
କଟକ,(ବି.ବି.ବୁ୍ୟରୋ): କଟକ ସହର ଭିତରେ, ଜଣେ କବାଡ଼ି ବ୍ୟବସାୟୀଙ୍କ ଘରେ ହିଁ ତିଆରି ହୋଇଥିଲା ଦୁର୍ଦ୍ଧାନ୍ତ ଗ୍ୟାଙ୍ଗ୍ଷ୍ଟର୍ ହାଇଦର୍ ଫେରାର୍ ଷଡ଼ଯନ୍ତ୍ରର ଚୂଡ଼ାନ୍ତ ବ୍ଲୁ-ପ୍ରିଣ୍ଟ୍ । ଏ ନକ୍ସା ପ୍ରସ୍ତୁତ କରିଥିଲେ ହାଇଦର୍ର ଜ୍ୱାଇଁ ଓ ପୁଅ ଦୁହେଁ ମିଶି । ଷଡ଼ଯନ୍ତ୍ରରେ ରାଜ୍ୟର ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ର ପ୍ରଚ୍ଛନ୍ନ ସମର୍ଥନ ବି ଥିଲା । ଯୋଜନା କାର୍ଯ୍ୟକାରୀ କରାଯିବା ବେଳେ ଉକ୍ତ ଗ୍ୟାଙ୍ଗ୍ଷ୍ଟର୍ର ପୁରୁଣା ଏଜେଣ୍ଟ୍ଙ୍କ ସମେତ ହାଇଦର୍ର ପୁଅ, ପୁତୁରା, ଶଳା ଆଦି ସଂପର୍କୀୟଙ୍କୁ ଦାୟିତ୍ୱ ବଣ୍ଟାଯାଇଥିଲା । – ହାଇଦର୍କୁ ଦରାଣ୍ଡୁଥିବା ପୁଲିସ ଟିମ୍କୁ ମିଳିଛି ଏଭଳି କିଛି ସୁରାକ୍ । ଏହି ସୂତ୍ରକୁ ଆଧାର କରି ଟିମ୍ ଏବେ ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ମୁତାବକ, ହାଇଦର୍କୁ ଖସାଇ ନେବାକୁ ସମ୍ବଲପୁର ଜେଲ୍ରେ ହିଁ ପ୍ରାୟ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର, ଯାହାକୁ କାର୍ଯ୍ୟକାରୀ କରାଗଲା ଏସ୍ସିବିରେ । ଖାସ୍ ଏହି ଷଡ଼ଯନ୍ତ୍ରକୁ ସଫଳ କରାଇବା ପାଇଁ ହିଁ ବିଗତ ୩ ମାସ ଭିତରେ ତୃତୀୟ ଥର ପାଇଁ ହାଇଦର୍ ଆସିଥିଲା କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ବାହାନାରେ । ପୂର୍ବ ଦୁଇ ଥର ଆସିବା ଭିତରେ ରେକି କରାଯାଇଥିଲା, ଏଜେଣ୍ଟ୍ମାନଙ୍କ ସହ ଯୋଗାଯୋଗ କରାଯାଇ ପଳାୟନର ପଥ ପରିଷ୍କାର କରାଯାଇଥିଲା । ତୃତୀୟ ଥର ଗତ ମାର୍ଚ୍ଚ ୨୩ରେ ହାଇଦର୍ ଆସି ସର୍ଜରୀ କ୍ୟାବିନ୍ରେ ରହିବା ପରେ ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା ।
ଦୁଇ ସପ୍ତାହ ତଳେ ହିଁ କଟକର ଉକ୍ତ ଘରେ ଫେରାର୍ ହେବାର ନକ୍ସା ଚୂଡ଼ାନ୍ତ ହୋଇଥିଲା । ଏବେ ଜେଲ୍ରେ ଥିବା ଜଣେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ସହ ହାଇଦର୍ର ବଡ଼ ପୁଅ ହାତ ମିଳାଇବା ପରେ ଉକ୍ତ ଗ୍ୟାଙ୍ଗ୍ଷ୍ଟର୍ ନିଜ ଏଜେନ୍ସି ଜରିଆରେ ସହଯୋଗର ହାତ ବଢାଇଥିଲା । ହାଇଦର୍କୁ ବାହାରକୁ ବାହାର କରିବା ପରେ ତା ନାଁରେ ବଡ଼ ବଟି ଆଦାୟ କରାଯିବ ଏବଂ ବାଣ୍ଟକୁଣ୍ଟରେ ଠିକାଦାରି, ବଟି କାରବାର ଚାଲିବ ବୋଲି ଉଭୟ ପକ୍ଷ ଭିତରେ ବୁଝାମଣା ବି ହୋଇଥିଲା । ତଦନୁସାରେ ଯୋଜନାକୁ ହାଇଦର୍ର ପୁଅ, ପୁତୁରା, ଜ୍ୱାଇଁ, ଶଳା, ସଂପର୍କୀୟ ଓ ଅନୁଗତମାନେ କାର୍ଯ୍ୟକାରୀ କରିଥିଲେ ଏବଂ ଉକ୍ତ ଗ୍ୟାଙ୍ଗ୍ଷ୍ଟର୍ର ଏଜେଣ୍ଟମାନେ ସବୁ ପ୍ରକାରର ସମର୍ଥନ ଯୋଗାଇ ଦେଇଥିଲେ । ବେଶ କିଛି ଦିନ ତଳୁ ଏ ପ୍ରକାରର ଏକ ଅସାଧୁ ବୁଝାମଣା ହୋଇ ଅନେକ ଠିକାଦାରି, ବାଲିଘାଟର ଟେଣ୍ଡର୍ ଫିକ୍ସିଂ କରାଯାଉଥିବା, ଲାଭାଂଶ ବାଣ୍ଟକୁଣ୍ଟ ହେଉଥିବାର ମଧ୍ୟ ଆଭାସ ମିଳୁଥିଲା । ଲାଭାଂଶ ଅର୍ଥର ସିଂହଭାଗ ପରୋକ୍ଷ ଭାବେ ହାଇଦର୍ ଭାଗକୁ ଯାଉଥିବା ଏବଂ ଏ କ୍ଷେତ୍ରରେ ଅପର ଗ୍ୟାଙ୍ଗ୍ର ସଂପୂର୍ଣ୍ଣ ସମର୍ଥନ ରହୁଥିବା କଥା ମଧ୍ୟ ଅତୀତରେ ଚର୍ଚ୍ଚାର ପରିଧିକୁ ଆସିଥିଲା । ଅବଶ୍ୟ ପୁଲିସ ଏ ଦିଗରେ ଏବେ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହେଁ । ତଥାପି ଅତି ବିଶ୍ୱସ୍ତ ସୂତ୍ରକୁ ଆଧାର କରି ପୁଲିସ୍ ଟିମ୍ ଏ ଦିଗରେ ଏବେ ଛାନ୍ଭିନ୍ ଚଳାଇଥିବା ଜଣାପଡ଼ିଛି ।
ଜେଲ୍ରେ ଥିବା ଉକ୍ତ ଗ୍ୟାଙ୍ଗ୍ଷ୍ଟର୍ର ବ୍ୟାବସାୟିକ ସାମ୍ରାଜ୍ୟ ହାଇଦ୍ରାବାଦ୍, କୋଲକାତା, ଗୋଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବାରୁ ଅନୁମାନ କରାଯାଉଛି କି’ ଫେରାର୍ ହେବା ପରେ ହାଇଦର୍ ଏହି ତିନି ରାଜ୍ୟ ଭିତରେ କେଉଁଠି ସୁବିଧାଜନକ ସ୍ଥାନରେ ଆତ୍ମଗୋପନ କରିବାର ଯୋଜନା ନିଶ୍ଚୟ ବନାଯାଇଥିବ । ବିଶେଷକରି ହାଇଦ୍ରାବାଦ୍ରେ ଉଭୟ ଚିକିତ୍ସା ସାଙ୍ଗକୁ ରହିବା ଅସୁସ୍ଥ ହାଇଦର୍ ପାଇଁ ଅଧିକ ସୁବିଧାଜନକ ହେବ ବୋଲି ଚିନ୍ତା କରାଯାଇଥିବ । ଏଣୁ ହାଇଦର୍ ହାଇଦ୍ରାବାଦ ଯାଇ ସେଠାରେ କିମ୍ବା ଉପରୋକ୍ତ କୌଣସି ଜାଗାରେ କିଛି ଦିନ ରହି, ନେପାଳ ବା ଅନ୍ୟ ଦେଶକୁ ପଳାଇଯିବାର ଯୋଜନା ବନାଯାଇଥିବ । ଏବେ ଏସବୁ ଦିଗକୁ ଜୋର୍ ଦେଇ କମିସନରେଟ୍ ପୁଲିସର ଏକାଧିକ ଟିମ୍ ହାଇଦ୍ରାବାଦ୍ରେ ଡେରା ପକାଇଥିବା ବେଳେ କିଛି ଟିମ୍ ଗୋଆ ଓ କୋଲକାତାରେ ସନ୍ଧାନ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ହାଇଦ୍ରାବାଦ ଇଲାକାରେ ହାଇଦର୍ ଥିବା ନେଇ କିଛି ସୁରାକ୍ ପୁଲିସକୁ ମିଳି ବି ସାରିଛି । ତେବେ ଟିମ୍କୁ ଏଯାଏ ସଫଳତା ମିଳିନାହିଁ । କେବଳ ଫେରାର୍ ଗଣିତର ଏସବୁ ସମ୍ଭାବ୍ୟ ଦିଗକୁ ନେଇ ପୁଲିସ ଟିମ୍ ହାଇଦର୍ର ସନ୍ଧାନ ଚଳାଇଛନ୍ତି । ଏବେଯାଏ କୌଣସି ଠୋସ୍ ତଥ୍ୟ ଟିମ୍ ହାତରେ ଲାଗିପାରି ନାହିଁ ।
Comments are closed, but trackbacks and pingbacks are open.