କଟକ,(ବି.ବି.ବୁ୍ୟରୋ): ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କଟକରେ ବ୍ୟାପକ କାର୍ଯ୍ୟକ୍ରମ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୩ ଘଣ୍ଟା ଧରି କଟକରେ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ବାଲିଯାତ୍ରା ତଳ ପଡ଼ିଆରେ ଏକ ବିଶାଳ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ୧ହଜାର କୋଟି ଟଙ୍କା ବିନିଯୋଗରେ ପ୍ରସ୍ତାବିତ ଏସ୍ସିବି ନବକଳେବର ଯୋଜନାର ଶିଳାନ୍ୟାସ, ୬ଲେନ୍ ବିଶିଷ୍ଟ ରିଂ ବନ୍ଧର ଶିଳାନ୍ୟାସ ସମେତ କିଛି ନୂଆ ଯୋଜନାର ଘୋଷଣା ମୁଖ୍ୟମନ୍ତ୍ରୀ କରିବେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରଙ୍କ ଗସ୍ତ ଏବଂ କାର୍ଯ୍ୟକ୍ରମ ଲାଗି ସହରରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବନେ୍ଦାବସ୍ତ କରାଯାଇଛି । ଏଥିପାଇଁ ବ୍ୟାପକ ଫୋର୍ସ ଓ ଶହେ ଅଫିସରଙ୍କୁ ନିୟୋଜିତ କରାଯାଉଛି ।
କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସନ୍ତାକାଲି ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଦିନ ୧୧ଟା ୨୦ରେ ବାଲିଯାତ୍ରା ଉପରପଡ଼ିଆରେ ନିର୍ମିତ ହୋଇଥିବା ହେଲିପ୍ୟାଡ୍ରେ ଅବତରଣ କରିବ । ସେଠାରୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ବଳୟରେ ବାରବାଟୀ ଷ୍ଟାଡ଼ିୟମ୍ରେ ଯାଇ ଆୟୋଜିତ ଏସ୍ଡିସି ଫୁଟବଲ୍ କପ୍ ଉଦ୍ୟାପନୀ କାର୍ଯ୍ୟକ୍ରମରେ ଯୋଗଦେବେ । ବାରବାଟୀ ଷ୍ଟାଡ଼ିୟମ୍ରେ କାର୍ଯ୍ୟକ୍ରମ ସାରି ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୩ ଘଣ୍ଟା ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଲାଗି ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍ ସାମଲ, କଟକ ଜିଲ୍ଲପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୂର୍ତ୍ତ, ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଗି ସମୀକ୍ଷା କରିଛନ୍ତି । ସେହିପରି କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ କମିସନରେଟ୍ ପୁଲିସ୍ର ଅନ୍ୟ ଅଧିକାରୀମାନେ ବାଲିଯାତ୍ରା ତଳ ପଡିଆ ଓ ଉପର ପଡ଼ିଆ ସମେତ ବାରବାଟୀ ଷ୍ଟାଡିୟମ୍ର କାର୍ଯ୍ୟର୍କମସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିସିପିଙ୍କ କାର୍ଯ୍ୟାଳୟରେ କଟକ କମିସନରେଟ୍ ପୁଲିସ୍ର ବିଭିନ୍ନ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରାଯାଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ବିଜେଡିର ଅନେକ ପ୍ରମୁଖ ନେତା ଗଲା ଦୁଇ ଦିନ ଧରି ପ୍ରସ୍ତୁତି ସମୀକ୍ଷା ଓ ତଦାରଖ କରୁଛନ୍ତି । କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ଜିଲ୍ଲାରୁ ୬୦ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ଥିବା ଯୋଜନା ରହିଛି ।
Comments are closed, but trackbacks and pingbacks are open.