ସିମୁଳିଆ,(ବି.ବି.ନୁ୍ୟଜ): ପୁଣି ଜଣେ ସାମ୍ବାଦିକଙ୍କୁ କରୋନା ନେଇଗଲା । କୋଭିଡ୍ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଚିକିତ୍ସାଧୀନ ଥିବା ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ସମୟ ଖବର କାଗଜର ପ୍ରତିନିଧି ହରିଶ ଚନ୍ଦ୍ର ସ’(୬୨)ଙ୍କର ରବିବାର ସକାଳେ କଟକ ବଡ଼ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ସିମୁଳିଆ ତଥା ବାଲେଶ୍ୱର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସିମୁଳିଆର ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୋକ ବ୍ୟକ୍ତ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସିମୁଳିଆର ସାମ୍ବାଦିକମାନେ ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନେଇ ବଜାର ପରିକ୍ରମା କରିଥିଲେ । ପରେ ମୃତଦେହ ସକ୍ରାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଛି । ସାମ୍ବାଦିକ ହରିସ ଚନ୍ଦ୍ର ସ’ ୨୦୦୬ ମସିହାରୁ ସିମୁଳିଆ ବ୍ଲକରେ ସମୟ ଖବର କାଗଜର ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ୨୦୨୦ ସେପ୍ଟେମ୍ବର ମାସରେ କୋଭିଡ୍ରେ ଆକ୍ରାନ୍ତ ହୋଇ ପ୍ରଥମେ ବାଲେଶ୍ୱର ଜ୍ୟୋତି ହସ୍ପିଟାଲ ଏବଂ ପରେ ସମ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ୧୭ ଦିନ ଚିକିତ୍ସା ହେବା ପରେ ନେଗେଟିଭ ରିପୋର୍ଟ ଆସିଥିବାର ସୂଚନା ମିଳିଛି । କୋଭିଡ୍ରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହା ପରେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ପରେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା । କିଛି ଦିନ ପରେ ପୁନର୍ବାର ଅସୁସ୍ଥ ହେବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନ ସେଠାରେ ରହି ଚିକିତ୍ସା ହୋଇ ଘରକୁ ଫେରିଥିଲେ । ପୁଣି ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୦ରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ମରଶରୀର ମାର୍କୋଣାରେ ପହଞ୍ଚିବା ପରେ ସିମୁଳିଆ, ଖଇରା, ସୋର ଏବଂ ବାଲେଶ୍ୱର ଅଞ୍ଚଳର ବହୁ ସାମ୍ବାଦିକ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ସ୍ଥାନୀୟ ବ୍ଲକର ସାହିତି୍ୟକ, ଶିକ୍ଷକ, ସିମୁଳିଆ ମହୋତ୍ସବ କମିଟିର କର୍ମକର୍ତ୍ତା ଓ ସଭ୍ୟଗଣ, ଲୋକ ପ୍ରତିନିଧିମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉକ୍ରଳ ସାମ୍ବାଦିକ ସଙ୍ଘର ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତା ତାଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୋକ ବ୍ୟକ୍ତ ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସୂଚନା ଯୋଗ୍ୟ, ଦିବଂଗତ ସାମ୍ବାଦିକଙ୍କ ପତ୍ନୀ ଜୟନ୍ତୀ ପାଢ଼ୀ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି । ତାଙ୍କର ୨ ଝିଅ, ଗୋଟିଏ ପୁଅ ସମେତ ବୃଦ୍ଧ ବାପା-ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।


Comments are closed, but trackbacks and pingbacks are open.