କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ପୁଲିସକୁ ଗଞ୍ଜେଇ ଧରପଗଡ଼ରେ ମିଳିଛି ବଡ଼ ସଫଳତା । କଦଳୀ ବୋଝେଇ ଏକ ଟ୍ରକରେ ଅଭିନବ ଉପାୟରେ ବିହାରକୁ ଚାଲାଣ ହେଉଥିବା କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇକୁ ପୁଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ରମନ କୁମାର ରାଉତ(୩୩) ଓ ରାଜୀବକୁମାର ମହାତୋ(୧୯) ।
ସୁନାବେଡ଼ା ଥାନା ଅଧିକାରୀ ପ୍ରଦୁ୍ୟମ୍ନକୁମାର ମହାପାତ୍ର କହିଛନ୍ତି, ଗତ ଗୁରୁବାର ରାତିରେ ପାଟ୍ରୋଲିଂ ଚାଲିଥିଲା । ସୁନାବେଡ଼ା ଠାରୁ କୋରାପୁଟ ଅଭିମୁଖେ ଦ୍ରୁତଗତିରେ ଏକ ୧୨ଚକିଆ ଟ୍ରକ୍ (ଜେଏଚ୍ ୦୯ ଏଏସ ୪୩୩୫)ଯାଉଥିଲା । ସୁନାବେଡ଼ା ଥାନା ମୋହନପଡ଼ା ଛକ ନିକଟରେ ପୁଲିସ ସନେ୍ଦହକରି ଗାଡ଼ିକୁ ଅଟକାଇଥିଲା । ପୁଲିସ ଟ୍ରକର ଡ଼ାଲାକୁ ଯାଞ୍ଚ କରିବା ବେଳେ ଡ଼ାଲା ମଧ୍ୟରେ କଦଳୀ ଭିତରେ ବିପୁଳ ଗଞ୍ଜେଇ ପ୍ୟାକେଟ ଥିବା ଜଣାପଡ଼ିଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ ପରେ ୧୨ କୁ୍ୟଣ୍ଟାଲ ୪କେଜି ୭୦୦ ଗ୍ରାମ ଥିବା ଜଣାପଡ଼ିଛି । ଜବତ ଗଞ୍ଜେଇକୁ ସ୍ୱତନ୍ତ୍ର ପ୍ୟାକେଟ କରାଯାଇ କଦଳୀ ତଳେ ରଖି ବିହାର ଚାଲଣ ହେଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି । ଗଞ୍ଜେଇ ଚୋରାଚାଲଣରେ ଉପରୋକ୍ତ ୨ଜଣଙ୍କୁ ପୁଲିସ ଗିରଫ କରିଛି । ସୁନାବେଡ଼ା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏସଆଇ ନିଳାଦ୍ରୀ କହଁର, ଏଏସଆଇ କେ.ସି.ଏଚ ବେହେରା, ହାବିଲଦାର ଏମଏମ୍ ସାବତ, କନେଷ୍ଟବଳ ଡ଼ି.କେ. ମାଝୀ, କେ.ଆର ଖେମୁଣ୍ଡୁ ଓ ଏନ୍ ଭତ୍ରା ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ । ଏନେଇ ସୁନାବେଡ଼ା ଥାନାରେ ୯୧/୨୧ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଆଜି ଆଜି କୋର୍ଟ ଚାଲଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି । ଏଏସଆଇ ମୁକୁନ୍ଦ ମେଲାକା ମାମଲାର ତଦନ୍ତ ଜାରି ରଖିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.