କପିଲ୍ ଦେବଙ୍କ ଭବିଷ୍ୟବାଣୀ: ପାକିସ୍ତାନ ବିପକ୍ଷରେ ଭାରତର ପଲା ଭାରି

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ଗୋଟିଏ ବି ମ୍ୟାଚ୍ ହାରିନି । ଦୁଇ ଏସୀୟ ମହାଶକ୍ତି ବିଶ୍ୱକପ୍ ଇତିହାସରେ ଏପର୍ଯ୍ୟନ୍ତ ୬ ଥର ପରସ୍ପରକୁ ଭେଟିଛନ୍ତି । ସବୁ ମ୍ୟାଚ୍ରେ ଭାରତୀୟ ଦଳ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀକୁ ପରାଜୟର ସ୍ୱାଦ ଚଖାଇଛି । ଚଳିତ ବିଶ୍ୱକପ୍ରେ ବିରାଟ ବାହିନୀ ଉନ୍ନତ ପ୍ରଦର୍ଶନ କରୁଛି । ପାକିସ୍ତାନ ବିପକ୍ଷରେ ଭାରତର ପଲା ଭାରି ରହିଛି । ବିରାଟ ସେନା ଚଳିତ ବିଶ୍ୱକପ୍ରେ ମଧ୍ୟ ପାକିସ୍ତାନକୁ ହରାଇ ନିଜର ଶତ ପ୍ରତିଶତ ବିଜୟର ରେକର୍ଡକୁ ବଜାୟ ରଖିବ ବୋଲି ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବ ଭବିଷ୍ୟବାଣୀ କରିଛନ୍ତି ।
୧୯୮୩ ବିଶ୍ୱକପ୍ ଚାମ୍ପିଅନ୍ ଟିମ୍ ଇଣ୍ଡିଆର ଅଧିନାୟକ କହିଛନ୍ତି, ଭାରତୀୟ ଦଳ ଜବରଦସ୍ତ ଫର୍ମରେ ରହିଛି । ବିଜୟ ଯାତ୍ରା ଜାରି ରଖି ସପ୍ତମ ଥର ପାକିସ୍ତାନକୁ ହରାଇବାକୁ ଦଳ ବ୍ୟାକୁଳିତ ଅଛି । ନିଜ ଦକ୍ଷତା ଅନୁସାରେ ଖେଳିଲେ ଭାରତୀୟ ଦଳର ବିଜୟ ନିଶ୍ଚିତ । ସେ ଆହୁରି ମଧ୍ୟ କହିଛନ୍ତି, ଆମ ସମୟରେ ପାକିସ୍ତାନ ଦଳ ଭାରତ ଠାରୁ ମଧ୍ୟ ମଜଭୁତ ଥିଲା । ହେଲେ ଏବେ ଭାରତୀୟ ଦଳ ବିଜୟର ପ୍ରବଳ ଦାବିଦାର ରହିଛି । ଭାରତୀୟ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରି ଶୀର୍ଷରେ ଅଛି । ଦଳ ଏଭଳି ଖେଳ ଜାରି ରଖିବ ବୋଲି ଆଶାବାଦୀ ଅଛି । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନରେ ଅନେକ କିଛି ସୁଧାର ଆସିଛି । ଫିଲ୍ଡିଂ, ବ୍ୟାଟିଂ ସହ ଦ୍ରୁତ ବୋଲର ବିଭାଗରେ ଉନ୍ନତି ଘଟିଛି । ଟିମ୍ ଇଣ୍ଡିଆ ତା’ର ପ୍ରଥମ ୨ଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଭଳି ବଡ଼ ଦଳକୁ ହରାଇଛି । ଦଳ ଆଗାମୀ ମ୍ୟାଚ୍ଗୁଡିକରେ ଏମିତି ବିଜୟ ଜାରି ରଖିବ ବୋଲି ଆଶା ଅଛି । ହେଲେ ବର୍ଷା ବାଧକ ନ ସାଜିଲେ ହେଲା ।
କପିଲ୍ ଦେବ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି । ପାଣ୍ଡ୍ୟା ଜଣେ ସମର୍ପିତ ଖେଳାଳି । ତାଙ୍କୁ କାହା ସହିତ ତୁଳନା କରାଯାଇ ନପାରେ । ସେ ମୋ ଠାରୁ ଭଲ ଖେଳନ୍ତୁ ବୋଲି ମୁଁ ଚାହୁଁଛି । ସେ ଭଲ ବ୍ୟାଟିଂ କରୁଛନ୍ତି । ବୋଲିଂରେ ସୁଧାର ଆଣିବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons