ପଦ୍ମପୁର: ବରଗଡ ଜଗଦଲପୁର ଅଞ୍ଚଳର ଯୁବପୀଢି ଏବେ କଫ୍ ସିରପ୍ ପରି ନିଶା କବଳରେ । ଯାହା ଅଭିଭାବକମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ପଦ୍ମପୁର ଉପଖଣ୍ତ ଜଗଦଲପୁର ପୋଲିସ ତତ୍ପରତା ଦେଖାଇ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ କଫ୍ ସିରପ ନେଉଥିବା ବେଳେ ଜଣଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ଧୁମାଭଟା ଗ୍ରାମର ପ୍ରଶାନ୍ତ ଡନସନା (ବର୍ଷ ୨୩) ୬୮ ବୋତଲ ଏସକପ୍ କଫ ସିରପ ବାଇକରେ ଧରି ବିକ୍ରି କରୁଥିଲେ । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା ନିଜର ସହକର୍ମୀ ଏ ଏସ୍ ଆଇ ସତ୍ୟାନନ୍ଦ ଭୋଏ ଓ କେତନ ଧରୁଆଙ୍କୁ ପ୍ରଶାନ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲ । ଜଗଦଲପୁର ଥାନା କେସ୍ ନଂ ୬୯ରେ ଏକ ମାମଲା ରୁଜ୍ଜୁ କରି ପ୍ରଶାନ୍ତକୁ କୋର୍ଟ ଫରୱାଡ କରିଛି । ଜାମିନ ନାମଞ୍ଜୁର ହୋଇଥିବାରୁ ଏବେ ତାଙ୍କୁ ପଦ୍ମପୁର ସବ ଜେଲକୁ ପଠାଇ ଦିଆଯାଇଛି ।
ଦୀର୍ଘ ଦିନ ହେବ ଏହି ଯୁବକ ନିଶାଦ୍ରବ୍ୟ ବ୍ୟବସାୟରେ ଲିପ୍ତ ଥିବାରୁ ତାର ଗିରଫ ପରେ ଅଂଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଯୁବପୀଢି ନିଜେ ଏହି ନିଶା ଦ୍ରବ୍ୟର ବ୍ୟବସାୟୀ ଓ ଯୁବପିଢି ହିଁ ଗ୍ରାହକ । ତେଣୁ ଏହି ଅଞ୍ଚଳର ଲୋକେ ଏବେ ଚିନ୍ତିତ । ଛୋଟ ଛୋଟ ବେପାରୀ କେବେ କେବେ ଧରାପଡୁଛନ୍ତି,ହେଲେ ଗୋଦାମ କରି ରଖୁଥିବା ବେପାରୀ ଏବେବି ପୋଲିସକୁ ଭୟକରୁ ନାହାଁନ୍ତି । ତେଣୁ ଲୋକେ ଆହୁରି କଡା କାର୍ୟ୍ୟାନୁଷ୍ଠାନ ପାଇଁ ପୋଲିସଠୁ ଆଶା କରିଛନ୍ତି ।
Comments are closed, but trackbacks and pingbacks are open.