ରାୟଗଡ଼ା,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଏଠିକାର ଆଦିମ ଜନଜାତି ଡଙ୍ଗରିଆକନ୍ଧମାନେ ପାରମମ୍ପରିକ ରୀତିରେ ପୂଜାପାଠ କରିଛନ୍ତି । ମାଟି ଓ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ନିଜ ଉପାୟରେ ଡଙ୍ଗରିଆମାନେ ପୂଜା କରିଛନ୍ତି । ନିୟମ ରାଜା ନିକଟରେ ନିଜକୁ ସମର୍ପଣ କରିବା ସହ ସର୍ବଦା ମାଟି, ଜଙ୍ଗଲ ଓ ଝରଣାକୁ ପୂଜା କରୁଥିବା ଏହି ସମ୍ପ୍ରଦାୟର ଲୋକେ ଏବେ କରୋନା ପାଇଁ ଉପାସନା କରିଛନ୍ତି । ଗତ କିଛି ଦିନ ହେବ ନିୟମଗିରି ପାହାଡ଼ରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ତୁରନ୍ତ ବିଶ୍ୱକୁ କରୋନାମୁକ୍ତ କରିବାକୁ ପ୍ରତି ଗାଁର ଦିଶାରୀମାନେ ନିଜ ଉପାୟରେ ଉପାସନା କରିଛନ୍ତି । କେଉଁଠି ଲୋକେ ଗଛମୂଳେ ତ ଆଉ କେଉଁଠି ପଥରଖୋଲରେ ପୂଜାପାଠ କରିଛନ୍ତି । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳରେ ବ୍ୟାପିଥିବା ନିୟମଗିରି ପାହାଡ଼ର ପ୍ରତ୍ୟେକ ସ୍ଥାନରେ ପୂଜାର ସ୍ୱର ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ, ମୁଖ୍ୟତଃ ୩ ଟି ପାହାଡ଼ ତଥା ଗୁମ୍ଫା କୋରଡରେ ଏହି ସମ୍ପ୍ରଦାୟ ଲୋକେ ସର୍ବଦା ପୂଜା କରିଥାନ୍ତି । ନିୟମଗିରି ପାହାଡ଼ର ବାଘ ଗୁମ୍ଫା, ତୁରେଇପୁଞ୍ଜା, ଭାଲୁପେଣ୍ଡୁ ସମେତ ଗାଁ ନିକଟରେ ଥିବା ନିଶାନମୁଣ୍ଡାରେ ଏବେ ପୂଜାର୍ଚ୍ଚନା ହେଉଛି ।
ଆରାଧ୍ୟ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଛେଳି ଓ କୁକୁଡ଼ା ବଳି ମଧ୍ୟ ଦିଆଯାଉଥିବା ଜଣାପଡିଛି । ପ୍ରତି ଗାଁରୁ ପ୍ରତିନିଧି ଯାଇ ହୁଣ୍ଡିଜାଲି ନିକଟରେ ଏକତ୍ରିତ ହୋଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । କୁର୍ଲୀ, ଖମ୍ବେସୀ, ଗରଠା, ଶକଟା, ନିଶିଖାଲ, ଗୁମ୍ମା, ଲାମ୍ବା, ଡଙ୍ଗାମାଟି ଆଦି ଗାଁରେ ପୂଜା ହୋଇଥିବା ଜଣାପଡିଛି । ଆରାଧ୍ୟ ଦେବତା ବିଭିନ୍ନ ସମୟରେ ନିୟମଗିରିକୁ ରକ୍ଷା କରିଥିବାବେଳେ ବର୍ତ୍ତମାନ ମଧ୍ୟ କରୋନାରୁ ମୁକ୍ତି ପ୍ରଦାନ କରିବେ ବୋଲି ଡଙ୍ଗରିଆମାନେ ପ୍ରକାଶ କରିଛନ୍ତି । ଦୈନିକ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସକାଳୁ ପୂଜା ହେଉଛି ବୋଲି ଏମାନେ କହିଛନ୍ତି । ପ୍ରତିବର୍ଷ ଶ୍ରାବଣରେ ଡଙ୍ଗରିଆମାନେ ଧରିତ୍ରୀ ପୂଜା କରିଥାନ୍ତି ।
Comments are closed, but trackbacks and pingbacks are open.