ଫୁଲବାଣୀ,(ବି.ବି.ନ୍ୟୁଜ୍): କନ୍ଧମାଳ ଜିଲ୍ଲାର ମତ୍ସ୍ୟ ବିଭାଗ ଅଫିସରେ ଏବେ କର୍ମଚାରୀ ମରୁଡ଼ି । ଫାଇଲ୍ ଚାଷରେ ସୀମିତ ମାଛ ଚାଷ । ନାହିଁ ନାହିଁରେ ଚାଲିଛି ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ । କେବଳ ଲୋକ ଦେଖାଣିଆ ଭାବେ ଚାଲିଛି ବିଭାଗ । କେହି ମୁଖିଆ ନଥିବା ବେଳେ ଅଧିକାଂଶ ପଦବୀ ଫାଙ୍କା । ଯେତିକି କର୍ମଚାରୀ ଅଛନ୍ତି ସେମାନଙ୍କୁ ଫାଇଲ ଚାଷ କରିବାକୁ ସମୟ ନିଅଣ୍ଟ । ତେଣୁ ଜିଲ୍ଲାରେ ମାଛ ଚାଷ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।
କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ଜଣେ ମତ୍ସ୍ୟ ଉପନିର୍ଦ୍ଦେଶକ, ଜଣେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ମୋଟ ୪୫ଟି ପଦବି ରହିଛି । ସେଥିରୁ ଅଛନ୍ତି ମାତ୍ର ୧୫ ଜଣ । ପ୍ରାୟ ୨ ତୃତୀୟାଂଶ ପଦବି ଖାଲି । ମତ୍ସ୍ୟ ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ କନ୍ଧମାଳ ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱ ତୁଲାଉଛନ୍ତି । ଜଣେ ଅଧିକାରୀ ତିନିଟି ଜିଳ୍ଲା ଦାୟିତ୍ୱରେ ରହିବା ଯୋଗୁଁ ମାସର ଅଧା ଦିନ ସେ କନ୍ଧମାଳରେ ଅନୁପସ୍ଥିତ ରହନ୍ତି । ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପଦବିରେ ବି ଶୂନ୍ୟ ପଡ଼ିଛି । ସେହିପରି ପ୍ରତି ବ୍ଲକ ସମେତ ମୁଖ୍ୟ କାର୍ଯ୍ୟାଳୟ ପାଇଁ ୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ପଦବି ଥିବା ବେଳେ ଅଛନ୍ତି ମାତ୍ର ୪ ଜଣ । ସେଥିରୁ ପୁଣି ଜଣେ ମହିଳା ମତ୍ସ୍ୟ ଅଧିକାରୀ ପ୍ରସୂତୀକାଳୀନ ଛୁଟିରେ ଅଛନ୍ତି । ତେଣୁ ୩ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ସମଗ୍ର ୧୨ ବ୍ଲକର ଦାୟିତ୍ୱ ଦିଆଯାଇଛି । ସେହିପରି ବରିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ମଞ୍ଜୁରି ପଦବି ୬ଟି ଥିବା ବେଳେ ଅଛନ୍ତି ୩ ଜଣ । କନିଷ୍ଠ ମତ୍ସ୍ୟ ବୌଷୟିକ ସହକାରୀ ପଦବିରେ ଅଛନ୍ତି ୩ ଜଣ । କାର୍ଯ୍ୟାଳୟରେ ମୁଖ୍ୟ କିରଣୀଙ୍କୁ ମିଶାଇ ୪ ଜଣ କିରାଣୀ ଥିବା ବେଳେ ୪ଟି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ । ଏତିକି କର୍ମଚାରୀରେ ସାରା ଜିଲ୍ଲାରେ ମତ୍ସ୍ୟ ଚାଷର ବିକାଶ କିପରି ହେଉଥିବା ତାହା ସହଜେ ଅନୁମେୟ । କେବଳ ମାଛ ଚାଷୀଙ୍କୁ ତାଲିମ ଓ କାଗଜ ପତ୍ର ଚାଷରେ ହିଁ ଜିଲ୍ଲାର ମାଛ ଚାଷ ସୀମିତ ରହି ଯାଇଛି । ଅନ୍ୟପଟେ କାର୍ଯ୍ୟାଳୟର ଗାଡ଼ି ପ୍ରାୟ ୧୫ ବର୍ଷ ହେଲା ଖରାପ ହେଇ ପଡିଛି । କର୍ମଚାରୀଙ୍କ ରହିବା ପାଇଁ ରହିଥିବା ୧୦ଟି ସରକାରୀ ବାସଗୃହ ଏବେ ଭଙ୍ଗା ଦଦରା ଅବସ୍ଥାରେ । ପ୍ରାୟ ୪୦ ବର୍ଷ ତଳେ ନିର୍ମିତ ଏହି ସବୁ ଗୃହ ରକ୍ଷଣାବେକ୍ଷଣ ଅଭାବରୁ ରହିବା ଅନୁପେଯାଗୀ ହୋଇ ପଡିଛି । ତେଣୁ କର୍ମଚାରୀମାନେ ବାଧ୍ୟ ହୋଇ ବାହାରେ ଭଡ଼ା ଘରେ ରହୁଛନ୍ତି । ଏହି ସବୁ ସମସ୍ୟା ସମ୍ପର୍କରେ ଉପମତ୍ସ୍ୟ ନିର୍ଦ୍ଦେଶକ ଭୋଇଙ୍କୁ ପଚାରିବାରେ ସେ ଖାଲି ଥିବା ପଦବି ପୂରଣ ଓ ବାସଗୃହ ମରମତି ପାଇଁ ଉଚ୍ଚ ଅଧିକାରୀଙ୍କୁ ବହୁବାର ଅବଗତ କରିଛନ୍ତି ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.