କରୋନା ଡର କରିଦେଲା ନିଜରଙ୍କୁ ପର, ମିଳିଲାନି ଚାରି କାନ୍ଧ

Get real time updates directly on you device, subscribe now.

ବାଲେଶ୍ୱର: ପୁଅକୁ ହରାଇବା ପରେ କୋଳ ତ ଖାଲି ହୋଇଗଲା ସେପଟେ ପୁଅକୁ ଝୁରି ଝୁରି ବାପା ବି ଆରପାରିକୁ ଚାଲିଗଲେ । ଆଉ ପୁତ୍ରହରା ମାଆ ମଥାରୁ ସିନ୍ଦୁର ମଧ୍ୟ ଲିଭିଗଲା ।ତାପର ଦୁଃଖ, ଯନ୍ତ୍ରଣା ଆହୁରି ବେଦନାଦାୟକ । ସ୍ବାମୀଙ୍କ ମୃତଦେହକୁ ଶ୍ମଶାନକୁ ନେବାକୁ ମିଳିଲାନି ଚାରି କାନ୍ଧ । ପରିସ୍ଥିତି ଏପରି ଥିଲାଯେ ବିଧବା ଭାଉଜର ହାତରୁ ଚୁଡି ଭାଙ୍ଗିବା ପାଇଁ ରାଜି ହେଉ ନଥିଲେ ଦିଅରମାନେ, ଭୟ ଥିଲା କରୋନାକୁ । ଗାଁ ଲୋକେ ଅଡି ବସିଥିଲେ ଯେ, ଯିଏ ଶବକୁ ଛୁଇଁବ, ଆଉ ଯିଏ ଚୁଡି ଭାଙ୍ଗିବ , ସିଏ ରହିବ କ୍ବାରେଣ୍ଟାଇନରେ । ଶବ ଦାହ ପାଇଁ ଚାରି କାନ୍ଧ ମିଳିବା ବି ମୁସ୍କିଲ ଥିଲା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବାଲିନଗର ଗାଁରେ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବାଲିନଗର ଗାଁର ଶଶୀକାନ୍ତ ବାରିକ ଗୁଜୁରାଟର ସୁରଟ ସହରରେ ସପରିବାର ରହୁଥୁଲେ । ପରିବାର କହିଲେ ଶଶୀକାନ୍ତ ଓ ତାଙ୍କ ପତ୍ନୀ, ପୁଅ- ଝିଅ । ଝିଅ ନବମରେ ପଢୁଥିବା ବଳେ ପୁଅ ଶୁଭମ୍ ଷଷ୍ଠରେ ପଢୁଥିଲା । ଲକଡାଉନ ସମୟରେ ଗତ ଏପ୍ରିଲ ୧୧ତାରିଖ ଦିନ ଶୁଭମ ତା ସାଙ୍ଗମାନଙ୍କ ସହ ରହୁଥିବା ଆପାର୍ଟମେଣ୍ଟ ଛାତରେ କ୍ରିକେଟ ଖେଳୁଥିଲା ବେଳେ ଘଟିଲା ଦୁର୍ଘଟଣା। କ୍ୟାଚ୍ ଧରିବା ବେଳେ ଭାରସାମ୍ୟ ହରାଇ ପାଞ୍ଚ ମହଲା କୋଠାର ଛାତରୁ ତଳକୁ ଖସି ପଡିତିଲା ଶୁଭମ । ସେହି ସ୍ଥାନରେ ଶୁଭମର ପ୍ରାଣ ବାୟୁ ଚାଲି ଯାଇଥିଲା। ପୁଅର ମୃତ୍ୟୁ ପରେ ବାପା ଶଶୀକାନ୍ତ ପାଗଳ ପ୍ରାୟ ହୋଇଯାଇଲେ । ଆଉ ଗତ ମଙ୍ଗଳବାର ଦିନ ହୃଦଘାତରେ ତାଙ୍କ ପ୍ରାଣ ଚାଲିଗଲା । ମୃତ୍ୟୁ ବେଳକୁ ତାକୁ ମାତ୍ର ୪୪ ବର୍ଷ ହୋଇଥିଲା । ଶଶୀକାନ୍ତର ମୃତ୍ୟୁ ଖବର ତାଙ୍କ ପତ୍ନୀ ଆଉ ଝିଅକୁ ଜଣା ଗଲା ନାହିଁ । ସେହି ସୁରଟ ସହରରେ ରହୁଥିବା ଶଶୀକାନ୍ତଙ୍କ ଶଳା ତାଙ୍କ ଭଉଣୀକୁ କହିଥିଲେ ଡାକ୍ତର କହୁଛନ୍ତି ଭାଇଙ୍କୁ ଭୁବନେଶ୍ବରର ଏମ୍ସକୁ ନେଇଯିବା ପାଇଁ , ଆଉ ସେହିଠାରେ ଭଲ ହୋଇଯିବେ । ଯେଉଁ ଗାଡିରେ ଶଶୀକାନ୍ତଙ୍କ ମୃତଦେହ ସୁରଟରୁ ଓଡିଶା ଆସୁଥିଲା । ସେହି ଗାଡିରେ ଥିଲେ ତାଙ୍କ ପତ୍ନୀ, ଝିଅ ଆଉ ଶଳା । ଆଗ ଆମ୍ବଲାନ୍ସରେ ଭାଇଙ୍କୁ ନିଆଯାଉଛି ଭୁବନେଶ୍ବର, ଆମେ ପଛରେ ଯାଉଛୁ ବୋଲି ଭଉଣୀକୁ ତାଙ୍କ ଭାଇ କହିଥିଲା । ଏକଥା ଶଶୀକାନ୍ତଙ୍କ ଶଳା ପ୍ରକାଶ କଲାବଳେ କୋହରେ ଫାଟି ପଡିଥିଲେ ।
ଗୁରୁବାର ସକାଳେ ଶଶୀକାନ୍ତର ମୃତଦେହ ଆସି ପହଂଚି ଥିଲା ନିଜ ଗାଁ ମାଟିରେ । ମୃତ୍ୟୁର ତିନି ଦିନ ପରେ ସ୍ବାମୀଙ୍କ ମୃତଦେହ ଦେଖି ଚେତା ଶୂନ୍ୟ ହୋଇ ଯାଇଥିଲେ ତାଙ୍କ ପତ୍ନୀ ଆଉ ଝିଅ । ସେ ଦୃଶ୍ୟ ବର୍ଣ୍ଣନା କରିବା କଷ୍ଟକର । କିନ୍ତୁ ଏପଟେ ଥିଲା ବିଧାତାଙ୍କ ଇଙ୍ଗିତରେ ଆଉ ଏକ ଦୁଃଖଦ ବିଧି । ଗାଁ ଲୋକେ ଶଶିକାନ୍ତଙ୍କ ମୃତଦେହକୁ ନଛୁଇଁବାକୁ ଅଡି ବସିଥିଲେ । ଏପରିକି ଯିଏ ଶଶିକାନ୍ତଙ୍କ ମୃତଦେହକୁ ଛୁଇଁବ, ଏବଂ ଯିଏ ତାଙ୍କ ପତ୍ନୀଙ୍କ ଚୁଡି ଭାଙ୍ଗିବ, ସିଏ କ୍ବାରେଣ୍ଟାଇନରେ ରହିବ ବୋଲି ଜିଦ୍ କରିଥିଲେ ।ତେବେ ଭଲ ମଣିଷ ତ ପୁଣି ଅଛନ୍ତି । ଶେଷରେ ସେହି ଗାଁର ଚାରି ଜଣ ଯୁବକ ଆଗକୁ ଆସିଥିଲେ ଏବଂ ମୃତ ଶଶିକାନ୍ତଙ୍କ ଶେଷକୃତ୍ୟ କରି କ୍ବାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ରାଜି ହୋଇଥିଲେ । ଆଉ ଶଶୀକାନ୍ତର ମରଶରୀର ପାଇଁ ମିଳି ଯାଇଥିଲା ଚାରିଟି କାନ୍ଧ । ସତ୍କାର ସରିଲା , ସେହି ଚାରି ଜଣ ଯୁବକ କ୍ବାରେଣ୍ଟାଇନରେ , ରହିଲେ ଏବଂ ଶଶୀକାନ୍ତଙ୍କ ବିଧବା ପତ୍ନୀ ଓ ଝିଅ ମଧ୍ୟ କ୍ୱାରେଣ୍ଟାଇନରେ ରହିଲେ । ଏକ ହସଖୁସିର ପରିବାର ଏପରି ଦୁଃଖଦ ପରିଣତି ଏବଂ ଯନ୍ତ୍ରଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons