କରୋନାରେ ଆଖି ବୁଜିଲେ ଆଉ ୨

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): କରୋନାରେ ଆଉ ୨ ଜଣ ଆଖି ବୁଜିଛନ୍ତି । ସେମାନଙ୍କୁ ମିଶାଇ ରାୟଗଡ଼ା ଜିଲ୍ଲାରେ କୋଭିଡ ମୃତୁ୍ୟସଂଖ୍ୟା ୬ରେ ପହଞ୍ଚିଛି । ରାଜ୍ୟ ସରକାର ଏ ସଂପର୍କରେ ଟ୍ୱିଟ୍ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ପ୍ରାଣ ହରାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ପଦ୍ମପୁର ବ୍ଲକ କେନ୍ଦୁଗୁଡ଼ା ଅଞ୍ଚଳର ୭୨ ବର୍ଷୀୟ ବୃଦ୍ଧ ଏବଂ ଅନ୍ୟ ଜଣେ ଗୁଣପୁର ସହରର ୩୧ ବର୍ଷୀୟ ଇଞ୍ଜିନିୟର ।
ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ମୋଟ ୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୧୪ ଜଣ ଯୋଦ୍ଧା । ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୬୨୪ରେ ପହଞ୍ଚିଛି । ରାୟଗଡା ଥାନାର ୧୨ଜଣଙ୍କ ପଜିଟିଭ୍ ବାହାରିବା ପରେ ଥାନାକୁ ସିଲ୍ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା ପାଇଁ ଥାନା ବାହାରେ ତମ୍ବୁ ଲଗାଯାଇ ପୁଲିସ କର୍ମଚାରୀ ଡୁ୍ୟଟି କରୁଛନ୍ତି । ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ନିକଟ ଘରଗୁଡ଼ିକୁ ଆଇସୋଲେସନରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କୁ ଜେକେପୁର, ଗୁଣପୁର, ବିଷମକଟକ ଓ ତାଡ଼ମା କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଯାତାୟତ ଉପରେ କଡ଼ାକଡ଼ି ଭାବେ କଟକଣା ଜାରି କରାଯାଇଛି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଏବଂ ୭ ଜଣ ମହିଳା ଅଛନ୍ତି । ସର୍ବାଧିକ ୧୪ ଜଣ ରାୟଗଡ଼ା ସହରରୁ ରହିଥିବା ବେଳେ ଗୁଡ଼ାରୀ ବ୍ଲକ ଓ ସହରରୁ ୬ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ସଦର ବ୍ଲକରୁ ୨, ପଦ୍ମପୁର ଓ ମୁନିଗୁଡ଼ା ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ୭ଟି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ପ୍ରଶାସନ କହିଛି । ଆକ୍ରାନ୍ତମାନେ ହୋମ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ କରୋନା ଯୋଦ୍ଧାଙ୍କ ମଧ୍ୟରେ ସର୍ବାଧିକ ୧୨ଜଣ ପୁଲିସ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟରଙ୍କ ସମେତ ୧୧ଜଣ କନଷ୍ଟେବଳ ଆକ୍ରାନ୍ତ ହୋଇଛନ୍ତ । ପୁଲିସ କର୍ମଚାରୀମାନେ ରାୟଗଡ଼ା ଥାନାରେ ନିୟୋଜିତ ହୋଇଥିଲେ । ସୋମବାର ମଧ୍ୟ ୧୨ଜଣ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନର ଯବାନଙ୍କ ପଜିଟିଭ୍ ଚିହ୍ନଟ ହୋଇଥିଲା । ଆଜିର ଚିହ୍ନଟମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶର୍ରେ ଆସିଥିଲେ । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ଆଉ ପଜିଟିଭ ବାହାରିଛି । ସେହିଭଳି ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଜଣେ ନର୍ସ ଏବଂ ଜଣେ ହେଲ୍ପ ଡେସ୍କ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପକ୍ଷେ ଥାନାର ୧୨ ଜଣ କର୍ମଚାରୀଙ୍କ ପଜିଟିଭ ବାହାରିବା ପରେ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି । ସୋମବାର ଠାରୁ ରାୟଗଡ଼ା ଥାନାକୁ ସିଲ କରିଦିଆଯାଇଛି । ଘରକୁ ଘର ସର୍ଭେ କରାଯିବା ଯୋଗୁଁ ଆକ୍ରାନ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଠିକଭାବେ ହେଉଥିବା ଡାକ୍ତର ଶ୍ରୀ ନାୟକ କହିଛନ୍ତି । ତେବେ କୋରନା ଯୋଦ୍ଧାଙ୍କ ସ୍ଥିତିକୁ ନେଇ ମୁଣ୍ଡବ୍ୟଥା ବଢ଼ିଛି । ଗତ ୨୫ ତାରିଖରେ ଜିଲ୍ଲାରୁ ଅନେକଜଣଙ୍କ ନମୁନା ଭୁବନେଶ୍ୱର ଆରଏମଆରସିକୁ ପରୀକ୍ଷଣ ପାଇଁ ପଠାଯାଇଥିଲା । ରାୟଗଡ଼ା ପରୀକ୍ଷାଗାରରେ ମଧ୍ୟ ପରୀକ୍ଷଣ ହୋଇଥିଲା । ସେଥିମଧ୍ୟରୁ ୨୪ଟି ନମୁନା ପଜିଟିଭ ବାହାରିଥିବା ଡାକ୍ତର ଶ୍ରୀ ନାୟକ କହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ କେଉମାନେ ଆସିଛନ୍ତି ଅନୁସନ୍ଧାନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ଅଞ୍ଚଳ ଓ ଥାନାକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି । ଘରକୁ ଘର ସର୍ଭେ ଆହୁରି ଜୋରଦାର କରାଯିବ ବୋଲି ନିଷ୍ପତି ହୋଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons