ସିମୁଳିଆ,(ବି.ବି.ନୁ୍ୟଜ୍): ସିମୁଳିଆ ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଗୋଟିଏ କରତକଳ ଉପରେ ବନ ବିଭାଗ ଓ ପୁଲିସ ପକ୍ଷରୁ ଚଢଉ କରାଯାଇ ମଙ୍ଗଳବାର ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି ।
ସୂଚନା ଅନୁସାରେ, ସିମୁଳିଆ ଥାନା ମୁରୁଣା ପଞ୍ଚାୟତର ମୁରୁଣା ହାଟ ନିକଟରେ ଚାଲିଥିବା କରତକଳ ଉପରେ ବନବିଭାଗ ଓ ପୁଲିସ ସକାଳେ ଅଚାନକ ଚଢ଼ଉ କରିଥିଲେ । ଚଢ଼ଉ ବେଳେ କରତକଳ ମାଲିକ ଖସି ଯାଇଥିବା ସୂଚନା ମିଳିଛି । ଏହି କରତକଳ ନିକଟରେ ଥିବା ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ କାଠଗଡ଼ ଜବତ କରାଯାଇଥିଲା । ଏଥିସହିତ ବହୁ ମୂଲ୍ୟବାନ ଯନ୍ତ୍ରାଂଶକୁ କଟର ମେସିନ ସାହାଯ୍ୟରେ କଟା ଯାଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ଯନ୍ତ୍ରାଂଶଗୁଡିକୁ ଜବତ କରି ଗାଡି ସହାୟତାରେ ବନବିଭାଗ ନିଜ ହେପାଜତକୁ ନେଇଥିଲା । ଏନେଇ ଏକ ମାମଲା ରୁଜୁ ହୋଇଛି । ବାଲେଶ୍ୱର ଜିଲ୍ଲାପାଳ ଓ ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିଦେ୍ର୍ଧଶକ୍ରମେ ଏସିଏଫ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସମେତ ଚାନ୍ଦିପୁର ରେଞ୍ଜର, ଔପଦା ରେଞ୍ଜର, ଫରେଷ୍ଟର ସଦଳବଳ ଏହି ଚଢ଼ଉରେ ସାମିଲ ହୋଇଥିଲେ । ତେବେ ସିମୁଳିଆ ଅଞ୍ଚଳରେ ବହୁ କରତ କଳ ବେଆଇନ ଭାବେ ଚାଲିଛି । କିନ୍ତୁ କେବଳ ଗୋଟିଏ କରତକଳ ଉପରେ କାହିଁକି ଚଢ଼ଉ କରାଗଲା ବୋଲି ପଚାରିବାରୁ ଖୁବ୍ଶୀଘ୍ର ସମସ୍ତ ବେଆଇନ କରତକଳ ଉପରେ ଚଢ଼ଉ କରାଯିବ ବୋଲି ଏସସିଏଫ ରଶ୍ମିରଞ୍ଜନ ସ୍ୱାଇଁ କହିଥିଲେ ।
Comments are closed, but trackbacks and pingbacks are open.