‘କରୋନା’ ମୁକାବିଲା ପାଇଁ ଓଟିଡିସି ଦେଲା ୫ ଲକ୍ଷ ଟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ମୁକାବିଲା ପାଇଁ ଆର୍ଥିକ ସହାୟତା ଦେବାକୁ ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓ ନିଗମଗୁଡ଼ିକ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ଦାନ କରିବା ସହ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କର ଦରମା ଦେବାକୁ ଆହ୍ୱାନ ଦେବାପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ୍‌-୧୯)କୁ ସହାୟତା ପରିମାଣ ବଢ଼ିବାରେ ଲାଗିଛି। ଓଡ଼ିଶା ପର୍ୟ୍ୟଟନ ବିକାଶ ନିଗମ(ଓଟିଡିସି) ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛି।ଓଟିଡିସି ପକ୍ଷରୁ ଜାରି ସୂଚନା ଅନୁସାରେ, ସମଗ୍ର ବିଶ୍ୱ ଏବେ ‘କରୋନା’ ବା ‘କୋଭିଡ୍‌-୧୯ ଭୂତାଣୁ’ ବିରୁଦ୍ଧରେ ଯୁଦ୍ଧ କରୁଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସମୟୋଚିତ ଦୃଢ଼ ପଦକ୍ଷେପ ଓ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁ କରୋନାଜନିତ ସଂକ୍ରମଣକୁ ଓଡ଼ିଶା ଆଜି ସୁଦ୍ଧା ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି। ପ୍ରାୟ ସବୁ ଜିଲ୍ଲାକୁ ସିଲ୍ କରିଦିଆଯାଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଟିଡିସି ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହି ଟଙ୍କା ଆଜି ମନି ଟ୍ରାନ୍ସଫର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରେରଣ କରାଯାଇଛି।
ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମଗ୍ର ଓଡ଼ିଶାବାସୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ ‘କରୋନା’ରୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ କରୋନା ମୁକାବିଲା ନିମନ୍ତେ ଯେଉଁ ଶପଥ ପାଠ ପାଇଁ ଆହ୍ୱାନ କରିଛନ୍ତି ତାକୁ ସମସ୍ତେ ଅନୁସରଣ କରିବା ନିମନ୍ତେ ଶ୍ରୀମତୀ ମିଶ୍ର ବିନମ୍ର ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons