କୁଜଙ୍ଗ,(ବି.ବି.ନୁ୍ୟଜ୍): କୁଜଙ୍ଗ ବ୍ଳକ ତଥା ଥାନା ଅନ୍ତର୍ଗତ ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ୍ ଭାବେ କାର୍ଯ୍ୟ କରୁଥିବା ଅଗପାଳ ପଞ୍ଚାୟତ ବାଘୁଆଠେଙ୍ଗ ଗ୍ରାମର ନରହରି ବେହେରାଙ୍କ ପୁତ୍ର ବିଭୂତି ଭୂଷଣ ବେହେରା(୫୧)ଙ୍କର ଆଜି ଦୁର୍ଘଟଣାରେ ମୃତୁ୍ୟ ଘଟିଛି । ଦୁର୍ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସନ୍ଧ୍ୟାରେ କଟକ-ପାରାଦୀପ ରାଜପଥର ପଥୁରିଆଠାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ । ବିଳମ୍ବିତ ରାତିଯାଏ ରାସ୍ତାରୋକ ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଭୂତି ଆଜି ସକାଳ ପ୍ରାୟ ୯ ଟା ସମୟରେ ସରକାରୀ କାର୍ଯ୍ୟରେ ଜଗତସିଂହପୁର ଯାଉଥିଲେ । ଏହି ସମୟରେ କଟକ-ପାରାଦୀପ ରାଜ୍ୟ ରାଜପଥର ନୂଆପଡ଼ା ଛକଠାରେ ଦ୍ରୁତ ଗତିରେ ଯାଉଥିବା ଏକ ସ୍ୱିଫ୍ଟ୍ ଡିଜାୟାର୍ କାର୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାକୁ ଛିଟିକି ପଡ଼ି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଆଜି ସଂଧ୍ୟା ସମୟରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଫେରିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ତାଙ୍କ ମୃତଦେହକୁ କଟକ-ପାରାଦୀପ ରାଜ୍ୟ ରାଜପଥର ପଥୁରିଆଠାରେ ରଖି ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବା ସହିତ ପରିବାରକୁ ଆର୍ଥିକ କ୍ଷତିପୂରଣ ଦିଆଯିବା ପାଇଁ ଲୋକେ ଦାବି କରିଥିଲେ । ଘଟଣାସ୍ଥଳରେ କୁଜଙ୍ଗ ଥାନା ଅଧିକାରୀ ପାରାଓ ଟୁଡୁ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାଶୁଝା କରୁଥିବା ଜଣାପଡ଼ିଛି । ତେବେ ଡେରି ରାତି ପର୍ଯ୍ୟନ୍ତ କୌଣସି ସମାଧାନର ପନ୍ଥା ବାହାରି ନ ଥିବା ବେଳେ ରାସ୍ତାରୋକ ଜାରି ରହିଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.