କରୋନା ଭାଇରସ:ଭାରତ ପ୍ରତି ଅଧିକ ବିପଦ ଥିବା ଆଶଙ୍କା

Get real time updates directly on you device, subscribe now.

ବେଜିଂ: ଚୀନ୍ରେ କରୋନା ଭାଇରସ ଯୋଗୁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁ କେବଳ ଚୀନ୍ରେ ୫,୯୭୪ ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ୧୩୨ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ କେତେକ ଦେଶରେ ବି କରୋନା ଭାଇରସ ଯୋଗୁ ୯୧ ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୦ରୁ ଅଧିକ ହୋଇଗଲାଣି । ତେବେ ଚୀନ୍ରେ ଆହୁରି ୯୦୦୦ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ସନେ୍ଦହ କରାଯାଉଛି । କରୋନା ଦ୍ୱାରା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ପୂର୍ବରୁ ସାର୍ସ ଭାଇରସ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାକୁ ଟପିଗଲାଣି ବୋଲି କୁହାଯାଇଛି ।
ଚୀନ୍ର ପ୍ରାୟ ସମସ୍ତ ଭାଗରେ ଏବେ କରୋନା ଭାଇରସ ବ୍ୟାପିଗଲାଣି । ସହରାଞ୍ଚଳ ସହ ଗ୍ରାମୀଣ ଏବଂ ପାର୍ବତ୍ୟାଞ୍ଚଳରେ ବି ଏହି ଭାଇରସ ଲୋକଙ୍କୁ ଆକ୍ରାନ୍ତ କଲାଣି । ଭାରତ ସଂଲଗ୍ନ ଚୀନ୍ର ତିକ୍ରତରେ ବି ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ଛି । ଚୀନ୍ର ପ୍ରାୟ ୧୮ଟି ସହରକୁ ଏହାଯୋଗୁ ଅଚଳ କରି ରଖାଯାଇଛି । ସହରଗୁଡିକ ଏବେ ପୂରା ଖାଁଖାଁ । ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ପାଇଁ ଚୀନ୍ କେତେକ ନୂଆ ହସ୍ପିଟାଲ ନିର୍ମାଣ କରୁଛି । ମାତ୍ର ୬ ଦିନରେ ୱୁହାନରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରାଯିବା ପରେ ଅଧି ହସ୍ପିଟାଲ ନିର୍ମାଣ ଉଦ୍ୟମ କରାଯାଉଛି ।
ଚୀନ୍ରୁ କରୋନା ଭାଇରସର ପ୍ରସାର ରୋକିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ସେଠାରେ ଫସିଥିବା ନିଜର ନାଗରିକମାନଙ୍କୁ ଫେରାଇ ନେବାକୁ ଉଦ୍ୟମ କରୁଛନ୍ତି । ବୁଧବାର ଚୀନ୍ରେ ଫସିଥିବା ଆମେରିକାର ୨୦୧ ଜଣ ନାଗରିକ( ଅଧିକାଂଶ କୂଟନୀତିଜ୍ଞ ଓ ସେମାନଙ୍କ ପରିବାର)ଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ କାଲିଫର୍ଣ୍ଣିଆ ନିଆଯାଇଛି । ଭାରତ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଅଷ୍ଟେ୍ରଲିଆ ପରି ଅନେକ ଦେଶ ମଧ୍ୟ ଅନୂରୂପ ପଦକ୍ଷେପ ନେବାକୁ ଉଦ୍ୟମ କରୁଛନ୍ତି ।
କରୋନା ଭାଇରସ ଯୋଗୁ ବିଶ୍ୱର ଅନେକ ଏୟାରଲାଇନ୍ସ ଏବେ ଚୀନ୍କୁ ବିମାନ ଉଡ଼ାଣ ରଦ୍ଧ କରୁଛନ୍ତି କିମ୍ବା ବିମାନ ସଂଖ୍ୟା ହ୍ରାସ କରୁଛନ୍ତି । ଭାରତର ଇଣ୍ଡିଗୋ ଏୟାରଲାଇନ୍ସ ଆସନ୍ତା ମାସ ୧ରୁ ୨୦ ଯାଏଁ ଦିଲ୍ଲୀ ଏବଂ ଚେଙ୍ଗଡୁ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି । ଏୟାର ଇଣ୍ଡିଆ ମଧ୍ୟ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୪ ଯାଏଁ ଦିଲ୍ଲୀ-ସାଂଘାଇ ବିମାନ ଉଡ଼ାଣ ବନ୍ଦ ରଖିବ । ବ୍ରିଟିଶ ଏୟାରୱେଜ ଚୀନ୍କୁ ସମସ୍ତ ବିମାନର ଉଡ଼ାଣ ବନ୍ଦ କରିବ ବୋଲି ସୂଚନା ଦେଇଛି । ଅନ୍ୟପକ୍ଷରେ ରୁଷର ଏୟାରଲାଇନ୍ସଗୁଡ଼ିକ ୟୁରୋପକୁ ବିମାନ ସେବା ବନ୍ଦ କରିଛନ୍ତି ।
ୟୁଏଇରେ ରହୁଥିବା ଚୀନ୍ର ଏକ ପରିବାରର ୪ ଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୋଇଛି । ଅଷ୍ଟେ୍ରଲିଆରେ ସାତ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବାର ପ୍ରମାଣ ମିଳିଲା ପରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ଅଷ୍ଟେ୍ରଲିଆ ଗସ୍ତରେ ଯାଇଥିବା ଚୀନ୍ର ଏକ ମହିଳା ଫୁଟବଲ ଦଳର ଖେଳାଳିଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ଅଲଗା କରି ରଖାଯାଇଛି । ଦକ୍ଷିଣ କୋରିଆରେ ବି ୪ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବାର ଜଣାପଡିବା ପରେ ସେଠାକାର ହସ୍ପିଟାଲଗୁଡିକରେ କରୋନା ଭାଇରସ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରାଯାଇଛି । ଦକ୍ଷିଣ କୋରିଆ ସରକାର ୱୁହାନରୁ ନିଜର ୭୦୦ ନାଗରିକଙ୍କୁ ଫେରାଇ ନେବା ପାଇଁ ସ୍ୱତନ୍ତ୍ର ବିମାନ ପଠାଉଛନ୍ତି । ମାଲେସିୟାର ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି ।
କରୋନା ଭାଇରସ ଯୋଗୁ ଭାରତ ପ୍ରତି ଅଧିକ ବିପଦ ରହିଛି ବୋଲି ବ୍ରିଟେନର କିଛି ବିଶେଷଜ୍ଞ କହିଛନ୍ତି । ସେମାନେ ଉକ୍ତ ଭାଇରସ ଯୋଗୁ ବିଶ୍ୱର କେଉଁ କେଉଁ ସହର ଏବଂ ଦେଶ ଅଧିକ ପ୍ରଭାବିତ ହେବେ, ତାହାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଚୀନ୍ରୁ କେଉଁ ଦେଶକୁ କେତେ ଲୋକ ଫେରୁଛନ୍ତି ତାହାକୁ ଆଧାର କରି ଏପରି ଆକଳନ କରାଯାଇଛି ।
ଭାରତ ସରକାର ଆଜି ଏକ ବିବୃତି ଜାରି କରି ଭାରତୀୟ ନାଗରିକଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ଗସ୍ତ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ୱୁହାନ ଏବଂ ଚୀନ୍ର ଅନ୍ୟ ସ୍ଥାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ ଚୀନ୍ରୁ ଯେଉଁମାନଙ୍କୁ ଫେରାଇ ଅଣାଯିବ ସେମାନଙ୍କୁ ୧୪ ଦିନ ପାଇଁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଦିଲ୍ଲୀ-ଏନସିଆର ଏବଂ ପଞ୍ଜାବରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନେ୍ଦହରେ ୬ରୁ ୭ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରାଯାଉଛି ।
ଭାରତରେ ପୂର୍ବରୁ ୭ଟି ପ୍ରମୁଖ ବିମାନବନ୍ଦରରେ ଚୀନ୍ରୁ ଫେରୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଥିଲାବେଳେ ଏବେ ୨୧ଟି ବିମାନବନ୍ଦରରେ ଏ ପ୍ରକାର ବ୍ୟବସ୍ଥା କରାଯାଉଛି । ଭୁବନେଶ୍ୱର, ଲକ୍ଷେ୍ନø, ଗୋଆ, ଗୌହାଟି, ବିଶାଖାପାଟଣା ଏବଂ ବାରାଣସୀ ବିମାନବନ୍ଦରରେ ଏବେ ଯାତ୍ରୀମାନଙ୍କର ଦେହର ତାପମାତ୍ରା ଯାଞ୍ଚ କରାଯିବ । ଯାହା ଦେହର ତାପମାତ୍ରା ଅଧିକ ହୋଇଥିବ, ତାହାର ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଭାରତରେ ଏପର୍ଯ୍ୟନ୍ତ କେହି ବି କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ପ୍ରମାଣ ମିଳିନାହିଁ । ତେବେ ସରକାର ଏହାର ମୁକାବିଲା ପାଇଁ ୨୪ ଘଣ୍ଟିଆ କଲ୍ ସେଣ୍ଟର ଖୋଲିବା ସହିତ ନମୁନା ଯାଞ୍ଚ ପାଇଁ ୧୦ଟି ଲାବରେ ଆବଶ୍ୟକ ବ୍ୟବସ୍ଥା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons