ରାୟଗଡ଼ା,(ବି.ବି.ନୁ୍ୟଜ୍): ସିଆରପିଏଫ ଚତୁର୍ଥ ବାଟାଲିୟନ ଯବାନମାନେ ଆଜି ନିୟମଗିରି ପାହାଡ଼ର ଟିିଟିମାସ୍କା ଜଙ୍ଗଲରେ କମ୍ବିଂ ବେଳେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଉଦ୍ଧାର ସାମଗ୍ରୀ ଭିତରେ ୪୦ଟି ଜିଲୋଟିନ୍, ୩୦ଟି ଡିଟୋନେଟର, ୪ଟି ଦେଶୀ ବନ୍ଧୁକ, ୨ ଟି ଟିଫିନ ବୋମା, ୧୨ କେଜି ଏଏନଏଫଓ ସମେତ ମୋଟ ୨୫ ପ୍ରକାର ସାମଗ୍ରୀ ଜବତ ହୋଇଥିବା ସେକେଣ୍ଡ ଇନ କମାଣ୍ଡାଣ୍ଟ ମିଥୁ ରୟ ଏବଂ ସହକାରୀ କମାଣ୍ଡାଣ୍ଟ ଗୁରୁପ୍ରସାଦ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଏହା ଖଞ୍ଜିଥିଲେ । ତେବେ ଯବାନଙ୍କ ସତର୍କତା ଯୋଗୁଁ ସାମଗ୍ରୀ ଉଦ୍ଧାର ହୋଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର ଚାଲିଥିବା ଶ୍ରୀ ରୟ କହିଛନ୍ତି । ଅନ୍ୟପକ୍ଷେ ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଗତ ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ନିୟମଗିରି ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି ।


Comments are closed, but trackbacks and pingbacks are open.