରୀ ଜଣକ ହେଲେ ଚୌଦ୍ବାର ଅଞ୍ଚଳର ମନୋଜ ରାଉତ। ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ବୋଲି ଦର୍ଶାଉଥିବା ଏହି ଅଭିଯୁକ୍ତ ନିକଟରୁ ଆଜି ଅବକାରୀ ଗୁଇନ୍ଦା ବିଭାଗ ଜବତ କରିଛି ପ୍ରାୟ ସାଢେ ଚାରି କ୍ବିଣ୍ଟାଲର ଗଞ୍ଜେଇ। ଯାହାର ଆନୁମାନିକ ବଜାର ମୁଲ୍ୟ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ହେବ। ନିଶା କାରବାରର ଠୋସ ପ୍ରମାଣ ପାଇବା ପରେ ଆଜି ଭୋର ସମୟରେ କଟକ ଉପକଣ୍ଠ ଚୌଦ୍ବାର ନିକଟରୁ ଏତେ ପରିମାଣର ଗଞ୍ଜେଇ ଜବତ ହୋଇଛି। ବିଶେଷ କଥା ହେଲା ଏହି ସବୁ ଗଞ୍ଜେଇ ବସ୍ତା ଅଭିଯୁକ୍ତର ଘରୁ ହିଁ ଜବତ ହୋଇଛି।
୨ ଦିନ ତଳେ କଟକ ପୀର ବଜାର ନିକଟରୁ ଜବତ ହୋଇଥିଲା ପ୍ରାୟ ୨୭୫ ଗ୍ରାମ ବ୍ରାଉନ ସୁଗାର, ଯାହାର କାର୍ପଟଦାର ଥିଲା କୁଖ୍ୟାତ ନିଶା ବେପାରୀ କନ୍ନ ଦାସ। କନ୍ନଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ବଜାର ମୁଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା। ଜଳେଶ୍ବରରୁ ଖୋର୍ଦ୍ଦା ଯାଏଁ ଲମ୍ବିଛି ବ୍ରାଉନସୁଗାର ରାକେଟ ଏବଂ ବ୍ରାଉନସୁଗାରର ସବୁଠାରୁ ବଡ ଖୁଚୁରା ବଜାର ହେଉଛି ରାଜଧାନୀ ଭୁବନେଶ୍ବର। ତେଣେ ଗଞ୍ଜେଇ ବେପାରର ମୂଳଉତ୍ସ ଫୁଲବାଣୀ ଜିଲ୍ଲା ହୋଇଥିବା ବେଳେ ଏହାର ହୋଲସେଲ ମାର୍କେଟ ସାଜିଛି କଟକ ଓ ଏହାର ଆଖପାଖ ଅଞ୍ଚଳ। ତେଣୁ ଏତିକି ହିଁ ବୁଝିବାକୁ ପଡିବ ଯେ ନିଶା ବେପାରୀମାନେ ଏହା ଭିତରେ ଖୁବ ସକ୍ରୀୟ ହୋଇପଡିଛନ୍ତି। ଆଜି ଗିରଫ ହୋଇଥିବା ଅଭିଯୁକ୍ତର ବୟାନ ହିଁ ଏକଥାକୁ ସ୍ପଷ୍ଟ କରୁଛି।
ଲକଡାଉନ୍‌ର ସୁଯୋଗ ନେଇ ନିଶା କାରୋବାରୀ ମାନେ ଏବେ ବେଧଡକ୍‌ରେ ସେମାନଙ୍କ ବେପାର ଚଳାଇଛନ୍ତି ବୋଲି ସଫେଇ ଦେଉଛି ଅବକାରୀ ବିଭାଗ। କିନ୍ତୁ ବୁଝାପଡୁ ନାହିଁ ବ୍ରାଉନସୁଗାର ଡିପ ସାଜିଥିବା ଜଳେଶ୍ବର ଏବଂ ଗଞ୍ଜେଇ ବେପାରର ମୂଳଉତ୍ସ ଫୁଲବାଣୀରେ ବିଭାଗୀୟ ବାବୁମାନେ କାହିଁକି ଚଢାଉ କରୁନାହାନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons