କରୋନାରୁ ବଞ୍ଚିବା ପାଇଁ କାଳୀ ସାଧନା!

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): କରୋନା ଛଡ଼ାଇବା ପାଇଁ ଚାଲିଥିଲା କାଳୀ ସାଧନା । ଦୁଇଜଜଣ ମହିଳାଙ୍କ ଶରୀରରେ କାଳୀ ପ୍ରବେଶ କରିଥିବା କହି ମନ୍ତ୍ର ପାଠ ଚାଲିଥିଲା । କୁଆଡେ ସେମାନଙ୍କ ଜରିଆରେ କାଳୀ ପଡ଼ାଯାକ ଲୋକଙ୍କୁ ସୁରକ୍ଷିତ ରଖିବେ । ଆଉ କରୋନା ସଂକ୍ରମଣ ହେବ ନାହିଁ । ଏକଥା କାନରୁ କାନକୁ ବ୍ୟାପୀ ଦିନକୁ ଦିନ ସେଠାରେ ଲୋକଙ୍କ ଭିଡ଼ ଜମୁଥିଲା । କଥାଟି ପ୍ରଘଟ ହେବାପରେ ପୁଲିସ ଅତର୍କିତ ଭାବରେ ସେଠାରେ ଚଢ଼ଉ କରିବା ବେଳକୁ ସମ୍ପୃକ୍ତ ମହିଳାଙ୍କ ସହ ମୁହାଁମୁହିଁ ହୋଇଥିଲା । ମାତ୍ର ପୁଲିସ ଶକ୍ତ ହୋଇ ସମସ୍ତଙ୍କୁ ଗିରଫ କରିବାର ଧମକ ଦେବାପରେ କାଳିସୀ ଛାଡ଼ିଯାଇ ଉଭୟ ମହିଳା ସଂଜ୍ଞାହୀନ ହୋଇ ପଡ଼ିଥିଲେ । ପରେ ପୁଲିସ ସେଠାରୁ ପୂଜା ସାମଗ୍ରୀ ନଷ୍ଟ କରିବା ସହ ଲୋକଙ୍କୁ ବୁଝାସୁଝରାକରି ପଠାଇ ଦେଇଛି ।
ବଲାଙ୍ଗିର ସହର ଭିତରେ ଦେଖିବାକୁ ମିଳିଛି ଏଭଳି ଏକ କିମ୍ଭୂତ ଘଟଣା । ନିଜ ପଡ଼ାକୁ ଯେଭଳି କରୋନା ଛୁଇଁନପାରିବ ସେଥିପାଇଁ ସ୍ଥାନୀୟ ତାଲପାଲି ପଡାଠାରେ ଦୁଇଜଣ ମହିଳା କାଳୀସାଧନା କରୁଥିଲେ । ପୁଲିସ ଖବର ପାଇ ଗତ ବୁଧବାର ସକାଳେ ସେଠାରେ ପଇଁତରା ମାରିଥିଲା । କିନ୍ତୁ କୌଣସି ଟେର ପାଇପାରିଲା ନାହିଁ । ପରେ ଖବରୀ ଲଗାଇ ତନ୍ତ୍ରସାଧନା ସମ୍ପର୍କରେ ସୂଚନା ସଂଗ୍ରହ କରିବାପରେ ସନ୍ଧ୍ୟାରେ ସେଠାରେ ପୁଣି ଚଢ଼ଉ କରିଥିଲା । ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ପୂଜା ଘର ଭିତରକୁ ପଶିଯିବା ପରେ ସେଠାରେ କାଳୀ ସାଧନା କରୁଥିବା ଉଭୟ ମହିଳା ଗର୍ଜି ଉଠିଥିଲେ । ସେମାନେଙ୍କ ମଧ୍ୟରୁ ଜଣେ ପୁଳିସକୁ ଧମକ ଦେଇ ‘ମୁଁ କାଳୀ, ତୋତେ ନଷ୍ଟ କରିଦେବି’ ବୋଲି ଧମକ ଦେଇଥିଲେ । ଏହା ଶୁଣି ଥାନାଅଧିକାରୀ ମଧ୍ୟ ପାଲଟା ଜବାବ ଦେଇ ମୋ ଭିତରେ କାଳୀ ବସିଛନ୍ତି । ଏଠି ପୂଜା କରୁଥିବା ସମସ୍ତଙ୍କୁ ଗିରଫ କରିବି ବୋଲି ଧମକ ଦେଇଥିଲେ । ପୁଲିସର ଧମକ ଶୁଣି କାଳିସୀ ଧରିଥିବା ଉଭୟ ମହିଳା ବେହୋସ ହୋଇ ପଡ଼ିଯାଇଥିଲେ । ପୁଲିସ ସେମାନଙ୍କ ମୁହଁରେ ପାଣି ସିଞ୍ଚନ କରିବାରୁ ଚେତା ଫେରିଥିଲା । ଉଭୟ ମହିଳା ଓ ସେଠାରେ ଥିବା ଅନ୍ୟମାନଙ୍କୁ ବୁଝାସୁଝା କରିବା ସହ ପୂଜାପାଠ କରିବା ଅପେକ୍ଷା ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବାକୁ କରାମର୍ଶ ଦେଇଥିଲା । ପରେ ସମସ୍ତଙ୍କ ନାମ, ଠିକଣା ସଂଗ୍ରହ କରି ପୁଲିୁସ ସମସ୍ତଙ୍କୁ ଛାଡ଼ିଦେଇଥିବା ଜାଣିବାକୁ ମିଳିଛି । ଘଟଣାଟି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons